ଦିନକ ପରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା; ରାତି ପାହିଲେ ନବଯୌବନ ଦର୍ଶନ,
ରଙ୍ଗା ରଙ୍ଗ୍ ଝୋଟି ଚିତା ରେ ସଜେଇ ହୋଇଛି ବଡ଼ଦାଣ୍ଡ, ୧୫ଲକ୍ଷ ଭକ୍ତ ସମାଗମ ନେଇ ପ୍ରଶାସନ ର ଆକଳନ, ରୌଦ୍ରତାପ ଓ ଗୁଳ ଗୁଳି ରୁ ବର୍ତ୍ତିବା ପାଇଁ ୫୦ଲକ୍ଷ ପାଣି ବୋତଲ ଯୋଗାଇ ଦେବା କୁ ନିର୍ଦ୍ଦେଶ ।

ପୁରୀ: ଆଉ ମାତ୍ର ଗୋଟିଏ ଦିନ ପରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିର ଛାଡି ରଥାରୁଢ଼ ହୋଇ ଗୁଣ୍ଡିଚା ମନ୍ଦିର ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ। ଏଥି ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ କୋଠସୁଆଁସିଆଁ ସେବାୟତମାନେ କନା ମଣ୍ଡଣୀ କାର୍ଯ୍ୟ ଶୀଘ୍ର ସାରିବାକୁ ଉଦ୍ୟମ ଚଳାଇଛନ୍ତି। ବଡ଼ଦାଣ୍ଡ ଗହଳି ଚହଳି ମଧ୍ୟ ହୋଇଗଲାଣି। ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ସମୟରେ ପ୍ରବଳ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରୁ ଭକ୍ତଙ୍କୁ ରକ୍ଷା କରିବା ପାଇଁ ୫୦ ଲକ୍ଷ ପାଣି ବୋତଲ ବଣ୍ଟାଯିବା ସହ ଜଳ ସିଞ୍ଚନ, ୱାଟର ସ୍ପ୍ରେୟାର ସହ ଅନ୍ୟାନ୍ୟ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।
ରାତି ପାହିଲେ ନବଯୌବନ ଦର୍ଶନ। ଜ୍ବରରେ ପୀଡିତ ହୋଇ ୧୫ ଦିନ ଅଣସର ଘରେ ଆୟୁର୍ବେଦ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଆସନ୍ତାକାଲି ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ସହ ଜୁନ୍ ୨୦ ମଙ୍ଗଳବାରରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରିବେ ମହାପ୍ରଭୁ। ଏଥିପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ରଥର ଚତୁପାର୍ଶ୍ବରେ ପାର୍ଶ୍ବ ଦେବାଦେବୀ ଲଗାଯାଇଥିବା ବେଳେ ପ୍ରଭା ଗୁଡ଼ିକର ରଙ୍ଗ କାମ ମଧ୍ୟ ଶେଷ ହୋଇଛି।
ସେହିପରି ତିନି ରଥର ଠେକେରାବାଡ଼ କାମ ସହ ବ୍ରେକ୍ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। କୋଠୋସୁଆଁସିଆଁ ସେବକ ମାନେ ତିନି ରଥର କନା ମଣ୍ଡଣି କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଉଦ୍ୟମ କରୁଛନ୍ତି। ଆସନ୍ତାକାଲି ମହାପ୍ରଭୁଙ୍କ ଚକା ଅପସର ନୀତି ସହ ଅନ୍ୟାନ୍ୟ ନୀତି କାନ୍ତି ହୋଇ ଭୋଗମଣ୍ଡପ ସରିବା ପରେ ତିନି ବାଡ଼ର ପୂଜାପଣ୍ଡା ସେବାୟତଙ୍କ ଦ୍ବାରା ଆଜ୍ଞାମାଳ ବିଜେ ହେବ। ଏହାପରେ ରଥଖଳାରୁ ଶ୍ରୀମନ୍ଦିର ଅଭିମୁଖେ ଗଡିବ ତିନି ରଥ। ତେଣୁ ମହାପ୍ରଭୁଙ୍କ ଆଜ୍ଞାମାଳ ଅପେକ୍ଷାରେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସେବାୟତ।
ପୁରୀରେ ପ୍ରବଳ ଖରା ଓ ଗୁଳୁଗୁଳି ଜାରି ରହିଥିଲେ ମଧ୍ୟ ଏହାକୁ ଖାତିର ନକରି ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ୍ ହେବା ପାଇଁ ଦେଶର କୋଣ ଅନୁକୋଣରୁ ପୁରୀରେ ପହଞ୍ଚି ସାରିଲେଣି ଭକ୍ତ। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ କ୍ରମେ ରଥଯାତ୍ରା ସମୟରେ ଖରା ଓ ଗୁଳୁଗୁଳିରୁ ଭକ୍ତଙ୍କୁ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପର୍ଯ୍ୟାପ୍ତ ପାନୀୟ ଜଳ ସହ ଜଳ ସିଞ୍ଚନ, ୱାଟର ସ୍ପ୍ରେୟାର, ସ୍ପ୍ରିଙ୍କଲିଙ୍ଗ, ୱଟର ମିଷ୍ଟିଙ୍ଗ ର ବ୍ୟବସ୍ଥା କରିଛି ପ୍ରଶାସନ। ସେହିପରି ୧୫ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୫୦ ଲକ୍ଷ ପାଣି ବୋତଲର ବ୍ୟବସ୍ଥା କରାଯାଇଛି।
ବଡ଼ଦାଣ୍ଡରେ ଗ୍ରୀନ କରିଡ଼ର ସହ ବ୍ୟାପକ ଆମ୍ବୁଲାନ୍ସ ମୁତୟନ କରାଯାଉଛି। ଏହାସହ ବିଭିନ୍ନ ସ୍ଥାନରେ ଆଶୁ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା ହୋଇଛି।ଏଭଳି ବ୍ୟବସ୍ଥା ଦ୍ଵାରା ଅଂଶୁଘାତର ଆଶଙ୍କାକୁ ଏଡା ଯାଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ଭକ୍ତମାନେ ବେଶ୍ ପ୍ରଶଂସା କରିଛନ୍ତି।
ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଦ୍ଵିଗୁଣା ଭକ୍ତଙ୍କ ସମାଗମ ହେବ ବୋଲି ଆଶା ରଖିଛି ପ୍ରଶାସନ। ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମହାପ୍ରଭୁଙ୍କ ଯାତ୍ରା କିଭଳି ସଫଳ ହେବ ସେନେଇ ସମସ୍ତଙ୍କ ସହଯୋଗ ଲୋଡିଛି ପ୍ରଶାସନ।