ବଜେଟ୍ ୨୦୨୪: କୃଷି କ୍ଷେତ୍ର ଲାଗି ୧.୫୨ ଲକ୍ଷ କୋଟି ଟଙ୍କା ଆବଣ୍ଟିତ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଛନ୍ତି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ଦେଶର କୃଷକଙ୍କୁ ଖାସ ଧ୍ୟାନରେ ରଖାଯାଇଛି । ପିଏମ କିଷାନ କ୍ରେଡିଟ କାର୍ଡକୁ ନେଇ ସୀତାରମଣ ବଡ଼ ଘୋଷଣା କରିଛନ୍ତି । ଦେଶରେ ୫ଟି ରାଜ୍ୟରେ ଜନ ସମର୍ଥନ ଆଧାରରେ କିଷାନ କ୍ରେଡିଟ୍ କାର୍ଡ ଜାରି କରାଯିବ । କମ୍ ସୁଧରେ କୃଷକଙ୍କୁ ଋଣ ଦେବା ଲାଗି କିଷାନ କ୍ରେଡିଟ କାର୍ଡ ବେଶ ଉପଯୋଗୀ ।
କୃଷକଙ୍କୁ ଆର୍ଥିକ ସହାୟତା କରିବା ଲାଗି କିଷାନ କ୍ରେଡିଟ କାର୍ଡ ଜାରି ହେଉଛି । ଏହି ଯୋଜନାରେ କୃଷକଙ୍କୁ ୩ ଲକ୍ଷ ଟଙ୍କା ଋଣ ଉପରେ ୪ ପ୍ରତିଶତ ସୁଧ ଦେବାକୁ ହେବ । ଅଧିକ ସୁଧ ଭାରରୁ ବର୍ତ୍ତିବା ଲାଗି କୃଷକମାନେ ଏହି କାର୍ଡର ବ୍ୟବହାର କରୁଛନ୍ତି । କିଷାନ କ୍ରେଡିଟ୍ କାର୍ଡ ହିତାଧିକାରୀଙ୍କ ବୟସ ୧୮ରୁ ୭୫ ବର୍ଷ ଧାର୍ଯ୍ୟ କରାଯାଇଛି । ଏହି ଯୋଜନାରେ କୃଷକଙ୍କ ମୃତ୍ୟୁ ହେଲେ ୫୦ ହଜାର ଟଙ୍କା ସହାୟତା ରାଶି ଏବଂ କୌଣସି କାରଣରୁ ଆହତ ହେଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରୁଛନ୍ତି ସରକାର ।
କ୍ରେଡିଟ କାର୍ଡର ବୈଧତା ୩ ବର୍ଷ ଯାଏଁ ଥିବା ବେଳେ ଅମଳ ପରେ ଚାଷୀ ନିଜର ଋଣ ପରିଶୋଧ କରିପାରିବେ । ସେପଟେ ଆର୍ଥିକ ବର୍ଷ ୨୦୨୪-୨୫ରେ କୃଷି ଏବଂ ଏହା ଅନ୍ତର୍ଗତ ଅନ୍ୟ କ୍ଷେତ୍ର ଲାଗି ଅର୍ଥମନ୍ତ୍ରୀ ୧.୫୨ ଲକ୍ଷ କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଆଗାମୀ ୨ ବର୍ଷ ଭିତରେ ପ୍ରାୟ ଏକ କୋଟି କୃଷକଙ୍କୁ ନ୍ୟାଚୁରାଲ ଫାର୍ମିଂ ବା କେମିକାଲ ମୁକ୍ତ ଚାଷ ସଂପର୍କରେ ପ୍ରଶିକ୍ଷଣ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
ଅନ୍ୟପଟେ ଦେଶରେ ପନିପରିବା ଚାହିଦା ପୂରଣ କରିବା ଲାଗି ପନିପରିବା ଉତ୍ପାଦନ କ୍ଲଷ୍ଟର ପାଇଁ ସରକାର ଘୋଷଣା କରିଛନ୍ତି । ସେହିଭଳି ପାଣିପାଗକୁ ସୁହାଇଲା ଭଳି ଚାଷ ଉପରେ ଗୁରୁତ୍ବ ଦିଆଯାଇଛି । ୧୦୯ ପ୍ରକାର ପାଣିପାଗ ଉପଯୋଗୀ ଚାଷ ସଂପର୍କରେ ଚାଷୀମାନଙ୍କୁ ଅବଗତ କରାଇବା ସହ ଏହା ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଦେଶର ୪୦୦ ଜିଲ୍ଲାରେ ଖରିଫ ଫସଲ ପାଇଁ ‘ଡିଜିଟାଲ କ୍ରପ୍ ସର୍ଭେ’ କରାଯିବ ବୋଲି ସୀତାରମଣ କହିଛନ୍ତି ।