ଇଲେକ୍ଟ୍ରିକ୍ ଯାନ ଉପରେ ସବସିଡି ବୃଦ୍ଧିକଲେ ରାଜ୍ୟ ସରକାର

ଇଲେକ୍ଟ୍ରିକ୍ ଭେଇକିଲ୍ ବା ବ୍ୟାଟେରି ଚାଳିତ ଯାନ (ଇଭି) ବିକ୍ରି ବୃଦ୍ଧି ପାଇଁ ଏହା ଉପରେ ସବସିଡି ବଢ଼ାଇଛନ୍ତି ରାଜ୍ୟ ସରକାର ।

ଇଲେକ୍ଟ୍ରିକ୍ ଯାନ ଉପରେ ସବସିଡି ବୃଦ୍ଧିକଲେ ରାଜ୍ୟ ସରକାର
ଭୁବନେଶ୍ୱର,୨୬/୪ : ଇଲେକ୍ଟ୍ରିକ୍ ଭେଇକିଲ୍ ବା ବ୍ୟାଟେରି ଚାଳିତ ଯାନ (ଇଭି) ବିକ୍ରି ବୃଦ୍ଧି ପାଇଁ ଏହା ଉପରେ ସବସିଡି ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୂର୍ବାପେକ୍ଷା ଇଭି ଗାଡ଼ି କିଣୁଥିବା ଲୋକେ ଏବେ ଅଧିକ ଟଙ୍କା ସବସିଡି ଆକାରରେ ପାଇବେ ।

ଦୁଇ ଚକିଆ ଗାଡ଼ି କିଣୁଥିଲେ ପ୍ରତି ୧ କିଲୋୱାଟ୍ ବ୍ୟାଟେରି ପିଛା ୫ ହଜାର ଟଙ୍କା ହିସାବରେ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳିବ । ସେହିଭଳି ତିନିଚକିଆ ଯାନ ଅର୍ଥାତ୍ ଅଟୋ ରିକ୍ସା କ୍ଷେତ୍ରରେ ସର୍ବାଧିକ ୩୦ ହଜାର ଟଙ୍କା ଏବଂ ୪ ଚକିଆ କ୍ଷେତ୍ରରେ ୧ କିଲୋୱାଟ୍ ବ୍ୟାଟେରି ପିଛା ୧୦ ହଜାର ଟଙ୍କା ହିସାବରେ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ସବସିଡି ଦେବେ ରାଜ୍ୟ ସରକାର ।

ପୂର୍ବରୁ ରାଜ୍ୟ ସରକାର ଇଲେକ୍ଟ୍ରିକ୍ ଭେଇକିଲ୍ ମୂଲ୍ୟରେ ୧୫ ପ୍ରତିଶତ ସବସିଡି ଦେଉଥିଲେ । ୨ ଚକିଆ କ୍ଷେତ୍ରରେ ସର୍ବାଧିକ ୫ ହଜାର ଟଙ୍କା, ୩ ଚକିଆ କ୍ଷେତ୍ରରେ ୧୦ ହଜାର ଟଙ୍କା ଏବଂ ୪ ଚକିଆ କ୍ଷେତ୍ରରେ ସର୍ବାଧିକ ୫୦ ହଜାର ଟଙ୍କା ସବସିଡି ଦେଉଥିଲେ ରାଜ୍ୟ ସରକାର । ତଥାପି ଆଶାନୁରୂପ ଇଭି ବିକ୍ରି ନ ହେବାରୁ ସରକାର ସବସିଡି ରାଶି ବୃଦ୍ଧି କରିଛନ୍ତି ।