ଗଜପତି ମହାରାଜା ଙ୍କ ମନ ର କଥା
ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିକ୍ରିୟା.

ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ରନ୍ଧନ ଗ୍ରହଣୀୟ ନୁହେଁ , ଏହା କଳିଯୁଗର ପ୍ରଭାବ.
ପ୍ରଶାସନିକ ହସ୍ତକ୍ଷେପ ଆବଶ୍ୟକତା ରହିଛି କହିଲେ ଗଜପତି ମହାରାଜା.
ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରା ବନ୍ଦ ହେବା ଆବଶ୍ୟକ.
ଶାସ୍ତ୍ର ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ରଥଯାତ୍ରା ହେବା କଥା.
ମହାପ୍ରଭୁଙ୍କ ପ୍ରଚାର ପ୍ରସାର ପାଇଁ ବହୁ ଭାଷାରେ ପୁସ୍ତକ ଲେଖାଯିବା ଆବଶ୍ୟକ
ରତ୍ନଭଣ୍ଡାର ମରାମତି ସହ ଗଣତି ଜରୁରୀ: ଗଜପତି ମହାରାଜା
ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବିବାଦ । ପଢନ୍ତୁ, କଣ କହିଲେ ଗଜପତି ମହାରାଜ
ଇସ୍କନର ଅଦିନିଆ ରଥଯାତ୍ରା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ । କହିଛନ୍ତି, ଅସମୟରେ ରଥଯାତ୍ରା କରୁଥିବା ଲୋକମାନେ ଆସ୍ତେ ଆସ୍ତେ ବାଟକୁ ଆସୁଛନ୍ତି । ତେବେ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାରୁ ତ୍ରୟୋଦଶୀ, ମହାପ୍ରଭୁଙ୍କ ଯାତ୍ରା ସମୟରେ ରଥଯାତ୍ରା ହୋଇପାରିବ ବୋଲି ସେ କହିଛନ୍ତି । ଶ୍ରୀକ୍ଷେତ୍ରରେ ମହାପ୍ରଭୁ ସିଂହାସନ ଆରୋହଣ ପରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ୨୦ ତାରିଖରେ ରଥଯାତ୍ରା ହେଉଥିବା ବେଳେ ଇସ୍କନ ପକ୍ଷରୁ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଆସନ୍ତା ୨୪ତାରିଖରେ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତି ଚାଲିଛି । ଇସ୍କନ ପକ୍ଷରୁ ଏହି ରଥଯାତ୍ରା ପାଳନ ନେଇ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ପୂର୍ବରୁ ୧୮ ତାରିଖ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା, କୌଣସି କାରଣବଶତଃ ଏହାକୁ ୨୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମନ୍ଦିରର ସେବାୟତ । ଏହି ବିବାଦ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ।
ଅନ୍ୟପଟେ ପୁରୀରେ ମହାପ୍ରସାଦ ନାଁରେ ଠକେଇ ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । କହିଛନ୍ତି, ଏହା କଳିଯୁଗର ପ୍ରଭାବ । ମହାପ୍ରସାଦ ଶ୍ରୀମନ୍ଦିର ବାହାରେ ହୋଇପାରିବ ନାହିଁ । ଏହା ପରମ୍ପରା ଏବଂ ସଂସ୍କୃତି ବାହାରେ । ପ୍ରଶାସନ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ପୁରୀରେ ମହାପ୍ରସାଦ ନାଁରେ ଠକେଇ ଅଭିଯୋଗ ଘଟଣାରେ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି । ନକଲି ଅବଢ଼ା ରୋଷେଇ ବାସେଳି ସାହି ଅଞ୍ଚଳରେ ହୋଇଥିବାରୁ ଏହି ଥାନାରେ ଅଭିଯୋଗ ହୋଇଛି । ଅଣବସର ତ୍ରୟୋଦଶୀ ତିଥିରେ ଅବଢ଼ା ବାହାରିବାରେ ବିଳମ୍ବର ହେଉଥିବାରୁ ଏହାର ଫାଇଦା ନେଉଛନ୍ତି କିଛି ଅସାଧୁ ବ୍ୟକ୍ତି । ବାହାରେ ରୋଷେଇ କରି ମହାପ୍ରସାଦ ନାଁରେ ଲୋକଙ୍କୁ ବିକ୍ରି କରି ଠକେଇ କରୁଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଗଜପତି ମହାରାଜ ପ୍ରତିକ୍ରିୟା ରଖିଛନ୍ତି ।
ରତ୍ନଭଣ୍ଡାର ମରାମତି ସହ ଗଣତି ଜରୁରୀ: ଗଜପତି ମହାରାଜା
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଓ ରତ୍ନ ଗଣତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦାୟିତ୍ୱ ହୀନ ମନୋଭାବ ନେଇ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁହଁ ଖୋଲିବା ପରେ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ସମାନ ଢଙ୍ଗରେ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏଏସ୍ଆଇ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି ରତ୍ନଭଣ୍ଡାର ଭିତର କାନ୍ଥ ଭଲ ନାହିଁ। ଫାଟ ଅଛି, ବର୍ଷା ହେଲେ ପାଣି ପଶୁଛି। ରତ୍ନଭଣ୍ଡାର ମରାମତି ନିହାତି ଦରକାର। ପୂର୍ବରୁ କେବେ ମରାମତି ହୋଇଛି ଜଣାନାହିଁ।
ରତ୍ନଭଣ୍ଡାର ବାହାର ଓ ଭିତର ଭଣ୍ଡାର ଅନୁଧ୍ୟାନ ଆବଶ୍ୟକ। ଏନେଇ ଆଇନରେ ବ୍ୟବସ୍ଥା ରହିଛି। ପ୍ରଥମେ ରତ୍ନ ଭଣ୍ଡାରରେ ଥିବା ରତ୍ନର ଗଣତି କରି ମନ୍ଦିର ଭିତରେ ନିରାପଦ ଓ ସୁରକ୍ଷିତ ରଖିବା ଜରୁରୀ। ନଚେତ ମରାମତି ହୋଇପାରିବ ନାହିଁ। ଏନେଇ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ନିବେଦନ କରିସାରିଛି। ରାଜ୍ୟ ସରକାର ନିଷ୍ପତ୍ତି ନେଲେ କାମ ହେବ। ଆମର ବିଶ୍ୱାସ ରତ୍ନଭଣ୍ଡାର ଭିତରେ ଦୁର୍ମୁଲ୍ୟ ଅଳଙ୍କାର ସୁରକ୍ଷିତ ଅଛି।