ବିଏମ୍‌ସିର ଭତ୍ତା ଦୁର୍ନୀତି: ୫ କୋଟି ହଡ଼ପ

ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍ଏସ୍ଏପି) ଅଧୀନରେ କେନ୍ଦ୍ର ସରକାର ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା (ଆଇଜିଏନ୍ଓଏପିଏସ୍) ଓ ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା (ଆଇଜିଏନ୍ ଡବ୍ଲୁପିଏସ୍) ପ୍ରଣୟନ କରିଥିଲେ

ବିଏମ୍‌ସିର ଭତ୍ତା ଦୁର୍ନୀତି: ୫ କୋଟି ହଡ଼ପ

ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍ଏସ୍ଏପି) ଅଧୀନରେ କେନ୍ଦ୍ର ସରକାର ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା (ଆଇଜିଏନ୍ଓଏପିଏସ୍) ଓ ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା (ଆଇଜିଏନ୍ ଡବ୍ଲୁପିଏସ୍) ପ୍ରଣୟନ କରିଥିଲେ। ଏନ୍ଏସ୍ଏପି ମାର୍ଗଦର୍ଶିକା ୧୯୯୫ ପାରା ୭ ଅନୁଯାୟୀ, ରାଜ୍ୟ ସରକାରଙ୍କ କୌଣସି ସଂସ୍ଥା ଏହି କେନ୍ଦ୍ରୀୟ ସହାୟତା ନିଜସ୍ୱ ଖର୍ଚ୍ଚରେ ସାମିଲ୍ କରିପାରିବେ ନାହିଁ। ସେହିଭଳି ରାଜ୍ୟ ସରକାର ୨୦୦୮ରେ ମଧୁବାବୁ ପେନ୍‌ସନ୍ ଯୋଜନା (ଏମ୍‌ବିପିୱାଇ) ପ୍ରଣୟନ କରିଥିଲେ। ୨୦୨୦ ସେପ୍ଟେମ୍ବରରୁ ୨୦୨୧ ଜୁଲାଇ ମଧ୍ୟରେ ୪ ଦଫାରେ ବିଏମ୍‌ସି ଏନ୍ଏସଏପି ଅଧୀନରେ ଆବଣ୍ଟିତ ୫.୦୨କୋଟି ଟଙ୍କା ମଧୁବାବୁ ପେନ୍‌ସନ୍‌ ଆକାଉଣ୍ଟକୁ ସ୍ଥାନାନ୍ତରିତ କରିଛି। ଯାହା ସିଧାସଳଖ ଏନ୍‌ଏସ୍ଏପି ନିର୍ଦ୍ଦେଶାବଳୀକୁ ଉଲ୍ଲଙ୍ଘନ କରୁଛି। ଏହି ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ୍‌ କରି ନିଆଯାଇଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏନ୍‌ଏସ୍ଏପି ମାର୍ଗଦର୍ଶିକା ସାଧାରଣ ସର୍ତ୍ତାବଳୀ ଅନୁଯାୟୀ, ଏନ୍ଏସଏପି ଅଧୀନରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାମ ସୁଗମ କରିବା ପାଇଁ ରାଜ୍ୟ ସରକାର ଜିଲ୍ଲାସ୍ତରରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ପାଣ୍ଠି ପାଇଁ ଜିଲ୍ଲାରେ ପୃଥକ ପୃଥକ୍‌ ଖାତା ଖୋଲିବା ବ୍ୟବସ୍ଥା କରିବେ। 

ଅର୍ଥାତ୍‌ ଏନ୍ଏସ୍ଏପି ପାଣ୍ଠି ଅନ୍ୟ କୌଣସି ଯୋଜନାର ଆକାଉଣ୍ଟକୁ ସ୍ଥାନାନ୍ତର ହୋଇ ପାରିବନାହିଁ। ବିଏମ୍‌ସିର ଗୋଟିଏ ମାସର କାରବାର ରେକର୍ଡ ମୁତାବକ, ବିଏମ୍‌ସି ଏମ୍‌ବିପିୱାଇ ଆକାଉଣ୍ଟରୁ ୨୧,୧୯୯ ଭତ୍ତା ହିତାଧିକାରୀଙ୍କ ପାଇଁ ୧.୧୨ କୋଟି ଟଙ୍କା ମଞ୍ଜୁର କରିଥିଲା। କିନ୍ତୁ ତାହା ଅଡିଟ୍ ପାଇଁ ବିଏମ୍‌ସି ଉପଲବ୍ଧ କରିନଥିଲା। ଫଳରେ ଏହି ପାଣ୍ଠି ଠିକ୍‌ ବିନିଯୋଗ ହୋଇନଥିବା ଅଡିଟ୍‌ ଆପତ୍ତି ଉଠାଇଥିଲେ। ଆହୁରି ମଧ୍ୟ ଦେଖା ଯାଇଥିଲା ଯେ ବିଏମ୍‌ସିର ଡେପୁଟି କମିସନର (ସମାଜିକ କଲ୍ୟାଣ) ଓ ମୁଖ୍ୟ ବିତ୍ତ ଅଧିକାରୀ (ସିଏଫ୍‌ଓ) ଏନ୍ଏସଏପି ଓ ଏମ୍‌ବିପିୱାଇ ବ୍ୟାଙ୍କ ଆକାଉଣ୍ଟରୁ ୨.୯୯କୋଟି ଟଙ୍କା ୩ଟି ‘ସେଲ୍ଫ ଚେକ୍‌’ ମାଧ୍ୟମରେ ଉଠାଇ ନଗଦ ଭତ୍ତା ବଣ୍ଟନ କରିଥିଲେ। ଚେକ୍ ଜରିଆରେ ଉଠାଇବା ଓ ନଗଦ ଟଙ୍କା ବାଣ୍ଟିବା ପ୍ରକ୍ରିୟାରେ ଅର୍ଥ ହଡ଼ପ ହେବା ଆଶଙ୍କା ରହିଥିବା ସିଏଜି ଆଶଙ୍କା ପ୍ରକାଶ କରିଛନ୍ତି। ୨୦୨୧ ମସିହାରୁ ସିଏଜି ଏହା ଉପରେ ପ୍ରଶ୍ନ ଉଠାଇବା ସହ ବିଏମ୍‌ସି ଠାରୁ ସ୍ପଷ୍ଟୀକରଣ ଚାହିଛନ୍ତି। କିନ୍ତୁ ୨ ବର୍ଷ ହେଲା ଉତ୍ତର ଦିଆ ଯାଇନାହିଁ।