ସୁରଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଟିକେଟ୍ ଦେବାର ୫ ବଡ ଫର୍ମୁଲା

ବିଜେଡିର ମନ୍ମଥ ଷ୍ଟ୍ରାଟେଜୀ। କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ବିଜେଡିରେ ଯୋଗଦେବାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଭୁବନେଶ୍ବର ଲୋକସଭା ଆସନରେ ପ୍ରାର୍ଥୀ କରିଛି ବିଜେଡି। ରାଜ୍ୟର ସବୁଠୁ ହାଇପ୍ରୋଫାଇଲ ସିଟ୍ କୁହାଯାଉଥିବା ଭୁବନେଶ୍ବର ସିଟ୍ ପାଇଁ ବିଜେଡିର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି।
ତେବେ ମନ୍ମଥଙ୍କୁ ବିଜେଡି ବାଛିବାର ୫ ପ୍ରମୁଖ କାରଣ କଣ ହୋଇଥାଇପାରେ, ଦେଖିବା ରିପୋର୍ଟ ।
କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟଙ୍କ ପୁଅ ହେଉଛନ୍ତି ମନ୍ମଥ ରାଉତରାୟ । କଂଗ୍ରେସ ପରିବାରରେ ଜନ୍ମ ହୋଇ ରାଜନୀତିକୁ ପାଖରୁ ଦେଖିଥିବା ମନ୍ମଥ ଏବେ ବିଜେଡି କ୍ୟାମ୍ପରେ ସାମିଲ ହୋଇ ଶଙ୍ଖ ଫୁଙ୍କିଛନ୍ତି । କୁହାଯାଉଛି ବିଜେଡି ପାଇଁ ମନ୍ମଥ ହେବେ ଏକ ବଡ଼ ଆସେଟ୍ । ମନ୍ମଥଙ୍କୁ ପ୍ରାର୍ଥୀ କରି ପପୁଲାର ଲିଡର ଅପରାଜିତା ଷଡ଼ଙ୍ଗୀଙ୍କୁ କାଉଣ୍ଟର କରିବା ପାଇଁ ନୂଆ ରଣନୀତି କରିଛି ବିଜେଡି ।
ରାଜ୍ୟର ସବୁଠୁ ପଲିଟିକାଲ ହଟ୍ସ୍ପଟ ଭୁବନେଶ୍ବର ଲୋକସଭା ଆସନ । ଆସନ୍ତା ନିର୍ବାଚନରେ ପାଇଲଟ ବନାମ ପୂର୍ବତନ ଆଇଏଏସ୍ଙ୍କ ମଧ୍ୟରେ ହେବ ବଡ଼ ଲଢ଼େଇ । ୨୦୧୯ରେ ଭୁବନେଶ୍ବର ଲୋକସଭା ଆସନରେ ହାରିଥିବା ବିଜେଡି ଏଥର ପ୍ରାର୍ଥୀ କରିଛି ମନ୍ମଥ ରାଉତରାୟଙ୍କୁ । ବିଜେଡିର ଏହି ପ୍ରାର୍ଥୀ ଘୋଷଣାରେ ଡାର୍କ ହର୍ସ ଭାବେ ଉଭା ହୋଇଛନ୍ତି ମନ୍ମଥ । ଆଉ କୁହାଯାଉଛି ଭୁବନେଶ୍ବର ଆସନର ରାଜନୈତିକ ଗଣିତକୁ ଓଲଟପାଲଟ କରିବେ ମନ୍ମଥ । ଏବେ ପ୍ରଶ୍ନ ହେଉଛି, ମନ୍ମଥଙ୍କୁ ଲୋକସଭା ପ୍ରାର୍ଥୀ ଭାବେ କାହିଁକି ବାଛିଲା ବିଜେଡି ? ବିଜେଡିର ଏଭଳି ନିଷ୍ପତ୍ତି ଏବେକାର ନାଁ ବହୁ ଦିନର ମାନସମନ୍ଥନ ପରେ ମନ୍ମଥଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଦଳୀୟ ସଂଗଠନ, ପ୍ରାର୍ଥୀଙ୍କ ଲୋକପ୍ରିୟତା ନା ଇଲେକ୍ସନ ଇଞ୍ଜିନୟରିଂର ବଡ଼ ଫ୍ୟାକ୍ଟର ମନ୍ମଥ ହୋଇଥାଇପାନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ଏବେ ନଜର ପକାନ୍ତୁ ମନ୍ମଥଙ୍କୁ ବିଜେଡି ବାଛିବାର ୫ ଫର୍ମୁଲା ଉପରେ ।
