୨୨୦ ଓଏଏସ୍ ଅଫିସରଙ୍କ ବଦଳି

ରାଜ୍ୟ ସରକାର ଶନିବାର ବିଳମ୍ବିତ ସନ୍ଧ୍ୟାରେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ଏହି ବଦଳି ନିର୍ଦ୍ଦେଶ ସହ ସମସ୍ତ ଅଫିସରଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲୀ ରିଲିଭ୍ କରାଯାଇଛି ଓ ୨୫ତାରିଖ ସୁଦ୍ଧା ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ ସରକାର ତାଗିଦ୍ କରିଛନ୍ତି । ଯଦିଓ ଦୁର୍ଗାପୂଜା ପାଇଁ ୨୧ରୁ ୨୪ତାରିଖ ପର୍ଯ୍ୟନ୍ତ ସଚିବାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଛୁଟି ରହିଛି ।
ତେବେ ଗତ ୨୦ ଓ ୨୧ତାରିଖ ଦୁଇଦିନ ଧରି ପଂଚାୟତିରାଜ ବିଭାଗ ଏବଂ ରାଜସ୍ୱ ବିଭାଗ ଦ୍ୱାରା ଜାରି ଓଏଏସ୍ ଅଫିସରଙ୍କ ବଦଳି ବିଜ୍ଞପ୍ତିରେ ରାଜ୍ୟ ସରକାର ନିଜର ଏକଛତ୍ରବାଦୀ ନୀତିର ପରିଚୟ ଦେବାକୁ ପଛାଇ ନାହାନ୍ତି । ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବଦଳି ନୀତି ଓ ଓଡ଼ିଶା ସର୍ଭିସ କୋଡ୍କୁ ଖୋଲାଖୋଲି ଉଲ୍ଲଘଂନ କରିବା ସହ ବଦଳି କ୍ଷେତ୍ରରେ ଜିଲ୍ଲାପାଳମାନଙ୍କ କ୍ଷମତାକୁ ବି କାଢ଼ି ନେଇଥିବା ଜଣାପଡ଼ିଛି । ଆଉ ଏସବୁ କେବଳ ତୃତୀୟ ମହଲା(ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ)ର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ହେଉଥିବା ଚର୍ଚ୍ଚା ।
ସୂଚନା ଅନୁସାରେ, ଦୁର୍ଗା ପୂଜା ପାଇଁ ଛୁଟି ଥିବା ସତ୍ତ୍ୱେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଶନିବାର ସନ୍ଧ୍ୟାରେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି ବିଜ୍ଞପ୍ତି ଜାରି କରାଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ଅଫିସରମାନଙ୍କ ସମୂହ ବଦଳି ରାଜ୍ୟ ସରକାରଙ୍କ କାର୍ଯ୍ୟର ଅଂଶବିଶେଷ ତଥା ସ୍ୱାଭାବିକ ପ୍ରକ୍ରିୟା । ମାତ୍ର ଯେଉଁ ଢଙ୍ଗରେ ସରକାର ଏବେ ଅଫିସରମାନଙ୍କ ବଦଳି ନିର୍ଦ୍ଦେଶ ଜାରି କରୁଛନ୍ତି ଓ ସେଥିରେ ଜିଲ୍ଲାସ୍ତରର ଅଫିସରମାନଙ୍କୁ ରିଲିଭ୍ କରିବା କ୍ଷମତା ଜିଲ୍ଲାପାଳମାନଙ୍କଠୁ କାଢ଼ି ନେଇ ବିଭାଗ ଦ୍ୱାରା କରାଉଛନ୍ତି ତାହା ଓଡ଼ିଶା ସର୍ଭିସ କୋଡ୍ ଓ ବଦଳି ନୀତିରେ ଥିବା ପ୍ରାବଧାନକୁ ଖୋଲା ଉଲ୍ଲଘଂନ କରୁଛି । ଏପରିକିି ଜିଲ୍ଲାସ୍ତରର ଅଫିସରମାନଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲି ରିଲିଭ୍ କରାଯିବା ଓ ଦାୟିତ୍ୱ ହସ୍ତାନ୍ତର ପାଇଁ ସେମାନଙ୍କୁ ସମୟ ଦିଆନଯିବା ଦ୍ୱାରା ପରୋକ୍ଷରେ ରାଜ୍ୟରେ ନୂଆ ପ୍ରଶାସନିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ।