ଦିଲ୍ଲୀରେ ମେଣ୍ଟ କସରତ: ଆଲୋଚନା ପାଇଁ ଗଲେ ପାଣ୍ଡିଆନ ଓ ବବି

ଦିଲ୍ଲୀରେ ମେଣ୍ଟ କସରତ: ଆଲୋଚନା ପାଇଁ ଗଲେ ପାଣ୍ଡିଆନ ଓ ବବି

ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଭୁବନେଶ୍ବରରୁ ଦିଲ୍ଲୀ ପର୍ଯ୍ୟନ୍ତ ଘନଘନ ଆଲୋଚନା ଚାଲିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି ଦିଲ୍ଲୀରେ ଅଛନ୍ତି। ଆଜି ସଂଧ୍ୟାରେ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏବଂ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇଛନ୍ତି।

ଏଥିସହିତ ଶୀର୍ଷସ୍ତରରେ ଆଜି ବିଳମ୍ବିତ ରାତିରୁ ଆଲୋଚନା ଆରମ୍ଭ ହୋଇଥିବା ଅତି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ମାର୍ଚ୍ଚ ୧୨ ତାରିଖ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିବେ ଏବଂ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମେଣ୍ଟ ଘୋଷଣା କରିପାରନ୍ତି। ଆଉ ଏକ ସୂତ୍ରରୁ ଜଣାପଡ଼ିଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯିବେ। ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ମେଣ୍ଟ ନେଇ ଘୋଷଣା ହେବ। ଏବେ ଆନ୍ଧ୍ରରେ ଟିଡିପି, ପଞ୍ଜାବରେ ଅକାଳୀ ଦଳ ସହ ମେଣ୍ଟ ନେଇ ବିଜେପିର ଶୀର୍ଷ ନେତୃତ୍ବଙ୍କ ଆଲୋଚନା ଚାଲିଥିବାରୁ ଗୋଟିଏ ଦିନରେ ନୂଆଦିଲ୍ଲୀରେ ତିନି ଦଳଙ୍କ ସହ ମେଣ୍ଟ ହେବା ନେଇ ଘୋଷଣା ହୋଇପାରେ ବୋଲି ବି କୁହାଯାଉଛି। ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ମେଣ୍ଟ ଓ ଆସନ ବୁଝାମଣା ଚୂଡ଼ାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।