ପୁରୀ ରାଜଭବନରେ ଘଟିଛି ଅଭାବନୀୟ କାଣ୍ଡ
ବାହୁଡା ଯାତ୍ରା ସମୟରେ ପୁରୀ ରାଜଭବନରେ ଘଟିଛି ଅଭାବନୀୟ କାଣ୍ଡ।

ବାହୁଡା ଯାତ୍ରା ସମୟରେ ପୁରୀ ରାଜଭବନରେ ଘଟିଛି ଅଭାବନୀୟ କାଣ୍ଡ। ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ଅଭିଯୋଗ ଆଣିଛନ୍ତି ସଚିବାଳୟରେ କାର୍ଯ୍ୟରତ ଏଏସ୍ଓ ବୈକୁଣ୍ଠନାଥ ପ୍ରଧାନ। ଲଳିତ ଓ ତାଙ୍କର କିଛି ସହଯୋଗୀ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ସେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଏହି ମାମଲାରେ ଯଦି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ,ତେବେ ସେ ଥାନାରେ ଅଭିଯୋଗ କରିବେ ବୋଲି ବୈକୁଣ୍ଠନାଥ ଉଲ୍ଲେଖ କରିଛନ୍ତି।
ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ମିଶ୍ରଙ୍କୁ ଦେଇଥିବା ଅଭିଯୋଗରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ରାଷ୍ଟ୍ରପତିଙ୍କ ଦୁଇଦିନିଆ ପୁରୀ ଗସ୍ତ (ଜୁଲାଇ ୭ ଓ ୮) ପାଇଁ ତାଙ୍କର ପୁରୀ ରାଜଭବନ ଇନଚାର୍ଜ ଡ୍ୟୁଟି ପଡି ଥିଲା। ସେ ଗତ ୫ ତାରିଖରୁ ପୁରୀରେ ଥିଲେ। ୭ ତାରିଖ ରାତି ପ୍ରାୟ ୧୧ଟା ୪୫ରେ ବୈକୁଣ୍ଠନାଥ ରାଜଭବନ ଅଫିସ ରୁମରେ ବସି ଥିଲେ। ଏହି ସମୟରେ ରାଜ୍ୟପାଳଙ୍କ ରୋଷେୟା ଆକାଶ ସିଂ ତାଙ୍କ ପାଖକୁ ଆସି ଲଳିତ କୁମାର ଡାକୁଥିବା କହିଥିଲେ। ଏହା ଶୁଣି ବୈକୁଣ୍ଠନାଥ ତୁରନ୍ତ ଲଳିତଙ୍କ ପାଖକୁ ଯାଇଥିଲେ। ବୈକୁଣ୍ଠନାଥଙ୍କୁ ଦେଖୁଦେଖୁ ଲଳିତ ରାଗି ଯାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାର ପ୍ରତିବାଦ କରିଥିଲେ ବୈକୁଣ୍ଠନାଥ। ଏତିକିରେ ରାଗି ଯାଇଥିଲେ ରାଜ୍ୟପାଳଙ୍କ ପୁଅ । ସେ ବୈକୁଣ୍ଠନାଥଙ୍କୁ ଚାପୁଡ଼ା ମାରିଥିଲେ ।
ଚାପୁଡା ଖାଇବା ପରେ ସେଅସହାୟ ମଣି ଉକ୍ତ ରୁମରୁ ଦୌଡ଼ି ଆସି ଆନେକ୍ସ ବିଲ୍ଡିଂରେ ଲୁଚି ଯାଇଥିଲେ। ହେଲେ ଲଳିତଙ୍କର ଦୁଇଜଣ ପିଏସ୍ଓ ତାଙ୍କୁ ଖୋଜି ପୁଣି ଥରେ ଟେକି ନେଇ ଯାଇଥିଲେ। ଆଉ ସେଠାରେ ବୈକୁଣ୍ଠନାଥଙ୍କୁ ନିସ୍ତୁକ ପିଟିଥିଲେ। ଏମିତିକି ତାଙ୍କୁ ହତ୍ୟା ପାଇଁ ଧମକ ଦେଇଥିଲେ । ରାଜ୍ୟପାଳଙ୍କ ପୁଅଙ୍କ ସମେତ ୬ ଜଣ ମିଶି ଆକ୍ରମଣ କରିଥିଲେ ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।
ଘଟଣା ବିଷୟରେ ବୈକୁଣ୍ଠନାଥ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଗତ ୮ତାରିଖରେ ଜଣାଇଥିଲେ। ମାତ୍ର ଘଟଣା ସଂପର୍କରେ ଜାଣିବା ପରେ ବି ଚୁପ୍ ରହିଥିଲେ ଶ୍ରୀ ମିଶ୍ର।
୧୦ ତାରିଖରେ ପୁଣିଥରେ ବୈକୁଣ୍ଠନାଥ ମାଡ଼ ବିଷୟରେ ସଚିବ ଶ୍ରୀ ମିଶ୍ରଙ୍କୁ ଲିଖିତ ଜଣାଇଥିଲେ। ତେବେ ଏନେଇ ରାଜ୍ୟପାଳଙ୍କ ଅଫିସ୍ରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ଏଥିରେ କେତେ ସତ୍ୟତା ରହିଛି ତଦନ୍ତ ହେଲେ ଜଣାପଡ଼ିବ।