ରାଜ୍ୟପାଳ ଗାଦି ଛାଡ଼ିବେ ରଘୁବର

ରଘୁବର କାଳେ ତାଙ୍କର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦେଇଛନ୍ତି ।

ରାଜ୍ୟପାଳ ଗାଦି ଛାଡ଼ିବେ ରଘୁବର

ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ତାଙ୍କ ଗାଦି ଛାଡ଼ିବେ । ଏବେ ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଲଡୁ ଖାଇଥିବା କୁହାଯାଉଛି । ଓଡ଼ିଶାରେ ବିଜେପିକୁ ଆଣିବା ପାଇଁ ଜୀ ଜାନ ପରିଶ୍ରମ କାଳେ ସେ କରିଥିଲେ । ତାହାର ଫଳ ସ୍ୱରୁପ ତାଙ୍କୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଆସନ ମିଳିବାକୁ ଯାଉଥିବା କୁହାଯାଉଛି । ସେଥିପାଇଁ ସେ ଓଡ଼ିଶା ରାଜ୍ୟପାଳ ପଦବୀ ଛାଡ଼ିବେ ।

ମହାରାଷ୍ଟ୍ର ନିର୍ବାଚନ ପରେ ଝାଡ଼ଖଣ୍ଡ ନିର୍ବାଚନ ଘୋଷଣା ହେବା ପୂର୍ବରୁ ରଘୁବର କାଳେ ମଇଦାନରେ ହାଜର ହୋଇଯାଇଥିବେ । ଝାଡ଼ଖଣ୍ଡ ଓ ଦିଲ୍ଲୀ ରାଜନୈତିକ ସୂତ୍ରରୁ ସେପରି କିଛି ସୂଚନା ମିଳିଛି । 

ଝାଡ଼ଖଣ୍ଡ ରାଜନୀତିକୁ ନେଇ ଓଡ଼ିଶାରେ ବି ବଡ଼ କିଛି ହେବାକୁ ଯାଉଛି । ଓଡ଼ିଶା ଶାସନ ମୁଖିଆ ବଦଳିବେ ବୋଲି ଚର୍ଚ୍ଚା ଜୋର ହେଲାଣି । ଝାଡ଼ଖଣ୍ଡ ନିର୍ବାଚନ ଘୋଷଣା ହେବା ମାତ୍ରେ ଏପରି କିଛି ଘଟିପାରେ । ରାଜ୍ୟ ମୁଖିଆ ତଥା ରଜ୍ୟପାଳ ରଘୁବର ଦାସ ରାଜ୍ୟପାଳ ପଦବୀ ଛାଡ଼ି ପାରନ୍ତି । ତାଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ଓଡ଼ିଶା ପାଇବ । ରଘୁବର ରାଜ୍ୟପାଳ ପଦବୀ ଛାଡ଼ି ଝାଡ଼ଖଣ୍ଡ ନିର୍ବାଚନକୁ ଡେଇଁବେ ବୋଲି ସୂଚନା ମିଳିଲାଣି । ନିର୍ବାଚନୀ ମଇଦାନରେ ରଘୁବର ତାଙ୍କ ପଇଁତରା ଦେଖାଇବେ । ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାକୁ ଧୂଳି ଚଟାଇବାକୁ ଝାଡ଼ଖଣ୍ଡର ଏହି ଚାଣକ୍ୟଙ୍କୁ ବିଜେପି ବାଛିବ ବୋଲି କୁହାଯାଉଛି ।

ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ବିଜେପିର ସହ ପ୍ରଭାରୀ ହିମନ୍ତ ବିଶ୍ୱ ଶର୍ମା ରାଜଭବନକୁ ଆସି ଯିବା ପରେ ଏପରି କିଛି କଥା ପଦାକୁ ଆସିଛି । ଅନ୍ୟପକ୍ଷରେ ଝାଡ଼ଖଣ୍ଡ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ରଘୁବରଙ୍କ ସପକ୍ଷରେ କାଳେ ମତ ଦେଉଛନ୍ତି । ରଘୁବରଙ୍କ ସମସାମୟିକ ଶିବରାଜ ସିଂଙ୍କ କଥାକୁ ଦଳ ଗୁରୁତର ଭାବେ ନେଇଛି । ରଘୁବର କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବେଶ ଭଲ ଯୋଗସୂତ୍ରରେ ରହିଛନ୍ତି । ଏହାବ୍ୟତୀତ ଆରଏସଏସ ସମର୍ଥନ ମଧ୍ୟ ତାଙ୍କ ପଛରେ ରହିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି ।

ରଘୁବର କାଳେ ତାଙ୍କର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦେଇଛନ୍ତି । କେନ୍ଦ୍ରରୁ ଗ୍ରୀନ ସିଗନାଲ ମିଳିବା ପରେ ରାଷ୍ଟ୍ରପତି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିବେ ଓ ତାଙ୍କୁ ଝାଡ଼ଖଣ୍ଡ ରାଜନୀତି ଯୁଦ୍ଧକୁ ଡେଇଁବାକୁ ଅନୁମତି ମିଳିଯିବ । ମୋଦିଙ୍କ ଇସାରାକୁ ରାଷ୍ଟ୍ରପତି ଭବନର କାଳେ ଅପେକ୍ଷା କରହିଛି । ମୋଦି ଅନୁମତି ଦେଲେ ତକ୍ରାଳ ରଘୁବର ପଦ ଛାଡ଼ି ସଜବାଜ ହୋଇ ପାରିବେ । ମୋଦି ଓ ଅମିତ ଶାହାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇ ନଥିବାରୁ କାଳେ କଥା ପଦାକୁ ଆସୁନାହିଁ । ସେପଟୁ ଗ୍ରୀନ ସିଗନାଲ ମିଳିଲେ, ରଘୁବର ଝାଡ଼ଖଣ୍ଡ ଯିବେ ନହେଲେ ଏହିଠାରୁ ଗୋଟି ଚଳାଇବେ ବୋଲି କୁହାଯାଉଛି । ଦେଖାଯାଉ ରଘୁବରଙ୍କୁ ମୋଦି ଝାଡ଼ଖଣ୍ଡ ଦେଉଛନ୍ତି ନା ଓଡ଼ିଶାରେ ରଖୁଛନ୍ତି?