ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ତୃତୀୟ ସ୍ଥାନରେ ନବୀନ
ଏଡିଆର ରିପୋର୍ଟରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଂପତି ତାଲିକା ପ୍ରକାଶ ପାଇଛି । ଏହି ରିପୋର୍ଟ ଆଧାରରେ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର,: ଦେଶର କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଛି କେତେ ସଂପତି? ଆପଣ ଜାଣନ୍ତି କି ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ କିଏ? ଏନେଇ ଏଡିଆର ରିପୋର୍ଟରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଂପତି ତାଲିକା ପ୍ରକାଶ ପାଇଛି । ଏହି ରିପୋର୍ଟ ଆଧାରରେ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ତାଲିକାର ଶୀର୍ଷରେ ଅଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ଜଗନମୋହନଙ୍କ ପାଖରେ ୫୧୦ କୋଟିରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସଂପତି ରହିଛି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ । ତାଙ୍କ ନିକଟରେ ୧୬୩ କୋଟିରୁ ଅଧିକ ଟଙ୍କାର ସଂପତି ରହିଛି । ତେବେ ଆମ ମୁଖ୍ୟମନ୍ତ୍ରୀ ନବୀନଙ୍କ ନିକଟରେ ରହିଛି ୬୩ କୋଟିରୁ ଅଧିକ ଟଙ୍କାର ସଂପତି । ତେବେ ଏହି ତାଲିକାରେ ସବୁଠାରୁ ଶେଷରେ ଅଛନ୍ତି ପଶ୍ଚିମବଙ୍ଗମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ନିକଟରେ ୧୫ ଲକ୍ଷ ଟଙ୍କାର ସଂପତି ଥିବା ବେଳେ ସେ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ସେହିଭଳି କେରଳ ଓ ହରିଆଣା ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧ କୋଟି ଟଙ୍କାର ସମ୍ପତି ଥିବା ଏଡିଆର ରିପୋର୍ଟରେ ଉଲ୍ଲେଖ ହୋଇଛି । ଚଳପ୍ରଚଳ ସମ୍ପତିରେ ୫୦୩୩ ଟଙ୍କା ପୋଷ୍ଟ ଅଫିସ୍ ସଂଚୟ, ୧.୧୧ କୋଟି ଟଙ୍କାର ଜମା, ୯ କୋଟି ଟଙ୍କାର ଆରବିଆଇ ବଣ୍ଡ, ୧ କୋଟି ଟଙ୍କାର ଡାକଘର ଟର୍ମ ଜମା, ୩.୪୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ୬୪୩୪ ଟଙ୍କା ମୂଲ୍ୟର ଆମ୍ବାସାଡର କାର (୧୯୮୦ ମଡେଲ) ଅନ୍ତର୍ଭୁକ୍ତ । କେବଳ ଏତିକି ନୁହେଁ ପଟ୍ଟନାୟକଙ୍କ ଅସ୍ଥାବର ସମ୍ପତିରେ ‘ନବୀନ ନିୱାସ’ର ୯,୫୨,୪୬,୧୯୦ ଟଙ୍କା (ପ୍ରାୟ) ଏବଂ ନୂଆଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡ ୫୦% ସମ୍ପତିର ଅଂଶ ରହିଛି ।