'ଦାନା' ନେଇଯିବ କି ଚାଷୀଙ୍କ ଦାନା
'ଦାନା' ଉଜାଡିବ ନେବ କି ଶହଶହ ହେକ୍ଟର ଜମିର ଫସଲ

'ଦାନା' ମାଡ଼ି ଆସୁଛି । ଚାଷୀଙ୍କ ବର୍ଷକର ଦାନା ଛଡାଇନେବ! ସମ୍ଭାବ୍ୟ ବାତ୍ୟା 'ଦାନା' ଭୟରେ ଭୟଭୀତ ବାଲିପାଟଣା ବ୍ଲକ ଅଞ୍ଚଳର ଚାଷୀକୁଳ । 'ଦାନା' ଉଜାଡିବ ନେବ କି ଶହଶହ ହେକ୍ଟର ଜମିର ଫସଲ । ଏବେ 'ଦାନା' ଚିନ୍ତାରେ 'ଅରିଶୋ'ରୁ ରାଜସ, 'ଅଲାଇ'ରୁ 'ଅରିଲୋ', 'ବିଶୁନିଆପଡ଼ା'ରୁ 'ବିଶ୍ୱାଳପଡ଼ା', 'ମାଣିକପୁର'ରୁ 'ପଦ୍ମପୁର' 'ସରିପୁର' ଏମିତି କେତେ କେତେ ଗାଁର ଚାଷୀକୁଳ ।
ବାଲିପାଟଣା ବ୍ଲକ କୃଷି ବିଭାଗର ସୂଚନା ଅନୁସାରେ ଚଳିତ ବର୍ଷ ବାଲିପାଟଣା ବ୍ଲକରେ ୯୫୭୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ହୋଇଛି । ସେଥି ମଧ୍ୟରୁ ସାଢେ ୪ ହଜାର ହେକ୍ଟର ଖାଲୁଆ ଜମି ବୋଲି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦିଆଯାଇଛି । ୨୨୦୦ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ପରିବା ଚାଷ ହୋଇଛି । ୨ରୁ ୩ଶହ ହେକ୍ଟର ଖାଲୁଆ ଜମିରେ ବି ଚାଷ ହୋଇଛି । ପବନ, ବର୍ଷା ହେଲେ ଏହି ଖାଲୁଆ ଚାଷ ଜମି ଅଧିକ ପ୍ରଭାବିତ ହେବ ବୋଲି କୃଷି ବିଭାଗ ଆକଳନ କରିଛି । ଏହି ପ୍ରତିନିଧି ମଙ୍ଗଳବାର ବାଲିପାଟଣା ବ୍ଲକର ବିଭିନ୍ନ ଅଞ୍ଚଳର ଚାଷୀକୁଳକୁ ଭେଟି ସମ୍ଭାବ୍ୟ ବାତ୍ୟା ‘ଦାନା’ ନେଇ ମତାମତ ସଂଗ୍ରହ କରିଥିଲା। ବାଗଲପୁର ଗ୍ରାମର ଚାଷୀ ବିଜୟ ପ୍ରଧାନ ‘ଦାନା’ ଦାନା ଛଡେଇ ନେବା ଆଶଂକାରେ ରହିଥିବା କହିଛନ୍ତି । ଏଥର ବାବୁ ବିଜୟ ୩ ଏକରରୁ ଅଧିକ ଜମିରେ ଧାନ ଚାଷ କରିଛନ୍ତି। ଏଥିରେ ସେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଏବେ ତାଙ୍କର ଧାନ ଥୋଡ ଅବସ୍ଥାରେ ଅଛି। ସରାଟ ଶାସନ ଗ୍ରାମର କାର୍ତ୍ତିକ ଚନ୍ଦ୍ର ଦାଶ ୩ ଏକର ଜମିରେ ଖରିଫ ଧାନ ଚାଷ କରିଛନ୍ତି । ଏବେ ତାଙ୍କ ଜମିରେ ଧାନ କେଣ୍ଡା ସବୁ ବାହାରିଲାଣି । ବର୍ଷା ପବନ ହେଲେ ଧାନ ଗଛ ଭାଙ୍ଗି ଯିବାର ଭୟ ଘାରିଛି ବାବୁ କାର୍ତ୍ତିକଙ୍କୁ ।
ସମ୍ଭାବ୍ୟ ବାତ୍ୟା ଦାନାକୁ ଲକ୍ଷ୍ୟ ରଖି ବାଲିପାଟଣା ବ୍ଲକ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି। ତହସିଲଦାର କଳ୍ପନା ଦାଶଙ୍କ ଆଦେଶ ଅନୁଯାୟୀ କୃଷି ଏବଂ ଉଦ୍ୟାନ କୃଷି ବିଭାଗ ଅଧିକାରୀ ମାନେ ଧାନ ଏବଂ ପରିବା ଫସଲ ଚିଠା ପ୍ରସ୍ତୁତ କରିଛନ୍ତି । ବାଲିପାଟଣା ବ୍ଲକ ଅଞ୍ଚଳରେ ବାଇଗଣ, ଭେଣ୍ଡି, ମୂଳା, କାକୁଡି, କଖାରୁ, ପୋଟଳ, ଝୁଡୁଙ୍ଗ, ବିନ, କଲରା ଶାଗ, ଧନିଆ, ଲଙ୍କା, ବନ୍ଧା ଓ ଫୁଲ କୋବି, କଦଳୀ, ଅମୃତ ଭଣ୍ଡା ଆଦି ପରିବା ଚାଷ ହୋଇଥାଏ । ଏହି ଅଞ୍ଚଳର ସବୁଜ ପରିବା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ସହରକୁ ପଠାଯାଇଥାଏ । ମହୁଖଣ୍ଡା ଗ୍ରାମର ଚାଷୀ ରତିକାନ୍ତ ପ୍ରଧାନ ଏଥର ୫ ଏକରରୁ ଊଦ୍ଧ୍ୱର୍ ଜମିରେ ମୂଳା, ଶାଗ, ପୋଟଳ ଚାଷ କରିଛନ୍ତି । ଚାଷରେ ତାଙ୍କର ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇଛି । ବାତ୍ୟା ନା ଶୁଣିଲେ ଏବେ ତାଙ୍କୁ ଭୟ ଲାଗୁଥିବା କହିଛନ୍ତି ।