ପ୍ରକାଶ ପାଇଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ର ସମୟ ନିର୍ଘଣ୍ଟ
ରଥଯାତ୍ରା: ୯.୩୦ଟାରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ : ଜୁନ୍ ୪ରେ ଦେବସ୍ନାନ ପୂର୍ଣ୍ଣିମା, ଜୁନ୍ ୨୦ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏହା ପୂର୍ବରୁ ଆଜି ଛତିଶାନିଯୋଗ ବୈଠକରେ ଦେବସ୍ନାନ ପୂର୍ଣ୍ଣିମା, ଘୋଷଯାତ୍ରା ସହ ଅନ୍ୟାନ୍ୟ ଯାତ୍ରାର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ଘୋଷଯାତ୍ରା ଅର୍ଥାତ୍ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ଶେଷ ପରେ ମଦନମୋହନ ବିଜେ, ବେଶ ଆଦି ଶେଷ ହେବ। ଅପରାହ୍ଣ ୪ଟାରେ ରଥଟଣା ହେବ।
ସେହିଭଳି ଦେବସ୍ନାନ ପୂର୍ଣ୍ଣିମାରେ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳ ବିଜେ, ପୂଜା, ସ୍ନାନ ପରେ ମଧ୍ୟାହ୍ନ ୧୨ଟା ୪୫ରୁ ହାତୀବେଶ ଆରମ୍ଭ ହେବ। ଏଥିସହ ମେ ୩୦ ତାରିଖ ରାଜେନ୍ଦ୍ରାଭିଷେକ ନୀତି, ମେ’ ୩୧ ତାରିଖ ଋକ୍ମିଣୀହରଣ ଏକାଦଶୀ, ଜୁନ ୧ ତାରିଖ ଚମ୍ପକ ଦ୍ବାଦଶୀ, ଜୁନ ୨ ତାରିଖ ଦଇତାପତି ପ୍ରବେଶ, ୩ ତାରିଖ ସେନାପଟା ଲାଗି, ୧୩ ତାରିଖ ଚକା ବିଜେ, ୧୪ ତାରିଖ ଖଳିଲାଗି, ୧୫ ତାରିଖ ରାଜପ୍ରସାଦ ବିଜେ, ୧୬ ତାରିଖ ଘଣାଲାଗି, ୧୭ ଓ ୧୮ ତାରିଖ ବନକଲାଗି, ୧୯ ତାରିଖ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ୨୪ ତାରିଖ ହେରା ପଞ୍ଚମୀ, ୨୫ ତାରିଖ ରଥ ଦକ୍ଷିଣି ମୋଡ଼, ୨୭ ତାରିଖ ସନ୍ଧ୍ୟା ଦର୍ଶନ, ୨୮ ତାରିଖ ବାହୁଡ଼ାଯାତ୍ରା, ୨୯ ତାରିଖ ସୁନାବେଶ, ୩୦ ତାରିଖ ଅଧରପଣା ନୀତି ଓ ଜୁଲାଇ ୧ ତାରିଖ ନୀଳାଦ୍ରି ବିଜେ ନୀତିର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଏଥିସହ ନୀତିଶୃଙ୍ଖଳା ପାଇଁ ସେବାୟତ ଓ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ଏହି ନୀତିକାନ୍ତିରେ ଓ ବ୍ୟବସ୍ଥାବଳୀରେ କେବଳ ପରିଚାଳନା କମିଟି ମୋହର ମାରିବ।
ଶନିବାର ଦିନ ପ୍ରଥମେ ନୀତି ସବ୍କମିଟି ବୈଠକରେ ରଥଯାତ୍ରା, ସ୍ନାନଯାତ୍ରା, ସୁନାବେଶ, ବାହୁଡ଼ା ଆଦିର ନୀତିକାନ୍ତି ଚୂଡ଼ାନ୍ତ ହୋଇଥିଲା। ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗ ବୈଠକ ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏସ୍ପି ଡା. କେ ବିଶାଳ ସିଂହ, ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଛତିଶାନିଯୋଗର ସଭାପତି, ସଂପାଦକ ଓ ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ। ନୀତି ଶୃଙ୍ଖଳା ଉପରେ ବିଭିନ୍ନ ନିଯୋଗର ମତାମତ ଲୋଡ଼ା ଯାଇଥିଲା। ବିସ୍ତୃତ ଆଲୋଚନା ପରେ ସବ୍କମିଟି ଚୂଡ଼ାନ୍ତ କରିଥିବା ନୀତିକାନ୍ତିରେ ଛତିଶାନିଯୋଗ ମୋହର ମାରିଛି।
ନୀତିକାନ୍ତି ଅନୁଯାୟୀ, ଦେବସ୍ନାନ ପୂର୍ଣ୍ଣିମାରେ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨ଟା ୧୫ରେ ଛେରା ପହଁରା ପରେ ସାଢ଼େ ୧୨ଟାରୁ ସାଢ଼େ ୨ଟା ଭିତରେ ଶ୍ରୀଜିଉ ହାତୀବେଶ ହେବେ। ସଂଧ୍ୟା ୬ଟାରୁ ରାତି ସାଢ଼େ ୯ଟା ସାହାଣ ମେଲା ଦର୍ଶନ ହେବ। ରାତି ୧୦ଟା ପୂର୍ବରୁ ହାତୀ ବେଶ ଓଲାଗି ପରେ ବାହୁଡ଼ା ପହଣ୍ଡି ହେବ। ସେହିଦିନ ରାତି ସାଢ଼େ ୧ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ। ବାହୁଡ଼ାଯାତ୍ରା ଦିନ ସକାଳ ୭ଟାରୁ ସାଢ଼େ ୧୧ଟା ଭିତରେ ସେନାପଟା ଲାଗି ପରେ ମଧ୍ୟାହ୍ନ ୧୨ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ସାଢ଼େ ୨ଟା ଭିତରେ ପହଣ୍ଡି ଶେଷ ପରେ ଅପରାହ୍ଣ ୪ଟାରେ ରଥଟଣା ହେବ। ସେହିଭଳି ସୁନାବେଶରେ ସଂଧ୍ୟା ୫ଟାରୁ ସାଢ଼େ ୬ଟା ଭିତରେ ଶ୍ରୀଜିଉଙ୍କୁ ସୁନାବେଶ ଲାଗି ହେବ। ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ଆଜି ରଥଯାତ୍ରା, ସ୍ନାନଯାତ୍ରା ଓ ଅନ୍ୟାନ୍ୟ ଯାତ୍ରାର ନୀତିକାନ୍ତି ଉପରେ ଆଲୋଚନା ହୋଇଛି। ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ, ସେ ଉପରେ ଗୁରୁତ୍ବାରୋପ କରାଯାଇଛି।