ସ୍କୁଲରେ ଯୋଗ, ପ୍ରାଣାୟମ କରିବେ ଛାତ୍ରଛାତ୍ରୀ

ସ୍କୁଲରେ ଯୋଗ, ପ୍ରାଣାୟମ କରିବେ ଛାତ୍ରଛାତ୍ରୀ । ଏହା ବାଧ୍ୟତାମୂଳକ । ସ୍କୁଲ ପ୍ରାର୍ଥନା ପରେ ୧୦ ମିନିଟ୍ ଯୋଗ କରିବେ । ଠିଆ ହେବା ଅବସ୍ଥାରେ ହୋଇପାରୁଥିବା ଯୋଗ ବା ପ୍ରାଣାୟମ କରିପାରିବେ । ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ସ୍କୁଲ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ପ୍ରୟାସ କରାଯାଇଛି ।
ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ସ୍କୁଲରେ କ୍ରୀଡ଼ାକୁ ଦିଆଯିବ ଗୁରୁତ୍ୱ । ଖେଳ ଉପକରଣ ମଧ୍ୟ ରଖାଯିବ । ହକି, କ୍ରିକେଟ୍, ତୀରନ୍ଦାଜ ଭଳି କ୍ରୀଡ଼ାର ସମସ୍ତ ଉପକରଣ ରଖାଯିବ । ବ୍ୟାଣ୍ଡ ଟ୍ରଫି, ଗୁଣାତ୍ମକ ୟୁନିଫର୍ମ ଆଦି ରହିବ ।
ସେହିପରି କ୍ରୀଡ଼ା କାର୍ଯ୍ୟକଳାପର ସମସ୍ତ ତଥ୍ୟ ରଖାଯିବ । ଏହାକୁ ତଦାରଖ କରିବାକୁ ଜିଲ୍ଲାସ୍ତରରେ ୧୫ ଜଣ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ (ଡିପିଇଓ) ଓ ୧୫ଜଣ ଭାରପ୍ରାପ୍ତ ଡିପିଇଓଙ୍କୁ ଦାୟିତ୍ୱ ଦିଆଯିବ । ସେହିପରି ଜାତୀୟସ୍ତରୀୟ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ଟିମ୍କୁ କଳିଙ୍ଗ ଷ୍ଟାଡିୟମରେ ତାଲିମ ପ୍ରଦାନ କରାଯିବ । ସ୍କୁଲ ଛାତ୍ରୀଛାତ୍ରଙ୍କୁ କ୍ରୀଡ଼ା ପ୍ରୋତ୍ସାହନ ଲାଗି ଗାଇଡ୍ଲାଇନ ଜାରି ହୋଇଛି । ଏହାସହ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରତିଭା ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଛି । ଯୋଗ, ପ୍ରାଣାୟମ, ଶାରୀରିକ ପରିଶ୍ରମକୁ ବାଧ୍ୟତାମୂଳକ କରାଯିବ । ସ୍କୁଲରେ ସକାଳ ୧୦ଟାରୁ ୧୦ଟା ୧୫ ଯାଏ ପ୍ରାର୍ଥନା ସଭା ହେଉଛି ।
ଏହାପରେ ୧୦ ମିନିଟ୍ ଯୋଗ କ୍ଲାସ କରାଯିବ । ସ୍କୁଲ କ୍ରୀଡ଼ା ଶିକ୍ଷକ ପିଲାଙ୍କୁ ଯୋଗ ଶିଖାଇବେ । ସ୍ପୋର୍ଟସ କ୍ୟାଲେଣ୍ଡର ଅନୁଯାୟୀ, ଆଉ ୪୩ଟି ନୂଆ କ୍ରୀଡ଼ାକୁ ମିଶ୍ରଣ କରାଯିବ । ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ସ୍କୁଲକୁ ନେଇ କ୍ରୀଡ଼ା ପ୍ରତିଯୋଗିତା ହେବ । କ୍ରୀଡ଼ା ଶିକ୍ଷକମାନେ କ୍ରୀଡ଼ାରେ ପିଲାଙ୍କର ବିକାଶ ନେଇ କ୍ଲାସ ସରିବାର ୨ ଘଣ୍ଟା ଯାଏ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ସ୍ୱତନ୍ତ୍ର ଗାଇଡ୍ଲାଇନ ଜାରି ହୋଇଛି ।ଯାହା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଯୋଗାଇ ଦିଆଯାଇଛି ।