ଛତିଶଗଡ଼ର ସୁକ୍‌ମାରେ ନକ୍ସଲ ଆକ୍ରମଣ

ଛତିଶଗଡ଼ର ନକ୍ସଲ ପ୍ରଭାବିତ ସୁକ୍‌ମା ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି।

ଛତିଶଗଡ଼ର ସୁକ୍‌ମାରେ ନକ୍ସଲ ଆକ୍ରମଣ

ଛତିଶଗଡ଼ର ନକ୍ସଲ ପ୍ରଭାବିତ ସୁକ୍‌ମା ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି। ନକ୍ସଲ ଆକ୍ରମଣରେ ସିଆର୍‌ପିଏଫ୍‌ର ଜଣେ ଯବାନ ସହିଦ ହୋଇଛନ୍ତି। ସେ ହେଲେ ସବ୍‌-ଇନ୍ସପେକ୍ଟର ସୁଧାକର ରେଡ୍ଡୀ। ସିଆର୍‌ପିଏଫ୍‌ କନଷ୍ଟେବଳ ରାମୁଙ୍କ ଦେହରେ ମଧ୍ୟ ଗୁଳି ବାଜିଛି। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି।

ରବିବାର ସକାଳ ୭ଟାରେ ଜଗରଗୁଣ୍ଡା ଥାନା ଅଧୀନ ବେଦ୍‌ରେ କ୍ୟାମ୍ପ୍‌ରୁ ସିଆର୍‌ପିଏଫ୍‌ ୧୬୫ ବାଟାଲିୟନର କମ୍ପାନୀ ଉର୍ସାଙ୍ଗଲ୍‌ ଅଭିମୁଖେ ଅପରେସନରେ ବାହାରିଥିଲା। ଏହି ସମୟରେ ସିଆର୍‌ପିଏଫ୍‌ ଟିମ୍‌ ସହିତ ନକ୍ସଲମାନଙ୍କ ଗୁଳି ବିନିମୟ ହୋଇଥିଲା। ନକ୍ସଲ ଗୁଳିରେ ସବ୍‌-ଇନ୍ସପେକ୍ଟର ସୁଧାକର ରେଡ୍ଡୀ ସହିଦ ହୋଇଛନ୍ତି। ଆହତ ଯବାନଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ଏୟାରଲିଫ୍ଟ କରାଯାଇଛି।

ସେପଟେ ଟିମ୍‌ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରି ୪ ସନ୍ଦିଗ୍ଧଙ୍କୁ କବ୍‌ଜା କରିଛି। ଏହାସହିତ ସିଆର୍‌ପିଏଫ୍‌, କୋବ୍ରା ଏବଂ ଜିଲ୍ଲା ଫୋର୍ସ ଦ୍ୱାରା ଘନ ଘନ ଯାଞ୍ଚ ମଧ୍ୟ କରାଯାଉଛି। ଏହା ପୂର୍ବରୁ ଡିସେମ୍ବର ୧୩ରେ ସିଏମ୍‌ଙ୍କ ଶପଥ ଗ୍ରହଣ ପୂର୍ବରୁ ନାରାୟଣପୁରରେ ନକ୍ସଲ ଆକ୍ରମଣ ହୋଇଥିଲା। ଏଥିରେ ନକ୍ସଲମାନେ ଆମ୍‌ଦଇ ଖଣିରେ ଆଇଇଡି ବିସ୍ଫୋରଣ କରିଥିଲେ। ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗମ୍ଭୀର ଆହତ ହୋଇଥିଲେ। ଡିସେମ୍ବର ୧୧ରେ ମଧ୍ୟ ନକ୍ସଲମାନେ ସୁକ୍‌ମା ଜିଲ୍ଲାରେ ଆଇଇଡି ବ୍ଲାଷ୍ଟ୍‍ କରିଥିଲେ।