ଚର୍ଚ୍ଚାରେ ଆଉ ଦୁଇ ଜିଲ୍ଲାପାଳଙ୍କ ଦ୍ୱିତୀୟ ବିବାହ
ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ବିବାହ ଖବର ସୋସିଆଲ୍ ମିଡ଼ିଆରେ ଛାଇ ହୋଇ ରହିଥିଲା ବେଳେ ଆଉ ଦୁଇ ଜିଲ୍ଲାପାଳଙ୍କ ବିବାହ ଖବର ସାମନାକୁ ଆସିଛି ।

ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ବିବାହ ଖବର ସୋସିଆଲ୍ ମିଡ଼ିଆରେ ଛାଇ ହୋଇ ରହିଥିଲା ବେଳେ ଆଉ ଦୁଇ ଜିଲ୍ଲାପାଳଙ୍କ ବିବାହ ଖବର ସାମନାକୁ ଆସିଛି । ସେମାନେ ହେଲେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂହ ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ଆସନ୍ତା ସପ୍ତାହରେ ବାରାଣସୀରେ ଦୁହିଁଙ୍କର ହାତଗଣ୍ଠି ପଡ଼ିବ । ଅନନ୍ୟା-ଚଞ୍ଚଳଙ୍କ ଭଳି ସ୍ୱଧା-ସମର୍ଥଙ୍କର ଏହା ଦ୍ୱିତୀୟ ବିବାହ ହେବ । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ପ୍ରଥମ ବିବାହ କରିଥିଲେ ସ୍ୱଧାଦେବ ସିଂହ । ମାତ୍ର ଏହି ଆଇଏଏସ ଯୋଡ଼ିଙ୍କର ବୈବାହିକ ସମ୍ପର୍କ ତିଷ୍ଠି ପାରି ନ ଥିଲା । ସେମାନେ ଛାଡ଼ପତ୍ର ଦେଇଥିଲେ । ଅନ୍ୟପକ୍ଷରେ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂହଙ୍କୁ ପ୍ରଥମ ବିବାହ କରିଥିଲେ ସମର୍ଥ ବର୍ମା । ମାତ୍ର ବିବାହର କିଛି ଦିନ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ସେମାନେ ଅଲଗା ହୋଇଯାଇଥିଲେ । ସୂଚୀ ଝାଡଖଣ୍ଡର ଜଣେ ଆଇଏଏସ୍ ଅଫିସରଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ପ୍ରଥମ ବୈବାହିକ ଜୀବନରେ ଅସଫଳ ହୋଇଥିବା ସମର୍ଥ ଏବଂ ସ୍ୱଧାଦେବଙ୍କ ମଧ୍ୟରେ ନିବିଡ଼ତା ସୃଷ୍ଟି ହୋଇ ଏବେ ତାହା ବିବାହ ବନ୍ଧନରେ ପରିଣତ ହେବାକୁ ଯାଉଛି । ବାରାଣସୀରେ ବିବାହ ଉତ୍ସବର ଆୟୋଜନ କରାଯାଇଛି ।