ଜୁନାଗଡଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର
ଜୁନାଗଡଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ଆଜି ଜୁନାଗଡ ସହର ସ୍ଥିତ ଟାଉନହଲ ଠାରେ ଏକ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମାନ୍ୟବର ବିଧାୟକ ଜୁନାଗଡ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରିଥିଲେ । ଅନ୍ୟତମ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ସବିତା ମେହେର , ଜୁନାଗଡ ଏନ ଏ ସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ , ଭବାନୀପାଟଣା ସମବାୟ ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା , ଶ୍ରମିକ ନେତା ବିରଞ୍ଚି ପଣ୍ଡା , ଆଇନଜୀବୀ ଶିଶିର ପଟ୍ଟନାୟକ , ଡିଭିଜନାଲ ଶ୍ରମ କମିଶନର ନରେନ୍ଦ୍ର ରାଇକା , ଡି.ଆଇ.ପି.ଆର.ଓ. ମନୋଜ ବେହେରା , ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଲ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି କ୍ୟାପଟେନ ମିଶ୍ର ନିଜ ବକ୍ତବ୍ୟରେ ଓଡିଶା ସରକାର ନିର୍ମାଣ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ସହାୟତା ଯୋଜନା ପ୍ରଣୟନ କରିଛନ୍ତି , ଏହାର ସୁଫଳ ପାଇବା ପାଇଁ ନିଜକୁ ନିର୍ମାଣ ଶ୍ରମିକ ରୂପେ ପଞ୍ଜୀକୃତ କରନ୍ତୁ ବୋଲି କହିଥିଲେ । ବକ୍ତାଗଣ ଏହି ସହାୟତା ଯୋଜନା ଯେଭଳି ଗାଁ ଗାଁ ରେ ବିଶେଷ ପ୍ରଚାର ହେବ ଏବଂ ଅଧିକରୁ ଅଧିକ ଶ୍ରମିକ ପୋର୍ଟାଲ ରେ ପଞ୍ଜୀକୃତ କରି ସରକାରଙ୍କ ଏହି ଯୋଜନାରୁ ଆର୍ଥିକ ସହାୟତା ପାଆନ୍ତୁ ବୋଲି ମତ ଦେଇଥିଲେ । ଡି.ଏଲ.ଓ. ଶ୍ରୀ ମଣ୍ଡଲ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଶିକ୍ଷା ସହାୟତା , ମୃତ୍ୟୁକାଳୀନ ସହାୟତା , ଅନ୍ତେଷ୍ଟିକ୍ରିୟା ସହାୟତା , ବିବାହ ସହାୟତା , ପ୍ରସୂତିକାଳୀନ ସହାୟତା ଉପରେ ବିଶେଷ ସୂଚନା ଦେଇଥିଲେ ।
ଆଜି ଶିବିରରେ 76 ଜଣଙ୍କୁ ଶିକ୍ଷା ସହାୟତା ରୂପେ 6,38,400/- ଟଙ୍କା , ବିବାହ ସହାୟତା ରୂପେ 41 ଜଣଙ୍କୁ 20,00,000/- ଟଙ୍କା , ପ୍ରସୂତିକାଳୀନ ସହାୟତା ରୂପେ 5 ଜଣଙ୍କୁ 50,000/- ଟଙ୍କା , ଅନ୍ତେଷ୍ଟିକ୍ରିୟା ସହାୟତା ରୂପେ 30 ଜଣଙ୍କୁ 1,50,000/- ଟଙ୍କା, ମୃତ୍ୟୁକାଳୀନ ସହାୟତା ରୂପେ 36 ଜଣଙ୍କୁ 71,00,000/- ଟଙ୍କା ; ଏଭଳି ମୋଟ 188 ଜଣଙ୍କୁ 99,38,400/- ଟଙ୍କା ସହାୟତା ରାଶି ଡି.ବି.ଟି ମଧ୍ୟମରେ ହିତାଧିକାରୀଙ୍କ ଜମା ଖାତାକୁ ପ୍ରେରଣ କରାଗଲା । ମଞ୍ଚରେ ମୃତ୍ୟୁକାଳୀନ ସହାୟତା ରୂପେ କୁଲିହାରୀ ଗ୍ରାମର ପୁଷ୍ପାଞ୍ଜଳି ଶାହାଣି ଓ ଦେଦର ଗ୍ରାମ ର ଅସମତି ମାଝି ପ୍ରତ୍ଯେକ 2,00,000/- ଟଙ୍କା , ଅନ୍ତେଷ୍ଟିକ୍ରିୟା ସହାୟତା ରୂପେ ବିଳାସିନୀ ମାସାଙ୍କୁ 5,000/- ଟଙ୍କା , ପ୍ରସୂତିକାଳୀନ ସହାୟତା ରୂପେ ବ୍ରାହ୍ମଣିଗୁଡାର ପୋଡା ପାତ୍ର ଓ ପୁଷ୍ପାଞ୍ଜଳି ସାହୁ ପ୍ରତ୍ୟେକ 10,000/- ଟଙ୍କା, ବିବାହ ସହାୟତା ରୂପେ ନୀଳାମ୍ବର ସାହୁ ଓ ରାଜମଣି ସାହୁ ପ୍ରତ୍ୟେକ 50,000/- ଟଙ୍କାର ଡେମୋ ଚେକ ମୁଖ୍ୟ ଅତିଥି ବିତରଣ କରିଥିଲେ ।
ଶିବିରରେ ଗଣମାଧ୍ୟମ ପ୍ରତିନିଧୀ , ଟ୍ରେଡ ୟୁନିୟନ ସଭ୍ୟଙ୍କ ସହ ପ୍ରାୟ 300 ଜଣ ଶ୍ରମିକ ଭାଇ ଭଉଣୀ ଉପସ୍ଥିତ ଥିଲେ ।