ପାରାଦୀପ ରିଫାଇନରୀରେ ଇଣ୍ଡିଆନ୍ ଅଏଲ୍ ଦିବସ -2024 ପାଳିତ
ପାରାଦୀପ ରିଫାଇନରୀରେ ୬୫ ତମ ଇଣ୍ଡିଆନ୍ ଅଏଲ୍ ଦିବସକୁ ଅତି ଉତ୍ସାହ ଏବଂ ଆନନ୍ଦ ସହିତ ପାଳନ

ପାରାଦୀପ ରିଫାଇନରୀରେ ୬୫ ତମ ଇଣ୍ଡିଆନ୍ ଅଏଲ୍ ଦିବସକୁ ଅତି ଉତ୍ସାହ ଏବଂ ଆନନ୍ଦ ସହିତ ପାଳନ କରାଯାଇଛି । ଅପରାହ୍ନରେ କର୍ମଚାରୀ ମାନଙ୍କର ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା। କର୍ମଚାରୀମାନଙ୍କୁ ସମ୍ବୋଧିତ କରି ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ, ଶ୍ରୀ କୌଶିକ ବସୁ, ଇଣ୍ଡିଆନ୍ ଅଏଲର ଗୌରବମୟ ଯାତ୍ରା ବିଷୟରେ ଅବଗତ କରାଇଥିଲେ । ଶ୍ରୀ ବସୁ କମ୍ପାନୀର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱଙ୍କୁ ପ୍ରଶଂସା ଓ କୃତଜ୍ଞତା ପ୍ରଦାନ କରିବା ସହ ଇଣ୍ଡିଆନ ଅଏଲ୍ କିପରି ଏକ ସାଧାରଣ ଆରମ୍ଭରୁ ଦେଶର ଏକ ବୃହତ୍ ଶକ୍ତି କମ୍ପାନୀରେ ପରିଣତ ହୋଇଛି ସେ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ସେ ପାରାଦୀପ ରିଫାଇନରୀର କର୍ମଚାରୀ ମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ପାଇଁ ସେମାନଙ୍କୁ ବେଶ୍ ପ୍ରଶଂସା କରିଥିଲେ । ଶ୍ରୀ କୌସିକ ବସୁ ସମସ୍ତ କର୍ମଚାରୀଙ୍କୁ ଇଣ୍ଡିଆନ୍ ଅଏଲ୍ ଦିବସର ଶପଥ ପାଠ କରାଇଥିଲେ। ଏହି ଅବସରରେ ପାରାଦୀପ ରିଫାଇନରୀରେ ଏକ ସ୍ୱତନ୍ତ୍ର କେକ୍ କାଟିବା ସମାରୋହର ମଧ୍ୟ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ୟୁନିଟ୍ ସ୍ତରର ସଜେସନ୍ ସ୍କିମ୍ ଏବଂ ପ୍ରଡକ୍ଟସନ୍ ବିଭାଗ ପାଇଁ ଡିଭିଜନ୍ ସ୍ତରୀୟ କାର୍ଯ୍ୟକାରିଣୀ ଗ୍ରୁପ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ସହିତ କଟକ ଜିଲ୍ଲା ରେଡକ୍ରସ୍ ସୋସାଇଟି ସହାୟତାରେ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ପାରାଦୀପ ରିଫାଇନରୀର ଏମ୍ପ୍ଲୋୟୀ କ୍ଲବ୍, ଉତ୍କଳ ଜ୍ୟୋତି ଅଫିସର୍ସ ୱାଇଭ୍ସ କ୍ଲବ୍ ଏବଂ WIPS ସଦସ୍ୟଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ସ୍ଥାନୀୟ ଶିଳ୍ପ, ଡିପିଏସ୍ ପାରାଦୀପ ରିଫାଇନରୀ, ସିଆଇଏସ୍ଏଫ୍, ଆଇଓସିଏଲ୍ VKPRMS ହସ୍ପିଟାଲ୍ ର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ । ଅବସର ପ୍ରାପ୍ତ କର୍ମଚାରୀ, ଦୀର୍ଘକାଳୀନ ସେବା ପୁରସ୍କାର ପ୍ରାପ୍ତ କର୍ମଚାରୀ ଏବଂ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା।