୪ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ
ରତ୍ନଭଣ୍ଡାର ଖୋଲିବା ନେଇ ଜବାବ ରଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ୪ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ

ଭୁବନେଶ୍ୱର : ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଆବେଦନ ଆଧାରରେ ଆଜି ୪ ଜଣଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ | ଏହି ପ୍ରସଙ୍ଗରେ ଜବାବ ରଖିବା ପାଇଁ ପ୍ରତିପକ୍ଷ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକ, ଏଏସ୍ ଆଇ ଡିଜି ଓ ଏଏସ୍ ଆଇ ଅଧୀକ୍ଷକଙ୍କୁ ନୋଟିସ ଦେଇଛନ୍ତି ହାଇକୋର୍ଟ। ଆଜି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଆସନ୍ତା ଅଗଷ୍ଟ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।
ସୂଚନା ଅନୁସାରେ, ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି। ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ପାଇଁ ପିଟିସନ ଦାଖଲ କରିଥିଲେ। ୧୯୭୮ରେ ଯେପରି ଗଣତି ହୋଇଥିଲା ସେପରି କରିବାକୁ ଆବେଦନରେ ଦର୍ଶାଇଥିଲେ। ରାଜ୍ୟପାଳ ବା କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ରତ୍ନ ଅଳଙ୍କାର ଗଣତି ପାଇଁ ଅପିଲ୍ କରିଥିଲେ ସମୀର।
ଏହାସହ ରତ୍ନଭଣ୍ଡାର ଚାବି ହଜାଇଥିବା ତତ୍କାଳୀନ ପୁରୀ ଜିଲ୍ଲାପାଳ କିମ୍ବା ଅଧିକାରୀଙ୍କ ବିରୋଧ ଫୌଜଦାରୀ ମାମଲା ଦାୟାର କରି ସିବିଆଇ ତଦନ୍ତ ପାଇଁ ବିଜେପି ପ୍ରାର୍ଥନା କରିଛି। ଏଥିରେ ମୁଖ୍ୟ ଶାସନ ସଚିବ, ପୁରୀ ଗଜପତି ମହାରାଜା, ଗୃହ ସଚିବ, ପୁରୀ ଶ୍ରୀ ମନ୍ଦିର ମୁଖ୍ୟପ୍ରଶାସକ, ଆଇନ ସଚିବ, ପୁରୀ ଜିଲ୍ଲାପାଳ, ASI, ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।