ସ୍ୱତନ୍ତ୍ର ଆମ୍ବୁଲାନ୍ସ ରେ ଆସୁଛି ବିଷ୍ଣୁପ୍ରସାଦ ଙ୍କ ମୃତଦେହ
ୱାୟନାଡ ଭୂସ୍ଖଳନରେ ମୃତ୍ୟୁବରଣ କରିଥିବା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ଶୁକ୍ରବାର ପୂର୍ବାହ୍ଣ ୧୧ଟାରେ କେରଳରୁ ଭୁବନେଶ୍ୱର ଅଭିମୁଖେ ବାହାରିଛି ।

ୱାୟନାଡ ଭୂସ୍ଖଳନରେ ମୃତ୍ୟୁବରଣ କରିଥିବା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ଶୁକ୍ରବାର ପୂର୍ବାହ୍ଣ ୧୧ଟାରେ କେରଳରୁ ଭୁବନେଶ୍ୱର ଅଭିମୁଖେ ବାହାରିଛି । କେରଳ ସରକାର ଏଥିପାଇଁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । ଏହି ଆମ୍ବୁଲାନ୍ସରେ ତିନି ଜଣ ଡ୍ରାଇଭର୍ ଅଛନ୍ତି ।
ସାଙ୍ଗରେ ଡାକ୍ତରଙ୍କ ସମ୍ପର୍କୀୟ ଦାଦା ରହିଛନ୍ତି । ଆମ୍ବୁଲାନ୍ସ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କ ଘରକୁ ନିଆଯିବ । ବିମାନରେ ପାର୍ଥିବ ଶରୀର ନେବା ସମ୍ଭବ ହୋଇପାରିନଥିବାରୁ ସଡ଼କ ପଥରେ ମୃତଦେହକୁ ଅଣାଯାଉଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଦାୟିତ୍ୱରେ କେରଳ ଯାଇଥିବା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦିଲୀପ ରାଉତରାଏ ସୂଚନା ଦେଇଛନ୍ତି । ପାଖାପାଖି ୩୪ ଘଣ୍ଟା ସମୟ ଲାଗିବ । ଶନିବାର ସନ୍ଧ୍ୟାରେ ମୃତଦେହ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କ ମୃତଦେହକୁ ପୈତୃକ ଗାଁ ପୁରୀ ଜିଲ୍ଲା ଗୋପ ବ୍ଲକ୍ର ପରାଳକୁ ନିଆଯିବ । ସେଠାରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷରେ ଡାକ୍ତର ଚିନାରାଙ୍କ ପତ୍ନୀ ପ୍ରିୟଦର୍ଶନୀ ପାଲ୍ ସୁସ୍ଥ ହେଉଛନ୍ତି । ତାଙ୍କ ମୁହଁରେ ଆଘାତ ଲାଗି ଅନେକ କ୍ଷତି ହୋଇଛି । ସ୍ୱାମୀଙ୍କ ଦେହାନ୍ତ ଖବର ଶୁଣି ସେ ଭାଙ୍ଗି ପଡ଼ିଛନ୍ତି । ସେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଶନିବାର ବିମାନ ଯୋଗେ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି । ମାତ୍ର ଡାକ୍ତର ସ୍ୱାଧୀନ ପଣ୍ଡାଙ୍କୁ ଏ ପର୍ଯ୍ୟନ୍ତ ଠାବ କରାଯାଇପାରିନାହିଁ । ତାଙ୍କ ପରିବାର ବି ୱାୟନାଡ଼ରେ ଅଛନ୍ତି । ସେହପିରି ଡାକ୍ତର ସ୍ୱୀକୃତି ମହାପାତ୍ର ଏବେ ସ୍ଥାନୀୟ ଏକ ଡାକ୍ତରଖାନା ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଫୁସ୍ଫୁସ୍ ମାଟି ପଶି ସଂକ୍ରମିତ ହୋଇଛି । ବ୍ରୋଙ୍କସ୍କୋପି ଜରିଆରେ ଡାକ୍ତରଙ୍କ ଉଦ୍ୟମରେ ମାଟି ସଫା କରାଯାଇଛି । ତାଙ୍କର ଚିକିତ୍ସା ଚାଲିଛି ଏବଂ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କୁ ମାନସିକ ସମର୍ଥନ ଦେବା ଲାଗି ତାଙ୍କର ତିନି ଜଣ ସହପାଠୀ ପାଖରେ ରହିଛନ୍ତି ବୋଲି ସୂଚନା ମିଳିଛି ।
କେରଳରେ ଏହି ଅଘଟଣ ପରେ ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରାଉତରାଏଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅର୍ଘ୍ୟ ପ୍ରଧାନ ଯାଇଛନ୍ତି । ଏ ବାବଦରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।