ଫର୍ମୁଲା ନଂ.୧: ମନ୍ମଥ ହେଉଛନ୍ତି କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟଙ୍କ ସାନ ପୁଅ । ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ବର ଲୋକସଭା ଅଧୀନରେ ଥିବା କିଛି ନିର୍ବାଚନମଣ୍ଡଳୀରେ ସୁରଙ୍କ ଦବ୍ଦବା ରହିଛି । ବାପାଙ୍କ ପରିଚୟ ପୁଅ ମନ୍ମଥ ପାଇଁ ସହାୟକ ହେବା ଲକ୍ଷ୍ୟରେ ବିଡେଜି ମନ୍ମଥଙ୍କୁ ପ୍ରାର୍ଥୀ କରିଥାଇପାରେ ।
ଫର୍ମୁଲା ନଂ ୨: ୨୦୧୯ ରେ ଭୁବନେଶ୍ବର ଲୋକସଭା ଆସନରେ ପ୍ରାର୍ଥୀ ଦେଇନଥିଲା କଂଗ୍ରେସ । ସେତେବେଳେ କଂଗ୍ରେସର ଭୋଟ୍ ବିଜେପି ଖାତାକୁ ଯାଇଥିବାରୁ ବିଜେଡି ନିର୍ବାଚନରେ ହାରିଥିଲା । ଏହି ଷ୍ଟ୍ରାଟେଜିକୁ ନିଜ ପାଖରେ ରଖି କଂଗ୍ରେସ ଭୋଟ୍ ହାତେଇବା ପାଇଁ ବିଜେଡି ମନ୍ମଥଙ୍କୁ ବାଛି ଥାଇପାରେ ।
ଫର୍ମୁଲା ନଂ ୩: ଖୋର୍ଦ୍ଧା ହେଉଛି ପାଇକ ଗଡ଼, ଓଡ଼ିଆଙ୍କ ଅସ୍ମିତା ଓ ବୀରତ୍ବର ପରିଚୟକୁ ପାଖରେ ରଖିବାକୁ ପାଇକ ପୁଅ ମନ୍ମଥଙ୍କୁ ବିଜେଡି ବାଛି ଥାଇପାରେ ।
ଫର୍ମୁଲା ନଂ ୪: ରାଜନୀତି ମଇଦାନରେ ନୂଆ ହୋଇଥାଇ ପାରନ୍ତି ମନ୍ମଥ ହେଲେ ବାପା ସୁର ରାଉତରାୟଙ୍କ ପୁଅ ଭାବେ ସେ ଅନେକ ନିର୍ବାଚନରେ ବାପାଙ୍କ ପାଖେ ପାଖେ ରହି କାମ କରିଛନ୍ତି । ଇଲେକ୍ସନ ଇଞ୍ଜିନିୟରିଂର ରଣନୀତି ଜାଣିଥିବା ମନ୍ମଥଙ୍କୁ ପ୍ରାର୍ଥୀ କରି ଭୁବନେଶ୍ବର ଲୋକସଭା ସିଟ୍ ହାତେଇବାକୁ ଯୋଜନା କରୁଥାଇପାରେ ବିଜେଡି୍ ।
ଫର୍ମୁଲା ନଂ ୫: ମନ୍ମଥ ହେଉଛନ୍ତି ଯୁବକ, ଉଚ୍ଚଶିକ୍ଷିତ ଏବଂ ଜଣେ ପାଇଲଟ୍ । ରାଜନୀତିରେ ଯୁବ ପିଢ଼ିଙ୍କୁ ସୁଯୋଗ ଦେଇ ଯୁବ ଭୋଟ୍ ହାତେଇବାକୁ ମନ୍ମଥଙ୍କୁ ବିଜେଡି ବାଛିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଏପଟେ ଭୁବନେଶ୍ବର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ମନ୍ମଥ ସମେତ ଦଳୀୟ ନେତା ବି ଏଥର ଜିତିବା ନେଇ ଆଶାବାଦୀ ଅଛନ୍ତି ।