ହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ । ହାତୀ ଉପଦ୍ରବ ଯୋଗୁଁ ଲୋକଙ୍କ ବ୍ୟାପକ ଧନଜୀବନ ହାନୀ ଘଟୁଥିବା ବେଳେ ନିରୀହ ଲୋକଙ୍କୁ ହାତୀ ଆକ୍ରମଣ କରି ଜୀବନରୁ ମାରିଦେଉଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି।

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ । ହାତୀ ଉପଦ୍ରବ ଯୋଗୁଁ ଲୋକଙ୍କ ବ୍ୟାପକ ଧନଜୀବନ ହାନୀ ଘଟୁଥିବା ବେଳେ ନିରୀହ ଲୋକଙ୍କୁ ହାତୀ ଆକ୍ରମଣ କରି ଜୀବନରୁ ମାରିଦେଉଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଆଜି ହାତୀ ଆକ୍ରମଣରେ ଜନୈକ ବୃଦ୍ଧଙ୍କ ଅତ୍ୟନ୍ତ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନାନୁସାରେ ରାସଗୋବିନ୍ଦପୁର ଥାନା ଅଧୀନ ପାରୁଳିଆ ନିକଟରେ ଆଜି ଭୋର ସମୟରେ ଜନୈକ ବୃଦ୍ଧଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହାତୀ ଆକ୍ରମଣ କରି ଜୀବନରୁ ମାରି ଦେଇଛି। ପଶ୍ଚିମବଙ୍ଗର ନୟାଗ୍ରାମ ଥାନା ଅଧୀନ ଯୋଗୀଶୋଳ ଗ୍ରାମର ଗଣେଶ୍ୱର ପାତ୍ରଙ୍କ ପୁଅ ଅଧର ପାତ୍ର (୮୦) ଏହି ଥାନା ଅଧିନ ସାରୁମୂଳା ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ।
ଆଜି ଭୋର ସମୟରେ ବୃଦ୍ଧଜଣକ ଶୌଚ ପାଇଁ ଯାଉଥିବା ସମୟରେ ହଠାତ୍ ଏକ ଦନ୍ତା ବୃଦ୍ଧଙ୍କୁ ଆକ୍ରମଣ କରିବା ସହ ଶୁଣ୍ଢରେ କଚାଡ଼ି ଗୋଡ଼ରେ ଦଳି ଜୀବନରୁ ମାରି ଦେଇଥିଲା। ଖବର ପାଇ ରାସଗୋବିନ୍ଦପୁର ରେଞ୍ଜର ମହାବୀର ସିଂ ମୁର୍ମୁ ଏବଂ କର୍ମଚାରୀ, ରାସଗୋବିନ୍ଦପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ଜବତ କରି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଥିବା ଜଣାପଡ଼ିଛି।