ଦିଗପହଣ୍ଡି ବିଜେପିରେ ସିଦ୍ଧାନ୍ତଙ୍କୁ ବିରୋଧ

ପୂର୍ବତନ ବ୍ରହ୍ମପୁର ସାଂସଦ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଆଜି ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ସବୁଗୋଷ୍ଠୀ ବିଦ୍ରୋହ ଆରମ୍ଭ କରିଛନ୍ତି।

ଦିଗପହଣ୍ଡି ବିଜେପିରେ ସିଦ୍ଧାନ୍ତଙ୍କୁ ବିରୋଧ

ପୂର୍ବତନ ବ୍ରହ୍ମପୁର ସାଂସଦ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଆଜି ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ସବୁଗୋଷ୍ଠୀ ବିଦ୍ରୋହ ଆରମ୍ଭ କରିଛନ୍ତି। ଟିକେଟ ଆଶାୟୀ ତାଲିକାରେ ପ୍ରଥମ ଦାବିଦାର ଥିବା ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ବିପିନଚନ୍ଦ୍ର ପ୍ରଧାନ ଓ ତାଙ୍କ ଶିବିର ପ୍ରାର୍ଥୀ ଘୋଷଣାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି।

ବିପିନ ଓ ତାଙ୍କ ସମର୍ଥକ ସାମାଜିକ ଗଣମାଧ୍ୟମରେ ସିଦ୍ଧାନ୍ତଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିବା ସହିତ ନିଜ ସମର୍ଥକଙ୍କ ସହ ଭୁବନେଶ୍ୱର ଯାତ୍ରା କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବିପିନଙ୍କୁ ପ୍ରାର୍ଥୀ କରାନଗଲେ ସିଦ୍ଧାନ୍ତଙ୍କ ସହ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ସହଯୋଗ କରାଯିବ ନାହିଁ ବୋଲି ସ୍ବର ଉଠିଛି। କେବଳ ବିପିନ ନୁହନ୍ତି, ଦିଗପହଣ୍ଡିରେ ବିଜେପିର ସଂଗଠନ ଚଳାଇ ଆସିଥିବା ଇଂ. ଉତ୍ତମ ପାଣିଗ୍ରାହୀ ମଧ୍ୟ ସିଦ୍ଧାନ୍ତଙ୍କ ପ୍ରାର୍ଥିତ୍ବକୁ ଦୃଢ଼ ବିରୋଧ କରିଛନ୍ତି। ସିଦ୍ଧାନ୍ତଙ୍କ ନାମ ଘୋଷଣା ପଛରେ ସାଂସଦ ପ୍ରାର୍ଥୀ ପ୍ରଦୀପଙ୍କ ସୁପାରିସ ରହିଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟତମ ଆଶାୟୀ ଥିବା ଦିଗପହଣ୍ଡି ଶ୍ରୀ ମା' ହରିପ୍ରିୟା ଆଶ୍ରମର ମୁଖ୍ୟ ଯୋଗୀ ଦେବଦତ୍ତ ମହାରାଜ ମଧ୍ୟ ବିଜେପିର ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହି ବିରୋଧାଭାସକୁ ନେଇ ଦିଗପହଣ୍ଡି ରାଜନୀତି ସରଗରମ ହୋଇଉଠିଛି।