୨୫ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟାର ରାମ ମନ୍ଦିର

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରେ ଗତକାଲି ପ୍ରଥମ ଥର ପାଇଁ ପାଳନ ହୋଇଛି ଦୀପୋତ୍ସବ

୨୫ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟାର ରାମ ମନ୍ଦିର

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରେ ଗତକାଲି ପ୍ରଥମ ଥର ପାଇଁ ପାଳନ ହୋଇଛି ଦୀପୋତ୍ସବ। ୨୫ ଲକ୍ଷ ଦୀପରେ ଝଲସିଛି ପୂରା ଅଯୋଧ୍ୟା । ଏକକାଳୀନ ୨୫ଲକ୍ଷ ଦୀପ ଜାଳି ବିଶ୍ୱ ରେକର୍ଡ।

ତେବେ ବାସ୍ତବରେ ଆୟୋଜକମାନେ ୨୫ ଲକ୍ଷ ଦୀପ ଜାଳିବାକୁ ଯୋଜନା କରିଥିଲେ। କିନ୍ତୁ ସରଜୁ ନଦୀ କୂଳରେ ଅତିରିକ୍ତ ୩ ଲକ୍ଷ ଦୀପ ଲୋକମାନେ ଜାଳି ପୂରା ପରିବେଶକୁ ଆହୁରି ଭବ୍ୟ କରିଛନ୍ତି।

ଦୀପ ଜଳିବା ପରେ ପୂରା ପରିବେଶ ସୁବର୍ଣ୍ଣ ରଙ୍ଗରେ ରଙ୍ଗାୟିତ ହେଲା ଭଳି ଦେଖାଯାଇଥିଲା। ଏପରି ଦୀପୋତ୍ସବ ଅଯୋଧ୍ୟା ଭଳି ପବିତ୍ର ସହରର ଧାର୍ମିକ,ପାରମ୍ପରିକ ଓ ସାଂସ୍କୃତିକ ବାତାବରଣକୁ ଦ୍ୱିଗୁଣିତ କରିଛି। ଦୀପୋତ୍ସବ ବେଳେ ମିଆଁମାର, ନେପାଳ, ଥାଇଲ୍ୟାଣ୍ଡ, ମାଲେସିୟା, କାମ୍ବୋଡିଆ ଓ ଇଣ୍ଡୋନେସିଆର କଳାକାରମାନେ ଆଧ୍ୟାତ୍ମିକ କଳା ପ୍ରଦର୍ଶନ କରିଥିଲେ।

ଏହା ବ୍ୟତୀତ ଉତ୍ତରାଖଣ୍ଡରୁ ଆସିଥିବା କଳାକାରମାନେ ରାମଲୀଳା ପ୍ରଦର୍ଶନ କରି ପରିବେଶରେ ଚାରଚାନ୍ଦ ଲଗାଇଥିଲେ। ଅତିରିକ୍ତ ଭାବେ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ମଧ୍ୟ ଭକ୍ତିରସାତ୍ମକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି। ଏହାପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆରତି କରି ଦୀପୋତ୍ସବର ଶୁଭାରମ୍ଭ କରିଥିଲେ। ରାମାୟଣର କଳାକାରମାନେ ବସିଥିବା ରଥକୁ ମଧ୍ୟ ସେ ଟାଣିଥିଲେ। ତେବେ ଚଳିତ ବର୍ଷର ଦୀପୋତ୍ସବ ପାଇଁ ସାକେତ ମହାବିଦ୍ୟାଳୟ ପକ୍ଷରୁ ୧୮ଟି ଚିତାକର୍ଷକ ପ୍ରଜ୍ଞାପନ ମେଢ଼ ତିଆରି କରାଯାଇଥିଲା। ଏହାବାଦ ସୂଚନା ବିଭାଗ ପକ୍ଷରୁ ୧୧ଟି ଓ ପର୍ଯ୍ୟଟନ ବିଭାଗ ଆଉ ୭ଟି ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରିଥିଲେ। ସେହିପରି ପର୍ଯ୍ୟଟନ ବିଭାଗର ପ୍ରଜ୍ଞାପନ ମେଢ଼ରେ ଆଦି କାଣ୍ଡ,ଅଯୋଧ୍ୟା କାଣ୍ଡ, ଅରଣ୍ୟ କାଣ୍ଡ, କିଷ୍କିନ୍ଧ୍ୟା କାଣ୍ଡ, ସୁନ୍ଦରା କାଣ୍ଡ, ଲଙ୍କା କାଣ୍ଡ ଓ ଉତ୍ତରା କାଣ୍ଡର ଝଲକ ଦେଖିବାକୁ ମିଳିଥିଲା। ତୁଳସୀଦାସଙ୍କ ରାମଚରିତମାନସକୁ ଆଧାର କରି ଏଗୁଡ଼ିକୁ ପ୍ରସ୍ତୁତ କରାଯାଇଥିଲା। ସେପଟେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମଥର ପାଇଁ ଦୀପୋତ୍ସବ ଆୟୋଜନ ହୋଇଛି। ଏହାକୁ ଅତ୍ୟନ୍ତ ଭବ୍ୟ କରିବା ପାଇଁ ସବୁ ସ୍ତରରେ ଯୋଜନା ହୋଇଥିଲା ବୋଲି କହିଛନ୍ତି ଉତ୍ତର ପ୍ରଦେଶର ମନ୍ତ୍ରୀ ଜୟବୀର ସିଂହ।