ପଦ୍ମ ଧରିଲେ ଦେବାଶିଷ
ବିଜେଡିରୁ ଇସ୍ତଫା ପରେ ପଦ୍ମ ଧରିଲେ ଦେବାଶିଷ ନାୟକ

ପଦ୍ମ ଧରିଲେ ଦେବାଶିଷ । ଏକଦା ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଅନୁଗତ ଥିବା ଦେବାଶିଷ ନାୟକ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଦଳୀୟ ମୁଖ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଯାଜପୁର ବରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ବଡ କଥା ହେଉଛି ବିଜୁ ଜନତା ଦଳ (ବିଜେଡି)ରୁ ମାତ୍ର ଘଣ୍ଟାଏ ପୂର୍ବରୁ ଇସ୍ତଫା ଦେଇଥିଲେ ଦେବାଶିଷ ନାୟକ ।
ଆଉ ଇସ୍ତଫା ଦେବାର ଘଣ୍ଟାଏ ଭିତରେ ହିଁ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ପ୍ରଥମେ ବିଜେପି ରେ ବିଜେଡି ର ଗୋପାଳପୁର ବିଧାୟକ ସାମିଲ ହୋଇଥିବାବେଳେ ଆଜି ବିଧିବଦ୍ଧ ଭାବେ ପୁଣି ପଦ୍ମ ଧରିଛନ୍ତି ବିଜେଡି ର ପୂର୍ବତନ ବିଧାୟକ ଦେବାଶିଷ ନାୟକ । ବିଜେପିର ବରିଷ୍ଠ ନେତାଙ୍କ ଗହଣରେ ସେ ପଦ୍ମ ଧରିଛନ୍ତି । ନିର୍ବାଚନ ଯେତେ ପାଖଉଛି ଶଙ୍ଖ ଛାଡ଼ୁଛନ୍ତି ଅସନ୍ତୋଷ ନେତା । ଦେବାଶିଷ ଦଳ ବିରୋଧରେ ସେପରି କିଛି ଆପତ୍ତି ଜନକ ମନ୍ତବ୍ୟ ନଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫା ବିଜେଡି ଉପରେ ଭାରି ପଡ଼ିବ ବୋଲି କୁହାଯାଉଛି ।
ଯାଜପୁର ବରୀର ଟାଣୁଆ ନେତା ହେଉଛନ୍ତି ଦେବାଶିଷ । ବିଜୁ ପଟ୍ଟନାୟକଙ୍କ ସମୟରେ ସେ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରି ନିଜର ସଂଗଠନକୁ ମଜଭୁତ କରିଛନ୍ତି । ପୂର୍ବରୁ ୨୦୧୯ରେ ଦେବାଶିଷଙ୍କୁ ନିର୍ବାଚନ ଲଢ଼ିବା ନେଇ ଟିକେଟ୍ ଦେଇନଥିଲା ବିଜେଡି । ଦେବାଶିଷଙ୍କ ପରିବର୍ତ୍ତେ ସୁନନ୍ଦାଙ୍କୁ ଦଳ ଭରସା କରିଥିଲା । ହେଲେ ବର୍ତ୍ତମାନ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେବାଶିଷ ବିଜେଡି ର ହାତ ଛାଡ଼ିଛନ୍ତି ।
ଗତ ୨୧ ତାରିଖରେ ପଦ୍ମ ଧରିଥିଲେ ପ୍ରଦୀପ ପାଣିଗ୍ରାହୀ । ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ । ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ।ବିଜେପିରେ ସାମିଲ ହେବା ପରେ ଓଡ଼ିଶାରେ ବିଜେପି ସରକାର ପାଇଁ ଆହ୍ୱାନ ଦେଇଥିଲେ ପ୍ରଦୀପ । ଆଉ ବର୍ତ୍ତମାନ ପ୍ରଦୀପକୁ ନେଇ ବିଜେପି ଗଞ୍ଜାମରେ ପୂରା ଆକ୍ଟିଭ୍ ରହିଥିବାବେଳେ ଏବେ ସମାନ ସ୍ଥିତି ଯାଜପୁରରେ ଦେଖାଦେବ ବୋଲି କୁହାଯାଉଛି