ଜିତିଗଲା ଜୀବନ , ଜୀବନ୍ତ ଉଦ୍ଧାର ହେଲା ଶିଶୁ କନ୍ୟା

ସଫଳ ହେଲା ମିଶନ : ୨୫ ଫୁଟର ବୋରଓ୍ବେଲ ତଳୁ ୮ ଘଣ୍ଟା ‘ଅପରେସନ’ ପରେ ଜୀବନ୍ତ ଉଦ୍ଧାର ହେଲା ଶିଶୁ କନ୍ୟା

ଜିତିଗଲା ଜୀବନ , ଜୀବନ୍ତ ଉଦ୍ଧାର ହେଲା ଶିଶୁ କନ୍ୟା

ସମ୍ବଲପୁର : କୁହାଯାଏ ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ବାସ୍ତବରେ ଈଶ୍ୱର ଯାହାକୁ ଜୀବନ ଦେଇଛନ୍ତି, ତାକୁ ମୃତ୍ୟୁ ଦେବା ମଧ୍ୟ ତାଙ୍କରି ଆୟତ୍ତରେ ଅଛି। ଜନ୍ମ ଆଉ ମୃତ୍ୟୁ ସବୁ ଇଶ୍ୱରଙ୍କ ସେହି ଅଦେଖା ପୁସ୍ତକରେ ଲିପିବଦ୍ଧ ହୋଇ ରହିଛି। ଏହି ଉକ୍ତିଟି ଏଇଥି ପାଇଁ କହୁଛି ,କାରଣ ଆଜି ସମ୍ବଲପୁର ରେଙ୍ଗାଲିରେ ଯାହା ଘଟିଲା, ତାହା ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରୁଛି।

ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରୁ ଗୋଟେ ଶିଶୁର କାନ୍ଦିବ ଶୁଣିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାମ। ଶିଶୁଟି କାହାର, ସେ କେମିତି ପରିତ୍ୟକ୍ତ ବୋରଓ୍ବେଲ ଭିତରେ ପଡିଲା, ତାକୁ କିଏ ପକାଇଲା, ତାହା କେହି ଜାଣିନଥିଲେ।

କିନ୍ତୁ ଶିଶୁଟିର କଇଁ କଇଁ କାନ୍ଦ ସମସ୍ତଙ୍କୁ ବିଚଳିତ କରିଥିଲା। କାରଣ କାନ୍ଦ ମାଧ୍ୟମରେ ଶିଶୁଟି ତାକୁ ବଞ୍ଚାଇବା ବୋଧ ହୁଏ ନିବେଦନ କରୁଥିଲା। ସେ ଜାଣିନି ତାକୁ କିଏ ଦୁନିଆକୁ ଆଣିଛି। ତାକୁ କଣ ପାଇଁ ଏପରି ମରିବା ପାଇଁ ୨୫ ଫୁଟର ବୋରଓ୍ବେଲ ଭିତରକୁ ଫୋପଡା ଯାଇଛି। ଆଉ ଶିଶୁଟିର କାନ୍ଦ ଶୁଣିବା ପରେ କଥା ପହଞ୍ଚିଥିଲା ପୁଲିସ, ଅଗ୍ନିଶମ ବିଭାଗ ଆଉ ପ୍ରଶାସନ ନିକଟରେ। ସମସ୍ତେ ଧାଇଁ ଯାଇଥିଲେ ଶିଶୁଟିକୁ ବଞ୍ଚାଇବା ପାଇଁ । ଆଉ ସମ୍ବଲପୁରର ଘଟଣା ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଚହଳ ପକାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଅଗ୍ନିଶମ ଡିଜିଙ୍କ ତତ୍ତ୍ବାବଧାନରେ ଉଦ୍ଧାର କାମ ଆଗକୁ ବଢିଥିଲା।

ଶିଶୁଟିର ଉଦ୍ଧାର ପାଇଁ ଭିକ୍ଟିମ ଲୋକେସନ କ୍ୟାମେରା ମଧ୍ୟ ରାଜ୍ୟ ସରକାର ଉଡ଼ାଜାହାଜରେ ପଠାଇଥିଲେ। ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ବିମାନରେ ଏହି ଭିକ୍ଟିମ ଲୋକେସନ କ୍ୟାମେରା ଝାରସୁଗୁଡା ବିମାନ ବନ୍ଦରାର ପହଞ୍ଚିବା ପରେ ସମ୍ବଲପୁର ଯାଇଥିଲା। ଏହାପୂର୍ବରୁ ସେଠାରେ ଉଦ୍ଧାର କରୁଥିବା ପୁଲିସ, ଅଗ୍ନିଶମ ବିଭାଗ, ଓଡ୍ରାଫ ଓ ଏନ୍‌ଡିଆରଏଫ୍‌ ମଧ୍ୟ ଶିଶୁଟିକୁ ବଞ୍ଚାଇବାକୁ ଲାଗିପଡିଥିଲେ।

