ରିଷଭ ପନ୍ତଙ୍କୁ ଝଟକା
ଆଇପିଏଲ ୨୦୨୪ରେ ରିଷଭ ପନ୍ତ ଅଧିନାୟକ କରୁଥିବା ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସର ଅବସ୍ଥା ଶୋଚନୀୟ ହୋଇପଡିଛି

ଆଇପିଏଲ ୨୦୨୪ରେ ରିଷଭ ପନ୍ତ ଅଧିନାୟକ କରୁଥିବା ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସର ଅବସ୍ଥା ଶୋଚନୀୟ ହୋଇପଡିଛି । ଟିମ୍ ବାରମ୍ବାର ହାରିବା ପରେ ପନ୍ତଙ୍କୁ ବଡ ଝଟକା ଲାଗିଛି । ତାଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଛି । ଏହା କେବଳ ତାଙ୍କ ଉପରେ ନୁହେଁ ବରଂ ପ୍ଲେଇଂ ଇଲେଭେନ ଉପରେ ଲାଗିଛି ।
ଦିଲ୍ଲୀ କୋଲକତା ବିପକ୍ଷରେ ଲଜ୍ୟାଜନକ ପରାଜୟ ସାମ୍ନା କରିଛି । ଏହି ପରାଜୟ ପରେ ରିଷଭ ପନ୍ତ ସହିତ ପ୍ଲେଇଂ ଇଲେଭେନର ବାକି ଖେଳାଳିଙ୍କ ଉପରେ ଜରିମାନା ଲାଗିଛି । ଦ୍ୱିତୀୟଥର ପାଇଁ ପନ୍ତଙ୍କ ଟିମ୍ ସ୍ଲୋ ଓଭର ରେଟ ପାଇଁ ଦୋଷୀ ହୋଇଛି । ଏଥିପାଇଁ ୨୪ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ଦିଲ୍ଲୀର ଅନ୍ୟ ଖେଳାଳିଙ୍କ ଉପରେ ୬ ଲକ୍ଷ ଟଙ୍କା ଜରିମାବା କିମ୍ବା ମ୍ୟାଚର ୨୫ ପ୍ରତିଶତ ଫି ଜରିମାନା ଲାଗିଛି ।
ଦୁର୍ଘଟଣା ପରେ ଚଳିତବର୍ଷ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବରେ କ୍ରିକେଟକୁ ଫେରିଛନ୍ତି ପନ୍ତ । କିନ୍ତୁ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରେ ତାଙ୍କ ଉପରେ ବ୍ୟାନ୍ ଲାଗିପାରେ । ଏଥିପାଇଁ ବିସିସିଆଇ ତରଫରୁ ସଂକେତ ମଧ୍ୟ ମଳିସାରିଛି । ବର୍ତ୍ତମାନ ପନ୍ତଙ୍କ ପାଖରେ ଶେଷ ସୁଯୋଗ ରହିଛି । ଆଉ ଗୋଟିଏ ଭୁଲ ପନ୍ତଙ୍କୁ ଆଇପିଏଲରେ ବ୍ୟାନ୍ ଲଗାଇପାରେ । ଲଗାତାର ଦୁଇଟି ମ୍ୟାଚରେ ସ୍ଲୋ ଓଭର ରେଟ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀ ଅଧିନାୟକ ପନ୍ତ । ଯାହା ଫଳରେ ତାଙ୍କ ଉପରେ ବ୍ୟାନ୍ ଲାଗିବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି ।
ଆଇପିଏଲ ନିୟମ ଅନୁସାରେ, ଏହି ଭୁଲ ୩ ଥର ହେଲେ ଦଳର ଅଧିନାୟକଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ବ୍ୟାନ୍ ଲଗାଯାଇପାରେ । ତେଣୁ ଆଉ ଥରେ ସ୍ଲୋ ଓଭର ରେଟ୍ ବୋଲିଂ ପନ୍ତଙ୍କୁ ଗୋଟିଏ ମ୍ୟାଚରେ ବ୍ୟାନ୍ କରିପାରେ ।
କୋଲକତା ନାଇଟ ରାଇଡର୍ସ ବିଶାଖାପାଟନମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୭୨ ରନ୍ କରିଥିଲା । ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୧୬୬ ରନ୍ କରିପାରିଥିଲା । ଫଳରେ ୧୦୬ର ବଡ ସ୍କୋରେ ହାରିଥିଲା ଦିଲ୍ଲୀ । ଏହି ମ୍ୟାଚରେ ପନ୍ତ ମାତ୍ର ୨୫ ବଲରେ ୫୫ ରନ୍ କରିଥିଲେ । ଏଥିରେ ୪ଟି ଚଉକା, ୫ଟି ଛକା ରହିଥିଲା ।