ଓପିଟିସିଏଲର ବିଭିନ୍ନ ଟ୍ରାନ୍ସମିସନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ଓଡ଼ିଶା ବିଦ୍ୟୁତ ସଂଚରଣ ନିଗମ ଲିମିଟେଡ୍ -ଓପିଟିସିଏଲ୍ର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଟ୍ରାନ୍ସମିସନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ଓଡ଼ିଶା ବିଦ୍ୟୁତ ସଂଚରଣ ନିଗମ ଲିମିଟେଡ୍ -ଓପିଟିସିଏଲ୍ର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଟ୍ରାନ୍ସମିସନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିସିସିଏଫ୍ ( ନୋଡାଲ ) , ଓପିଟିସିଏଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ , ଶକ୍ତି ବିଭାଗ , ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୈଠକରେ ୨୨୦ / ୩୩ କେଭି ବାଲିଗୁଡା ଗ୍ରିଡ୍ ସବ୍ ଷ୍ଟେସନ ସମେତ ୨୨୦ କେଭି କେସିଙ୍ଗା – ବାଲିଗୁଡ଼ା ଲାଇନ୍ , ୧୩୨ କେଭି ବୌଦ୍ଧ – ଫୁଲବାଣୀ ଡିସି ଲାଇନ୍ , ୧୩୨ କେଭି ବୌଦ୍ଧ – କିଆକଟା ଡିସି ଲାଇନ୍ , ୨୨୦ କେଭି ଲିଲୋ ଲାଇନ୍ ରୁ ୨୨୦ / ୩୩ କେଭି ଦଶପଲ୍ଲା ଗ୍ରିଡ୍ , ଦିଗପହଣ୍ଡି – ମୋହନା ଲାଇନ୍ ରୁ ଆର.ଉଦୟଗିରି ଗ୍ରିଡକୁ ଲିଲୋ ଲାଇନ୍ , ୨୨୦ କେଭି କେନ୍ଦୁଝର – ତୁରୁମୁଙ୍ଗା ଡିସି ଲାଇନ୍ ଆଦି ବିଭିନ୍ନ ପ୍ରକଳ୍ପର ଜଙ୍ଗଲ ମଞ୍ଜୁରୀ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା । ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ , ବହୁପୂର୍ବରୁ ଆରମ୍ଭ ହୋଇଥିବା ଏହି ସବୁ ପ୍ରକଳ୍ପ ଜଙ୍ଗଲ ସଂପର୍କିତ ସମସ୍ୟା ଯୋଗୁଁ କାର୍ଯ୍ୟକାରୀ ହେବାରେ ବିଳମ୍ବିତ ହୋଇଛି । ଗୁଣାତ୍ମକ ଏବଂ ବିଶ୍ବସନୀୟ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବାରେ ଏହି ପ୍ରକଳ୍ପଗୁଡ଼ିକର ଗୁରୁତ୍ବକୁ ଦୃଷ୍ଟିରେ ରଖ୍ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓପିଟିସିଏଲକୁ ଜଙ୍ଗଲ ମଞ୍ଜୁରୀ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ ଏବଂ ପିସିସିଏଫ ( ନୋଡାଲ ) ଙ୍କୁ ଏହି ପ୍ରସଙ୍ଗକୁ ଭାରତ ସରକାରଙ୍କ ପରିବେଶ , ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରାଳୟ ଅଧୀନସ୍ଥ ସମନ୍ବିତ ଆଂଚଳିକ କାର୍ଯ୍ୟାଳୟ ( ଆଇଆରଓ ) ସହିତ ଆଲୋଚନା କରିବା ପାଇଁ ଏ ସଂକ୍ରାନ୍ତରେ ଓପିଟିସିଏଲକୁ ଆବଶ୍ୟକ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।