ଜୟପୁରରେ ପ୍ରଥମ ଥର ଓଡ଼ିଆ ନବବର୍ଷର ଧମାକା

କୋରାପୁଟ ଜୟପୁର ଘୋଡାଶାଳ ପଡ଼ିଆରେ ଓଡ଼ିଆ ନବ ବର୍ଷର ଧମାକାଦାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଜୟପୁରରେ ପ୍ରଥମ ଥର ଓଡ଼ିଆ ନବବର୍ଷର ଧମାକା

କୋରାପୁଟ ଜୟପୁର ଘୋଡାଶାଳ ପଡ଼ିଆରେ ଓଡ଼ିଆ ନବ ବର୍ଷର ଧମାକାଦାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆବାହକ ହିମାଂଶୁ ମହାପାତ୍ର ଏବଂ କଳାକାର ଧୀରେନ ପଟ୍ଟନାୟକ ବହୁ ଯୁବ କଳାକାରଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୁରୀ ଶଙ୍କରାଚାର୍ଯ୍ୟ ମଠ ଆଦିତ୍ୟବାହିନୀ ସଙ୍ଘ ସଭାପତି ମାତୃ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏଥିରେ ସମ୍ମାନିତ ଅତିଥିଭାବେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ସେଣ୍ଟ ଜାଭିୟର ସ୍କୁଲ ମୁଖ୍ୟ ଜି.ଶ୍ରୀନିବାଶ ପଟ୍ଟନାୟକ, ଚଳଚିତ୍ର ପ୍ରଯୋଜକ ଅମୀୟ ଦାଶ, ପ୍ରଭୁ ଚରଣ ମହାନ୍ତି, ଜୟପୁର ଘୁଙ୍ଗୁର କଳାକାର ସଙ୍ଘ ପ୍ରତିଷ୍ଠାତା ଧୀରେନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣାବିନ୍ଦରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ହନୁମାନ ଜୟନ୍ତୀ ଓ ପାଞ୍ଜିପୂଜା ସହ ଆମ ଐତିହ୍ୟ, ପରମ୍ପରା, ଏବଂ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଏଭଳି ଆୟୋଜନ ବାସ୍ତବରେ ବେଶ ପ୍ରଶଂସନୀୟ ବୋଲି ଆଦିତ୍ୟବହିନୀ ସଭାପତି ଶ୍ରୀ ମିଶ୍ର କହିଥିଲେ ।

ଏହି ଅବସରରେ ଆବାହକ ଶ୍ରୀ ମହାପାତ୍ର ଜୟପୁର ନାକଟି ଡ଼ଙ୍ଗର ପାହାଡ଼ ତଳେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ସହ ପାହାଡ଼ ଉପରେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଶ୍ରୀ ହନୁମାନଙ୍କ ମନ୍ଦିର ନିର୍ମାଣ ନେଇ ଘୋଷଣା କରିଥିଲେ। ତେବେ ଏହି ହନୁମାନ ମୂର୍ତ୍ତି ନିର୍ମାଣ ବାବଦକୁ ଅଧା ଖର୍ଚ୍ଚ ବହନ କରିବେ ଜୟପୁରର ଜି ଶ୍ରୀନିବାସ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମକୁ ଉଦଘୋଷିକା ମାନସୀ ମିଶ୍ର ଓ ଅନୀଲ ଖୁବ ସୁନ୍ଦର ଭାବେ ସଂଯୋଜନା କରିଥିଲେ।

ଏଥିରେ ସଙ୍ଗୀତକାର ସତ୍ୟଜିତ ପ୍ରଧାନ ପ୍ରଥମେ ଭକ୍ତିଗୀତ ପରିବେଷଣ କରିଥିବା ବେଳେ ଓଲିଉଡ ଅଭିନେତା ଶୁଭାଶିଷ ଓ ଭୂମିକା ଅଭିନୟ କରିବା ସହ ବିଭିନ୍ନ ଟ୍ରାକରେ ନାଚିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏବଂ ତାଙ୍କ ବିଜୟ ବ୍ୟାଣ୍ଡ ଦଳ ମ୍ୟୁଜିକ ବଜେଇଥିବା ବେଳେ ଲୋପାମୁଦ୍ରାଙ୍କ ସଙ୍ଗୀତ ଯାଦୁରେ ଦର୍ଶକ ବେଶ ଝୁମିଉଠିଥିଲେ । ହାସ୍ୟ ଅଭିନେତା ପ୍ରଜ୍ଞାନ ଓ ଶଙ୍କରଙ୍କ ଅଭିନୟରେ ଦର୍ଶକ ହସି ହସି ପୁରା ବେଦମ ହୋଇଯାଇଥିଲେ ।

ସହରରେ 144 ଧାରା ବଳବତ୍ତର ରହିଥିବା ସ୍ଥଳେ ଏସ୍ଡିପିଓ ହରିଷ ବିଶି ଏବଂ ଟାଉନ ଥାନାଧିକାରୀ ସମ୍ବିତ ବେହେରା ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ପ୍ରଥମ ଥର ଜୟପୁରରେ ଏଭଳି କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ବେଶ ମନଭରି ଉପଭୋଗ କରିବା ସହ ଆୟୋଜକଙ୍କୁ ଜୟପୁରବାସି ବିଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ।।

ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଜ୍ୟୋତ୍ସ୍ନା ରାଉଳ ଓଡିଶା ନିୟୁଜ୍ ମେକର୍ସ