ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ: ଜାହାଜକୁ ଗିରଫ କର
ପାରାଦୀପ ବନ୍ଦରରେ ଥିବା ଜାହାଜ (ଏମ୍.ଭି ଜେଡ୍ଏଚ୍ଇ ଏଚ୍ଏଆଇ ୫୦୫ (ଆଇଏମ୍ଓ ନମ୍ବର-୯୫୬୭୪୭୭)କୁ ଗିରଫ କରିବା ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ପାରାଦୀପ ବନ୍ଦରରେ ଥିବା ଜାହାଜ (ଏମ୍ଭି ଜେଡ୍ଏଚ୍ଇ ଏଚ୍ଏଆଇ ୫୦୫) (ଆଇଏମ୍ଓ ନମ୍ବର-୯୫୬୭୪୭୭) କୁ ଗିରଫ କରିବା ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଗିରଫ ପାଇଁ ଆଦେଶ ଦିଆ ନଯାଏ, ଏହି ଜାହାଜଟି ପାରାଦୀପ ବନ୍ଦର ଛାଡ଼ିଦେବାର ଆଶଙ୍କା ରହିଛି । ତେଣୁ ତୁରନ୍ତ ଜାହାଜକୁ ଗିରଫ କରିବାକୁ ସୋମବାର ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ଆବେଦନକାରୀ, ହାଇକୋର୍ଟଙ୍କ ଏହି ଆଦେଶ କପି ସହ ହାଇକୋର୍ଟ ମାର୍ସାଲଙ୍କ ଚିଠି, ମେଲ୍, ଫାକ୍ସ ଅବା ବ୍ୟକ୍ତିଗତ ଭାବେ ପ୍ରଦାନ କରିବେ। ଆହୁରି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ଆସନ୍ତା ୨୪ ଘଣ୍ଟାରେ ଆବେଦନକାରୀ ଏହି ଗିରଫ ସଂକ୍ରାନ୍ତ ୱାରେଣ୍ଟକୁ ପ୍ରଦାନ କରିବେ । ଆବେଦନକାରୀ ସଂସ୍ଥା ସ୍କାଣ୍ଡି ଟ୍ରେଡିଂ ଲିମିଟେଡକୁ ଜାହାଜ ମାଲିକ ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ପ୍ରଦାନ ନ କରିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଚାରପତି ଜଷ୍ଟିସ୍ ଭି. ନରସିଂହ ସୋମବାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଅଗଷ୍ଟ ପହିଲାକୁ ଧାର୍ଯ୍ୟ ହୋଇଛି । ଆଡମିରାଲିଟି ଆଇନ ଆଧାରରେ ଜାହାଜକୁ ଗିରଫ ପାଇଁ ପଦକ୍ଷେପ ନିଆଯିବ ।
ମାମଲାରୁ ଜଣାଯାଇଛି ଯେ, ‘ଲୋ ସଲଫର ମ୍ୟାରିନ୍ ଗ୍ୟାସ୍ ଅଏଲ୍’ କାରବାରକୁ ନେଇ ଉଭୟ ଆବେଦନକାରୀ ଟ୍ରେଡିଂ ସଂସ୍ଥା ଏବଂ ଜାହାଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଜାହାଜର ମାଲିକ ଟ୍ରେଡିଂ ସଂସ୍ଥାକୁ ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ପ୍ରଦାନ କରିବା କଥା । କିନ୍ତୁ ଜାହାଜ ମାଲିକ ଏହି ଅର୍ଥ ନଦେବାରୁ ଆବେଦନକାରୀ ଟ୍ରେଡିଂ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଡମିରାଲିଟି ଆଇନର (ଜୁରିଡିକସନ୍ ଆଣ୍ଡ ସେଟେଲ୍ ମେଣ୍ଟ୍ ଅଫ୍ ମ୍ୟାରିଟାଇମ୍ କ୍ଲେମ୍ ସ୍ )-୨୦୧୭ ଧାରା (୪)(୧)(ଆଇ)ରେ ଏହି ମାମଲା ରୁଜୁ ହୋଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଦାଖଲ ସମସ୍ତ ଦସ୍ତାବିଜ୍ ଏବଂ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଏହାକୁ ଶୁଣିବା ପରେ ଏଥିରେ ପ୍ରାଥମିକ ପ୍ରମାଣ ଥିବା ଅନୁଭବ କରି ମାମଲା ବିଚାର ପାଇଁ ଗ୍ରହଣୀୟ ବୋଲି ହାଇକୋର୍ଟ କହିଛନ୍ତି । ଯଦି ଜାହାଜକୁ ଗିରଫ ପାଇଁ ଆଦେଶ ଦିଆନଯାଏ ତାହେଲେ ଆବେଦନକାରୀ ନିରାଶ ହେବେ । ଏବଂ ଯେଉଁ ସୁଟ୍ ଟି ରୁଜୁ କରାଯାଇଛି ତାହା ମଧ୍ୟ ଅକାମୀ ହୋଇଯିବ । ଅପରପକ୍ଷରେ ପାରାଦୀପ ବନ୍ଦରରେ ବର୍ତ୍ତମାନ ରହିଥିବା ଜାହାଜଟି ଏହି ସ୍ଥାନକୁ ଖୁବ୍ ଶୀଘ୍ର ଛାଡ଼ି ଚାଲିଯିବା ଆଶଙ୍କା ରହିଛି । ତେଣୁ ଏହି ପରିପ୍ରେକ୍ଷୀରେ ତୁରନ୍ତ ଏହି ଜାହାଜକୁ ପାରାଦୀପ ବନ୍ଦରରେ ଗିରଫ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସୂଚନା ଯୋଗ୍ୟ ଯେ ଏହି ଜାହାଜ ବର୍ଥିଂ ନ ହୋଇ ଅଦର ରେଡି ସେଗ୍ ମେଣ୍ଟ୍ ରେ ରହିଛି ତେବେ ମିଳିଥିବା ସୂଚନା ଆନୁଯାୟୀ ଜାହାଜ କୁ ସନ୍ଧ୍ୟା ସୁଦ୍ଧା ଗିରଫ କରାଯାଇଛି ।