ଆଜି ଠାରୁ ଆରମ୍ଭ କାର୍ତ୍ତିକ ମାସ, ପୁରୀରେ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଆଜିଠୁ ଆରମ୍ଭ ହେଉଛି ମହାକାର୍ତ୍ତିକ । ଏହା ଆଗରୁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି । ହବିଷ କରିବା ଲାଗି ପୁରୀରେ ପହଞ୍ଚିଛନ୍ତି ଶହ ଶହ ହବିଷ୍ୟାଳୀ । ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ହବିଷ୍ୟାଳୀମାନେ ପଞ୍ଚତୀର୍ଥରେ ସାନ୍ନ ସହ କାର୍ତ୍ତିକ ବ୍ରତ ସଂଙ୍କଳ୍ପ କରିବା ପରେ ତୁଳସୀ ଗଛ ମୂଳରେ ରାଇଦାମୋଦର ପୂଜା କରିଛନ୍ତି । ଏଥିସହ ଫଳ ମୂଳ ନୈବେଦ୍ୟ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମାକୁ ପୂଜା କରିଛନ୍ତି । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଛନ୍ତି ବ୍ରତଧାରୀ । ହବିଷ୍ୟାଳୀଙ୍କ ସହଜ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସେହିପରି ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ମନ୍ଦିର ଓ ହବିଷ୍ୟାଳୀ ଶିବିରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଏକ ମାସଧରି ହବିଷ କରି ରାଇଦାମୋଦର ପୂଜା କରି ଆକାଶ ଦୀପ ଜଳାଇବେ ବ୍ରତଧାରୀ ।