୬ ବର୍ଷ ପରେ ବାପ ପୁଅଙ୍କୁ ଏକାଠି କରାଇଲା ଆଧାର କାର୍ଡ
ବର୍ତ୍ତମାନ ସମୟରେ ଦେଶରେ ବିଭିନ୍ନ କାର୍ୟ୍ୟ କରିବା ଲାଗି ବ୍ୟବହୃତ ହେଉଛି ଆଧାର କାର୍ଡ। ସରକାରୀ ଯୋଜନାର ଲାଭ ପାଇବା ଠାରୁ ବ୍ୟାଙ୍କ ଖାତା ଖୋଲିବା ପର୍ୟ୍ୟନ୍ତ ସମସ୍ତ କାମରେ ଆଧାର କାର୍ଡ ବ୍ୟବହାର କରାଯାଉଛି

ବର୍ତ୍ତମାନ ସମୟରେ ଦେଶରେ ବିଭିନ୍ନ କାର୍ୟ୍ୟ କରିବା ଲାଗି ବ୍ୟବହୃତ ହେଉଛି ଆଧାର କାର୍ଡ। ସରକାରୀ ଯୋଜନାର ଲାଭ ପାଇବା ଠାରୁ ବ୍ୟାଙ୍କ ଖାତା ଖୋଲିବା ପର୍ୟ୍ୟନ୍ତ ସମସ୍ତ କାମରେ ଆଧାର କାର୍ଡ ବ୍ୟବହାର କରାଯାଉଛି। ହେଲେ ଏବେ ଆଧାର କାର୍ଡ ପାଇଁ ଏକାଠି ହୋଇପାରିଛି ଏକ ପରିବାର।
ଆଧାର କାର୍ଡ ପାଲଟିଲା ମିଳନର ମାଧ୍ୟମ । ଆଧାର କାର୍ଡ ପାଇଁ ଦିବ୍ୟାଙ୍ଗ ପୁଅକୁ ୬ ବର୍ଷ ପରେ ନିଜ ପରିବାର ଫେରି ପାଇବା ଚର୍ଚ୍ଚାର ବିଷୟ ହୋଇଛି। ଗତ ୨୦୧୭ ଜୁନ ୨ ତାରିଖରେ ଜଣେ ୧୨ ବର୍ଷର ଜଣେ ଦିବ୍ୟାଙ୍ଗ ନାବାଳକ କେନ୍ଦୁଝର ବଜାରରେ କାନ୍ଦି କାନ୍ଦି ବୁଲୁଥିଲା। ଖବର ପାଇ କେନ୍ଦୁଝର ଶିଶୁ ମଙ୍ଗଳ ସମିତି କର୍ମକର୍ତ୍ତା ତାକୁ ଉଦ୍ଧାର କରିଥିଲେ। ନାବାଳକ ଜଣଙ୍କ ମୂକ ବଧିର ହୋଇଥିବାରୁ ସେ ନିଜ ପରିଚୟ ଦେଇ ପାରିନଥିଲା। ପରେ ନାବାଳକକୁ ତେଲକୋଇ ସ୍ଥିତ ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ପଠାଇ ଦିଆଯାଇଥିଲା।
କିଛି ଦିନ ତଳେ ସେହି ନାବାଳକର ଆଧାର କାର୍ଡ ତିଆରି କରିବା ପାଇଁ ଟିପ ଚିହ୍ନ ନିଆଯାଇଥିଲା। ହେଲେ ଟିପ ଚିହ୍ନ ନେବା ବେଳେ ପୂର୍ବରୁ ତାଙ୍କର ଆଧାର କାର୍ଡ ରହିଥିବା ଜଣାପଡିଥିଲା। ସେହି ଆଧାର କାର୍ଡ ଥିବା ଘର ବିହାର ଦରଭଙ୍ଗା ଜିଲ୍ଲାର ଶାହପୁର ଗ୍ରାମର ବୋଲି ଜଣାପଡିଥିଲା। ନାବାଳକ ଜଣଙ୍କ ରାମକିଶୋର ଯାଦବଙ୍କ ପୁଅ ମଣ୍ଟୁ କୁମାର ବୋଲି ଜଣାପଡିଥିଲା। ଏହାପରେ ପ୍ରଶାସନ ପକ୍ଷରୁ ତାଙ୍କ ନାବାଳକର ଅଭିବାବକଙ୍କ ସହ ଯୋଗାଯୋଗ କରାଯାଇଥିଲା। ପରେ ବାପା କେନ୍ଦୁଝର ଠାରେ ପହଁଞ୍ଚି ସେ ନିଜ ହଜିଲା ପୁଅକୁ ଦେଖି ଖୁସି ହୋଇଯାଇଥିଲେ। ଏହା ପରେ ତାଙ୍କ ବାପା ତାଙ୍କ ହଜିଲା ପୁଅକୁ ପାଇ ନିଜ ଘରକୁ ଫେରି ଯାଇଥିଲେ। ଆଧାର କାର୍ଡ କାରଣରୁ ଉଭୟ ବାପା-ପୁଅ ଏକାଠି ହେବା ଚର୍ଚ୍ଚାର ବିଷୟ ପାଲଟିଛି।