କଂଗ୍ରେସ ଛାଡ଼ିଲେ ବାପି ସାର୍ଖେଲ

ଲୋକସଭା ଓ ବିଧାନସଭା ଭୋଟକୁ ଆଉ ଦିନ କେଇଟା ଥିବାବେଳେ ରାଜ୍ୟରେ ଜୋର୍ ଧରିଛି ଦଳ ଡିଆଁ ପର୍ବ

କଂଗ୍ରେସ ଛାଡ଼ିଲେ ବାପି ସାର୍ଖେଲ

ଲୋକସଭା ଓ ବିଧାନସଭା ଭୋଟକୁ ଆଉ ଦିନ କେଇଟା ଥିବାବେଳେ ରାଜ୍ୟରେ ଜୋର୍ ଧରିଛି ଦଳ ଡିଆଁ ପର୍ବ । ଟିକେଟ୍ କଟିବା ଆଶଙ୍କାରେ ବଡ ବଡ ନେତାମାନେ ନିଜ ଦଳ ଛାଡି ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି ।  ଏହାରି ଭିତରେ ପୁଣି ଜଣେ କଂଗ୍ରେସ ନେତା ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ପାରାଦୀପର ବାପି ସାର୍ଖେଲ । ସେ ନିଜର ଇସ୍ତଫାପତ୍ରକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଦେଇଛନ୍ତି । ଏଥିସହ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କଂଗ୍ରେସକୁ ଧନ୍ୟବାଦ ଦେଇଛନ୍ତି ।

ସେ କହିଛନ୍ତି ଯେ, ପାରାଦୀପ ନିର୍ବାଚନମଣ୍ଡଳୀର ସମସ୍ତ ଭାଇ, ଭଉଣୀ, ଗୁରୁଜନମାନେ ମୋ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ମୋ ସହ ସୁଖରେ ଦୁଃଖରେ ଅଛନ୍ତି । ତେବେ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ମଧ୍ୟ ସେମାନଙ୍କ ପାଇଁ ସେ ପ୍ରତିଟି କାର୍ୟ୍ୟରେ ସଦା ସର୍ବଦା ନିୟୋଜିତ କରିବେ । ଗତ କିଛି ଦିନ ତଳେ ବାପିଙ୍କ ପତ୍ନୀ ମନିଦୀପା ବିଜେଡିରେ ସାମିଲ ହୋଇଥିଲେ ।ତେବେ ବାପି ସର୍ଖେଲଙ୍କ ପତ୍ନୀ କିନ୍ତୁ ବିଜେଡିରେ ସାମିଲ ହେବା ପରେ ପାରାଦୀପ ରାଜନୀତି ଜୋର ଧରିଛି । ବାପି ସର୍ଖେଲଙ୍କର ତୃଣମୂଳସ୍ତରରେ ସଙ୍ଗଠନ ମଜଭୁତ୍ ଅଛି । ଅନ୍ୟପଟେ ସମ୍ବିତ ରାଉତରାୟ ମଧ୍ୟ ଏହି ଆସନରୁ ଟିକେଟ୍ ଲବିରେ ଅଛନ୍ତି । ତେଣୁ ବାପି ସର୍ଖେଲ କଂଗ୍ରେସ ଛାଡିବା ପରେ, କଣ କରୁଛନ୍ତି? କେଉଁ ଦଳରେ ସାମିଲ ହେଉଛନ୍ତି, ତାହା ନିଶ୍ଚୟ ପାରାଦୀପ ରାଜନୀତିରେ ପ୍ରଭାବ ପକାଇବ ।

୨୦୧୯ ନିର୍ବାଚନରେ ସମ୍ବିତ ବିରୋଧରେ କଂଗ୍ରେସ ଟିକେଟରୁ ଲଢିଥିଲେ ବାପି ସର୍ଖେଲ । କିନ୍ତୁ ଗତଥର ସେ ପାଖାପାଖି ୨୦ ହଜାରରୁ ଅଧିକ ଭୋଟର ପରାଜୟ ବରଣ କରିଥିଲେ । ସେହିପରି ୨୦୧୪ରେ ମଧ୍ୟ ସେ ସେହି ସମାନ ଆସନରୁ ସମ୍ବିତଙ୍କ ବାପା ଦାମ ରାଉତଙ୍କ ପାଖରୁ ପାଖାପାଖି ୩୫ ହଜାରରୁ ଅଧିକ ଭୋଟରେ ହାରିଥିଲେ ବାପି ସର୍ଖେଲ । ତେଣୁ ଏଥର ନିଜେ ନହେଲେ ବି ନିଜ ପତ୍ନୀଙ୍କୁ ପାରାଦୀପରୁ ବିଧାନସଭା ପଠାଇବାକୁ ବାପି ରଣନୀତି କରୁଥିବା ଅନୁମାନ କରିଛନ୍ତି ରାଜନୈତିକ ବିଶେଷଜ୍ଞ ।