ଆସୁଛି ଲଘୁଚାପ, ହୋଇପାରେ ବାତ୍ୟା
ମେ ମାସ ଦ୍ୱିତୀୟ ସପ୍ତାହରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ମେ ମାସ ଦ୍ୱିତୀୟ ସପ୍ତାହରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମେ ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। କିନ୍ତୁ ବର୍ତ୍ତମାନର ଆକଳନ ଅନୁସାରେ ଏହା ଓଡ଼ିଶା ଉପରେ ପ୍ରଭାବ ପକାଇବନି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ସେ କହିଛନ୍ତି, ମେ ମାସରେ ଏଥର ତାପମାତ୍ରା ଅଧିକ ହୋଇପାରେ। ତେବେ ମେ ଦ୍ୱିତୀୟ ସପ୍ତାହରେ ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। କେବଳ ଅବପାତ ସୃଷ୍ଟି ହେବା ନେଇ ଆକଳନ କରାଯାଉଛି। ବାତ୍ୟା ହେବ କି ନାହିଁ ସ୍ପଷ୍ଟ ହୋଇନି। ଯଦି ବାତ୍ୟା ହେବ ଓଡ଼ିଶା ଉପରେ ପ୍ରଭାବ ରହିବ ନାହିଁ। ଗତ କିଛି ବର୍ଷ ହେବ ଲଗାତାର ମେ ମାସରେ ଲଘୁଚାପ ଆସୁଥିବାରୁ ପାଣିପାଗ ବିଭାଗର ଆକଳନ ଏବେ ଚିନ୍ତାର କାରଣ ହୋଇଛି। ତେବେ ଯଦି ମେ ମାସରେ କୌଣସି ବାତ୍ୟା ଆସେ, ତାର କେମିତି ମୁକାବିଲା କରାଯିବ ସେଥିପାଇଁ ରାଜ୍ୟ ସରକାର ନିକଟରେ ଏକ ପ୍ରସ୍ତୁତି ବୈଠକ କରିଥିଲେ। ଯଦି ବାତ୍ୟା ଆସେ ତାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।