ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ ପଛରେ 'ଦିବ୍ୟପୁତ୍ରୀ'

ସୋମବାର ଭାରତ ଅନେକ ଯୁଦ୍ଧାସ୍ତ୍ରଯୁକ୍ତ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିସାରିଛି । ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ 'ମିଶନ ଦିବ୍ୟାସ୍ତ୍ର' ବୋଲି ମଧ୍ୟ ଘୋଷଣା କରି ସାରିଛନ୍ତି । ତେବେ ଗତ ୧୯୯୯ରୁ ଅଗ୍ନି କ୍ଷେପଣାସ୍ତ୍ର ଉପରେ କାର୍ଯ୍ୟ କରୁଥିବା ହାଇଦ୍ରାବାଦର ମହିଳା ବୈଜ୍ଞାନିକ ଶିନା ରାଣୀ ଏହି ପ୍ରୋଜେକ୍ଟର ନେତୃତ୍ୱ ନେଇଥିଲେ ।
ଏକାଧିକ ସ୍ୱାଧୀନ ଟାର୍ଗେଟ୍ ଯୋଗ୍ୟ ରି-ଏଣ୍ଟ୍ରି (MIRV) ଟେକ୍ନୋଲୋଜି ଯୁକ୍ତ ଅଗ୍ନି-୫ କ୍ଷେପଣାସ୍ତ୍ରକୁ ଶିନା ରାଣୀଙ୍କର ପଚିଶ ବର୍ଷର ଗୌରବମୟ ଉପଲବ୍ଧି ବୋଲି କୁହାଯାଉଛି । ପ୍ରତିରକ୍ଷା ଅନୁସନ୍ଧାନ ଏଜେନ୍ସିର ଦିବ୍ୟ ପୁତ୍ରୀ ଭାବେ ତାଙ୍କୁ ବର୍ତ୍ତମାନ ସମ୍ବୋଧନ କରାଯାଉଛି ।
ଏନେଇ ସିନା ରାଣୀ କହିଛନ୍ତି DRDO ର ଜଣେ ସଦସ୍ୟ ଭାବେ ମୁଁ ଗର୍ବିତ । ଦେଶ ପାଇଁ କାମ କରିବା ମୋର ପରମ ସୌଭାଗ୍ୟ । ସେ ଭାରତର କିମ୍ବଦନ୍ତୀ ମିସାଇଲ ପୁତ୍ରୀ ଟେସି ଥୋମାସଙ୍କର ପଥ ଅନୁକରଣ କରିଛନ୍ତି । ଟେସି ଥୋମାସ ବିଗତଦିନରେ କ୍ଷେପଣାସ୍ତ୍ର ପରୀକ୍ଷଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ତେବେ ତାଙ୍କ କ୍ୟାରିୟର ଗଢ଼ିବାରେ ସାହାଯ୍ୟ କରିଥିବା ଅନ୍ୟ ଜଣେ ବ୍ୟକ୍ତି ହେଉଛନ୍ତି ମିସାଇଲ୍ ଟେକ୍ନୋଲୋଜିଷ୍ଟ ଡାକ୍ତର ଅବିନାଶ ଚାଣ୍ଡର । ସେ ମଧ୍ୟ ବିଗତ ଦିନରେ DRDO ର ନେତୃତ୍ୱ ନେଇଥିଲେ । ରାଣୀଙ୍କର ସ୍ୱାମୀ ପି.ଏସ.ଆର୍.ଏସ ଶାସ୍ତ୍ରୀ ମଧ୍ୟ DRDO ପାଇଁ କାର୍ଯ୍ୟ କରିଛନ୍ତି ।
DRDO ଦ୍ୱାରା ବିକଶିତ ଅଗ୍ନି-୫ ମିସାଇଲ MIRV ଟେକ୍ନୋଲୋଜିସମ୍ପନ୍ନ । ଅର୍ଥାତ୍ ଏହା ଏକାଧିକ ଯୁଦ୍ଧାସ୍ତ୍ର ବହନ କରିପାରିବ ଏବଂ ବିଭିନ୍ନ ସ୍ଥାନକୁ ଟାର୍ଗେଟ ମଧ୍ୟ କରି ପାରିବ । ଆଣ୍ଟି ବାଲିଷ୍ଟିକ ମିସାଇଲ ସିଷ୍ଟମରୁ ମଧ୍ୟ ଏହା ନିଜକୁ ସୁରକ୍ଷା ପ୍ରଦାନ କରିପାରିବ । ଏହି କ୍ଷମତାସମ୍ପନ୍ନ ମିସାଇଲ ନିର୍ମାଣରେ ବିଶ୍ୱରେ ଷଷ୍ଠ ଦେଶ ହୋଇଛି ଭାରତ । ପୂର୍ବରୁ ଆମେରିକା, ଚୀନ, ଋଷ, ଫ୍ରାନ୍ସ, ବ୍ରିଟେନ ପାଖରେ ଏହି କ୍ଷମତା ଥିଲା । ଅନ୍ୟପଟେ DRDOର ବୈଜ୍ଞାନିକମାନଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।