ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି

ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟ ଅଗ୍ରଗତି ସଂପର୍କିତ ସମୀକ୍ଷା ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଯୋଗ ଦେଇଥିଲେ।

ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ସଚିବମାନେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ବିଭାଗର ପ୍ରମୁଖ କାର୍ଯ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ।

ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ କହିଥିଲେ ଯେ, ଅଗଷ୍ଟ ମାସରେ ରାଜ୍ୟର ସମସ୍ତ ୪୩୭୩ଟି ଅଣବ୍ୟାଙ୍କିଂ ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ୍ ବ୍ୟାଙ୍କିଂ ଆଉଟଲେଟ୍ ଜରିଆରେ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ସମନ୍ୱୟ ରକ୍ଷା କରି ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। 

ଘରୋଇ କ୍ଷେତ୍ରର ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ପ୍ରକଳ୍ପଗୁଡ଼ିକୁ ତ୍ୱରିତ ମଞ୍ଜୁରୀ ଦେବା ପାଇଁ ଓଡ଼ିଶା ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ପଲିସି -୨୦୨୩ ପ୍ରଣୟନ କରାଯାଇଛି। ମିଶନ ଶକ୍ତି ସ୍କୁଟର ଯୋଜନା ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଲାଭ କରିଛି। କ୍ୟୁଆର୍ କୋଡ୍ ସହ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମିର ନବୀକରଣ ଓ୍ୱେବ୍‌ସାଇଟ୍ ଉନ୍ମୋଚନ କରାଯାଇଛି ଆଧାରିତ ଅଡିଓ ଗାଇଡେଡ୍ ଟୁର୍ ସୁବିଧା କରାଯାଇଛି। 

ଶକ୍ତି ଓ ଶିକ୍ଷା ଆଦି ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇଛି। ସେହିପରି ଶିଳ୍ପ କ୍ଷେତ୍ରରେ ପ୍ରମୁଖ ଶିଳ୍ପକୁ ସିଙ୍ଗଲ ଓ୍ୱିଣ୍ଟୋ କ୍ଲିୟରାନ୍ସ କମିଟି ତରଫରୁ ଅନୁମୋଦନ ଦିଆଯାଇଛି। ଦକ୍ଷତା ବିକାଶ ଓ ବିଭିନ୍ନ କ୍ଷେତ୍ରରେ ରାଜିନାମା ସ୍ୱାକ୍ଷରିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା -୨.୦ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି। ସେହିପରି ଅନ୍ୟ ବିଭିନ୍ନ ବିଭାଗ ଦ୍ୱାରା ପ୍ରଦତ୍ତ ସଫଳତା ସଂପର୍କରେ ସେ ଉପସ୍ଥାପନ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଏହି ସଫଳତାର ଧାରାକୁ ଆହୁରି ଅଧିକ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। 

ବୈଠକରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର କାର୍ଯ୍ୟ ସଂପର୍କରେ ସମୀକ୍ଷା ସହ ଡିଏମ୍ଏଫ ଏବଂ ଓମ୍ବାଡିସି ପାଣ୍ଠି ଉପଯୋଗରେ ସମ୍ପୃକ୍ତ ଅଂଚଳରେ ଭିତ୍ତିଭୂମିର ବିକାଶ, ଉନ୍ନତ ରାସ୍ତା ନିର୍ମାଣ ସାଙ୍ଗକୁ ଅଧିକରୁ ଅଧିକ ଜୀବିକା ନିର୍ବାହ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।     

 

ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଭଲ ରହିଥିବା ବେଳେ ବିବରଣୀ ପ୍ରାପ୍ତ ଅନୁସାରେ ଭିତ୍ତିଭୂମି ଉନ୍ନୟନ କ୍ଷେତ୍ର, ଶକ୍ତି, ମିଶନ ଶକ୍ତି, ବିଜ୍ଞାନ ଓ ବୈଷୟିକ ବିଦ୍ୟା, ଶିଳ୍ପ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଆଦି ଉନ୍ନତି ପ୍ରଦର୍ଶନ କରିଛନ୍ତି। ଅବସରଗ୍ରହଣ କରୁଥିବା କର୍ମଚାରୀମାନଙ୍କର ପେନସନ ପ୍ରଦାନ ପ୍ରକ୍ରିୟା ଅଧିକ ବ୍ୟବସ୍ଥିତ ଓ ତ୍ୱରାନ୍ୱିତ ହେବା ଫଳରେ ମାମଲା ସଂଖ୍ୟା ମାତ୍ରା ପୂର୍ବାପେକ୍ଷା ହ୍ରାସ ପାଉଥିବା ସଂପର୍କରେ ସୂଚିତ କରାଯାଇଥିଲା। 

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ୫ ବର୍ଷରେ ୧୫ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରିବା ବିଭାଗର ଲକ୍ଷ୍ୟ ରହିଛି। ଅନ୍ୟ ବିଭିନ୍ନ ବିଭାଗ ତରଫରୁ ଆଗାମୀ ୪ ବର୍ଷରେ ୪୫ ଲକ୍ଷରୁ ଊର୍ଦ୍ଧ୍ୱ ଯୁବକଯୁବତୀଙ୍କୁ ଦକ୍ଷ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ, ଆଗାମୀ ଦିନରେ ବିଭିନ୍ନ ବିଭାଗ ତରଫରୁ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପର ଉଦ୍‌ଘାଟନ, ଚଳିତ ଆର୍ଥିକ ବର୍ଷରେ ଆଗାମୀ ୬ ମାସ ପାଇଁ ସମସ୍ତ ବିଭାଗର କାର୍ଯ୍ୟ ଯୋଜନା କିପରି ରହିବ, ସେ ସଂପର୍କରେ ଆଲୋଚନା କରାଯାଇଥିଲା।