ସ୍ପଷ୍ଟ କଲେ ମନମୋହନ: ମେଣ୍ଟକୁ ନା
ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ସସପେନ୍ସ ହେଲା କ୍ଲିୟର । ଦ୍ୱନ୍ଦ୍ୱ ହେଲା ଦୂର । ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନେଇ ଚାଲିଥିବା କିଛି ଦିନର ଚର୍ଚ୍ଚାରେ ବିରାମ ପଡ଼ିଛି । ଓଡ଼ିଶାରେ ବିଜେପି ଏକାକୀ ସରକାର କରିବ ବୋଲି ମନମୋହନ କହିବା ସହ ଆସନ୍ତାକାଲି ଅପରାହ୍ନରେ ଦଳୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି ।
ସେ କହିଛନ୍ତି ଯେ ଆସନ୍ତାକାଲି ହେବାକୁ ଥିବା ନିର୍ବାଚନ କମିଟି ବୈଠକରେ ସମସ୍ତ ସିଟ ପାଇଁ ପରୀକ୍ଷା ନିରୀକ୍ଷା କରାଯିବ । ବୈଠକର ସବିଶେଷ ରିପୋର୍ଟ ସଂସଦୀୟ କମିଟିକୁ ପଠାଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏଥିସହ ବିଜେପି ଏକାକୀ ସରକାର କରିବ ବୋଲି ଶ୍ରୀ ସାମଲ ଦୃଢୋକ୍ତ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃଥ୍ୱରେ ବିଜେପି ଲଢିବ ଓ ସରକାର କରିବ ବୋଲି ସେ କହିଛନ୍ତି । ଏହି କ୍ରମରେ ସେ କହିଛନ୍ତି ଯେ ଓଡ଼ିଶାର ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ । ଦେଶରେ ତୃତୀୟ ଓ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର କରିବ । ମୋଦୀଙ୍କୁ ଆଧାର କରି ଆମେ ଓଡ଼ିଶାରେ ସରକାର କରିବୁ ବୋଲି ଶ୍ରୀ ସାମଲ କହିଛନ୍ତି ।
ଲୋକମାନଙ୍କର ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ନିର୍ବାଚନ ଲଢିବୁ । ଆଉ ସରକାର କରିବୁ ।
ତେବେ ‘ଓଡ଼ିଶାରେ ବିଜେପି ଏକାକୀ ସରକାର କରିବ’ ବୋଲି ମନମୋହନଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ହେଉଛି ଆଗାମୀ ଦିନରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।
ମେଣ୍ଟହେବ କି ନାହିଁ ପ୍ରଶ୍ନର ଉତ୍ତରରେ ମନମୋହନ କହିଛନ୍ତି ଯେ ମୁଁ ବାରମ୍ବାର କହୁଛି ଓଡ଼ିଶାରେ ବିଜେପି ସରକାର ହେବ । ନହେଲେ ମୁଁ କହିଥାନ୍ତି ଆଉ କାହା ସହ ମିଶି ସରକାର କରିବୁ । ବିଜେପି ଏକାକୀ ସରକାର କରିବ ବୋଲି ମନମୋହନ ସ୍ପଷ୍ଟଭାବେ କହିଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଓଡ଼ିଶାରେ ମେଣ୍ଟ ହେଉନାହିଁ । ତେବେ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ମେଣ୍ଟ ନହେବା ନେଇ ମନମୋହନ ନିଶ୍ଚିତଭାବେ କିଛି ସୁରାକ ପାଇଥିବେ । ନହେଲେ କେନ୍ଦ୍ର ନେତୃତ୍ୱଙ୍କ ଘୋଷଣା ପୂର୍ବରୁ ମନମୋହନ ମେଣ୍ଟକୁ ପରୋକ୍ଷରେ ନା କହିନଥାନ୍ତେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଗତ କିଛି ଦିନ ଧରି ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେଇ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ବିଜେପି ନେତାମାନେ ତୁହାକୁ ତୁହା ଦିଲ୍ଲୀ ଯାଇ ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରୁଥିଲେ । ଗୁରୁବାର ସକାଳେ ହିଁ ରାଜ୍ୟ ବିଜେପି ସଭାପତି ଦିଲ୍ଲୀରୁ ଫେରିଥିଲେ । ଆଉ ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ଏ ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି । କୁହାଯାଉଛି ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳ ଭିତରେ ସହମତି ନହେବାରୁ ମେଣ୍ଟ ହେବନାହିଁ ।
ଗତ ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ ପରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଚଳିତ ମାସ ୫ ତାରିଖରେ ମୋଦିଙ୍କ ଚଣ୍ଡିଖୋଲ ଗସ୍ତପରେ ମେଣ୍ଟ ଚର୍ଚ୍ଚା ଅଧିକ ଘନେଇଥିଲା । ମେଣ୍ଟ ଚର୍ଚ୍ଚା ନେଇ କିନ୍ତୁ ଉଭୟ ଦଳ ଖଣ୍ଡନ କରିଥିଲେ । ଗଣମାଧମୟରେ ନାହିଁ ନାହିଁ କରୁଥିବା ଦୁଇ ଦଳର ନେତା ବାରମ୍ବାର ଦିଲ୍ଲୀ ଗସ୍ତ କରି ବୈଠକ କରୁଥିଲେ । ଦିଲ୍ଲୀରେ ଘନ ଘନ ବୈଠକ ବସୁଥିଲେ ମଧ୍ୟ ଆସନ ବୁଝାମଣା ହୋଇପାରୁ ନଥିବାରୁ ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିପାରୁନଥିଲା । ଅନ୍ୟପଟେ ଲୋକସଭା ନିର୍ବାଚନ ପାଇଁ ବିଜେପି ଦ୍ବିତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲେ ବି ଏଥିରେ ଓଡିଶା ସାମିଲ ନାହିଁ । ଯାହା ବିଜେଡି-ବିଜେପି ମେଣ୍ଟ ହେବା ଚର୍ଚ୍ଚାକୁ ଆହୁରି ଦୃଢ଼ିଭୂତ କରିଥିଲା। କିନ୍ତୁ ମନମୋହନ ସାମଲଙ୍କ ଆଜିର ମନ୍ତବ୍ୟରୁ ମେଣ୍ଟ ହେବନି ବୋଲି ସ୍ପଷ୍ଟ ଜଣାପଡ଼ୁଛି ।
ଅପରପକ୍ଷେ, ଆଜି ଅପରାହ୍ନରେ ବିଜେଡିର ହେଭିୱେଟ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ କ’ଣ ଆଲୋଚନା ହେବ ଓ ତା’ର ନିଷ୍କର୍ସ କ’ଣ ବାହାରିବ ତାହା ଉପରେ ସମସ୍ତଙ୍କ ନଜର।