ଭାରତ ର ରେକର୍ଡ ତୋଡ ବିଜୟ , କ୍ରିକେଟ ଜଗତ ରେ ଇତିହାସ ରଚିଲା ଭାରତ
କୋହଲିଙ୍କ ଶତକ ପରେ ଜାଡ଼େଜାଙ୍କ ଘାତକ ବୋଲିଂ, ଭାରତ ଆଗରେ ଦ. ଆଫ୍ରିକାର ଆତ୍ମସମର୍ପଣ

କୋଲକାତା: ଅପ୍ରତିଦ୍ଵନ୍ଦ୍ଵୀ, ଅପରାଜୟ, ଅଦ୍ଵିତିୟ ମହା ପରାକ୍ରମୀ ଭାରତୀୟ କ୍ରିକେଟ ଦଳ । ଏ ପର୍ଯ୍ୟନ୍ତ ଚଳିତ ବିଶ୍ଵକପ୍ରେ ଭାରତୀୟ ଦଳ ଆଗରେ ତିଷ୍ଠି ପାରି ନାହାନ୍ତି କୌଣସି ଦଳ। ଜନ୍ମଦିନରେ ବିରାଟ କୋହଲିଙ୍କ ଶତକ ପରେ ରବୀନ୍ଦ୍ର ଜାଡ଼େଜାଙ୍କ ଘାତକ ବୋଲିଂ ବଳରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳା ଯାଇଥିବା ବିଶ୍ଵକପ୍ର ୩୭ତମ ମୁକାବିଲାରେ ଭାରତ ଆଗରେ ଦକ୍ଷିଣ ଆଫ୍ରିକା ଆତ୍ମସମର୍ପଣ କରିଛି। ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ହରାଇ ବିଶାଳ ବିଜୟ ସହିତ ଭାରତ ପଏଣ୍ଟ ତାଲିକାର ଶୀର୍ଷରେ ନିଜ ସ୍ଥାନ ମଜବୁତ କରିଛି। ଆଉ ଦକ୍ଷିଣ ଆଫ୍ରିକାର ବିଜୟ ରଥ ଉପରେ ବ୍ରେକ ଲଗାଇଛି ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ଉଭୟ ଦଳ ସେମି ଫାଇନାଲ୍କୁ ଉନ୍ନୀତ ହୋଇ ସାରିଥିଲେ ହେଁ ଆଜିର ମୁକାବିଲା ଶୀର୍ଷରେ କେଉଁ ଦଳ ପହଞ୍ଚିବ ତା ଉପରେ ସମଗ୍ର କ୍ରିକେଟ୍ ପ୍ରେମୀଙ୍କ ନଜର ଥିଲା। ବିଶ୍ଵକପରେ କ୍ରମାଗତ ବିଜୟ ହାସଲ କରିବା ତାଲିକାରେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଲଗାତାର ୧୧ ବିଜୟ ସହ ଶୀର୍ଷରେ ଥିବା ବେଳେ ଭାରତ ଚଳିତ ବିଶ୍ଵକପ୍ରେ କ୍ରମାଗତ ୮ଟି ମ୍ୟାଚ୍ ଜିତିଛି।
ଟସ୍ ଜିତି ପ୍ରଥମେ ବ୍ୟାଟି କରିଥିବା ଭାରତ ବିରାଟ କୋହଲିଙ୍କ ଅପରାଜିତ ୧୦୧ ରନ ଓ ଶ୍ରେୟସ ଆୟରଙ୍କ ୭୭ ରନର ଅର୍ଦ୍ଧଶତକୀୟ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୩୨୬ ରନ କରିଥିଲା। ଅଧିନାୟକ ରୋହିତ ଶର୍ମା ୪୦ ରନ ଓ ରବୀନ୍ଦ୍ର ଜାଡ଼େଜା ୨୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୨୭.୧ ଓଭରରେ ମାତ୍ର ୮୩ ରନରେ ଅଲଆଉଟ୍ ହୋଇଛି। ଦଳର ଜଣେ ହେଲେ ବ୍ୟାଟର ୨୦ ରନ ବି କରି ପାରି ନାହାନ୍ତି। ୧୪ ରନ କରି ମାର୍କୋ ଜେନସେନ ଦଳର ଥିଲେ ସର୍ବାଧିକ ରନ ସ୍କୋରର। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ଶାଣିତ ବୋଲିଂ କରି ୩୩ ରନ ଦେଇ ୫ଟି ସଫଳତା ହାସଲ କରିଛନ୍ତି। ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଦିନିକିଆରେ ଏହା ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ୨୦୨୨ ଫେବୃଆରୀ ୨୨ରେ ଫିରୋଜଶାହା କୋଟଲା ଷ୍ଟାଡିୟମ(ବର୍ତ୍ତମାନ ଅରୁଣ ଜେଟଲୀ ଷ୍ଟାଡିୟମ) ରେ ଖେଳାଯାଇଥିବା ଦିନିକିଆରେ ଦକ୍ଷିଣ ଆଫ୍ରିକା ୯୯ ରନରେ ଅଲଆଉଟ୍ ହୋଇଥିଲା।