ଶେଷରେ ଭଗବାନ ସମସ୍ତଙ୍କ ଗୁହାରୀ ଶୁଣିଲେ। ଆଉ ଉଦ୍ଧାର ହେଲା ଶିଶୁ। ଏହା ପରେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ମେଡିକାଲ ଟିମ୍‌ର ନେତୃତ୍ବରେ ଏକ ଆମ୍ବୁଲାନ୍ସରେ ନବଜାତ ଶିଶୁକନ୍ୟାକୁ ବୁର୍ଲା ବଡ଼ଡାକ୍ତରଖାନାକୁ ନିଆଯାଇଛି।

ନବଜାତର ଚିକିତ୍ସା ପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ବୁର୍ଲା ଡାକ୍ତରଖାନାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଡ. ଶୁଭମ ସିଂହ ଏହି ମେଡିକାଲ ଟିମ୍‌ର ନେତୃତ୍ବ ନେଇଥିଲା ବେଳେ ଫମାର୍ସିଷ୍ଟ ସୁରେନ୍ଦ୍ର ମୋହନ ବେହେରାଙ୍କ ସମେତ ରେଙ୍ଗାଲି ଓ କତରବଗାର ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ୟ କର୍ମଚାରୀମାନେ ତାଙ୍କୁ ସହଯୋଗ କରିଥିଲେ। ସମ୍ବଲପୁର ଏସ୍‌ପି ମୁକେଶ ଭାମୁ, ଏଡିଏମ୍‌ ପ୍ରଦୀପ ସାହୁ, ଏସ୍‌ଡିପିଓ ପ୍ରଦୀପ ସାହୁ, ବିଡିଓ କୃଷ୍ଣଚନ୍ଦ୍ର ଦଳପତି, ରେଞ୍ଜ ଫାୟାର ଅଫିସର ଏସ୍‌ପି ଡିଙ୍ଗରୋ, ରେଙ୍ଗାଲି ଥାନା ଆଇଆଇସି ସୁଦର୍ଶନ ପଣ୍ଡା, ଠେଲକୋଲେଇ ଥାନା ଅଧିକାରୀ ସାବିତ୍ରୀ ବଳ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ଶିଶୁ ଉଦ୍ଧାର ପରେ ଉଦ୍ଧାରକାରୀ ଦଳକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ -ଓଡ୍ରାଫ, ଅଗ୍ନିଶମ, ଅନ୍ୟ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଲେ -ପ୍ରତିଟି ଜୀବନ ମୂଲ୍ୟବାନ କହି ଉଦ୍ଧାରକାରୀ ଦଳକୁ ପ୍ରଶଂସା କଲେ

ଉଦ୍ଧାରକାରୀ ଦଳକୁ ପ୍ରଶଂସା କଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ -‘ଲୁହା ପାଇପ ଭିତରେ ଶିଶୁଟି ଥିବାରୁ ଚ୍ୟାଲେଞ୍ଜିଂ ଥିଲା’ -‘କିପରି ପାଇପ କାଟିଲେ ଶିଶୁର କ୍ଷତି ହେବନି ଗୁରୁତ୍ବପୂର୍ଣ୍ଣ ଥିଲା’ -‘କାଟିଲା ବେଳେ ଶିଶୁଟି ଯେପରି ତଳକୁ ଖସି ନ ଯାଏ ଦେଖୁଥିଲୁ’ -‘ସେହିପରି ଲୁହା ପାଇପ ଯେପରି ନ ତାତେ ତାକୁ ମଧ୍ୟ ଦେଖୁଥିଲୁ’ ପିଲାଟିର କାନ୍ଦ ଉଦ୍ଧାରକାରୀ ଦଳକୁ ବେଶି ଉତ୍ସାହିତ କଲା’ -‘ବିଶେଷକରି ସ୍ବତନ୍ତ୍ର ବିମାନରେ କ୍ୟାମେରା ଯିବା ସହାୟକ ହେଲା’