ରାସାୟନିକ ବିପର୍ଯ୍ୟୟ ର ମୁକାବିଲା ନିମନ୍ତେ ରାଜ୍ୟସ୍ତରୀୟ ମକ୍ ଡ୍ରିଲ ଅନୁଷ୍ଠିତ

ପାରାଦ୍ୱୀପ ରେ ଥିବା ମୁଖ୍ୟ 4 ଟି ଶିଳ୍ପ ଅନୁଷ୍ଠାନ ଯଥା, ପାରାଦ୍ଵୀପ ପୋର୍ଟ, ଆଇ ଓ ସି ଏଲ୍, ଇ ଫ କୋ ଏବଂ ପି ପି ଏଲ ଏହି ମକ୍ ଡ୍ରିଲ ରେ ଭାଗ ନେଇଥିଲେ

ରାସାୟନିକ ବିପର୍ଯ୍ୟୟ ର ମୁକାବିଲା ନିମନ୍ତେ ରାଜ୍ୟସ୍ତରୀୟ ମକ୍ ଡ୍ରିଲ ଅନୁଷ୍ଠିତ

ପାରାଦ୍ବୀପ : ଆଜି ଜଗତସିଂହପୁର ଜିଲ୍ଲା ର ପାରାଦ୍ବୀପ ଠାରେ ରାଜ୍ୟ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ମିଳିତ ଆନୁକୁଲ୍ୟରେ ସମ୍ଭାବ୍ଯ ରାସାୟନିକ ବିପର୍ଯ୍ୟୟ ର ପ୍ରସ୍ତୁତି ନିମନ୍ତେ ଏକ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ପାରାଦ୍ୱୀପ ରେ ଥିବା ମୁଖ୍ୟ 4 ଟି ଶିଳ୍ପ ଅନୁଷ୍ଠାନ ଯଥା, ପାରାଦ୍ଵୀପ ପୋର୍ଟ, ଆଇ ଓ ସି ଏଲ୍, ଇ ଫ କୋ ଏବଂ ପି ପି ଏଲ ଏହି ମକ୍ ଡ୍ରିଲ ରେ ଭାଗ ନେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ଇଫକୋ ରେ, ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ୱୀପ ଶ୍ରୀ ନିରଞ୍ଜନ ବେହେରା ପାରାଦ୍ଵୀପ ପୋର୍ଟ ରେ, କୁଜଙ୍ଗ ବି ଡି ଓ  ଶ୍ରୀ ଦୀପକ ପ୍ରସାଦ ସ୍ୱାଇଁ, ପି ପି ଏଲ ଠାରେ ଏବଂ କୁଜଙ୍ଗ ତହସିଲଦାର ସୁଶ୍ରୀ ପୁଷ୍ପଶ୍ରୀ ସାଣ୍ଡିଲ ଆଇ ଓ ସି ଏଲ୍ ଠାରେ ଉପସ୍ଥିତ ରହି ଏହି ରାସାୟନିକ ମକ୍ ଡ୍ରିଲ କୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଦିଗଦର୍ଶନ ଦେଇଥିଲେ। ଟେକନିକାଲ ଅବଜରଭର ଭାବେ ପିପିଏଲ୍ ଠାରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗ ର ସହକାରୀ ନିର୍ଦ୍ଦେଶକ  ଶ୍ରୀ ଚନ୍ଦ୍ରକାନ୍ତ ଦଳାଇ, ଇଫକୋ ରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଶ୍ରୀ ପୁଷ୍ପକ ବେହେରା, ଓ ଆଇ ଓ  ସି ଏଲ୍ ଠାରେ  ଉପ ପରିବେଶ ବୈଜ୍ଞାନିକ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ। ପାରାଦ୍ୱୀପ ପୋର୍ଟ ରେ ହାର୍ବର ମାଷ୍ଟର କ୍ୟାପଟେନ ଇନ୍ଦ୍ରନୀଲ ମୁଖାର୍ଜୀ ,ପି ପି ଏଲ ରେ ଜି ଏମ ଶ୍ରୀ ଏନ କେ ରାଉତ, ଆଇ ଓ ସି ଏଲ ରେ ସୁରକ୍ଷା ମୁଖ୍ଯ ଶ୍ରୀ ବି କେ ପଣ୍ଡା ଏବଂ ଇ ଫ କୋ ଠାରେ ଜି ଏମ ଶ୍ରୀ ଆର୍ କେ ପାଣ୍ଡେ ଙ୍କ ତତ୍ତ୍ଵାବଧାନରେ ଉଦ୍ଧାର କାର୍ଯ୍ୟ ସମ୍ବନ୍ଧୀୟ ସମସ୍ତ କଳାକୌଶଳ ପ୍ରଦର୍ଶିତ ହୋଇଥିଲା। ପ୍ରଥମେ ଏହି 4 ଟି ଶିଳ୍ପ ଅନୁଷ୍ଠାନ ରେ ବିଷାକ୍ତ ଆମୋନିଆ ଓ କ୍ଲୋରିନ୍ ଗ୍ଯାସ ଲିକ୍  ଏବଂ ବିଶୋଧିତ ତୈଳ ଲିକ୍ ହେବାର କୃତ୍ରିମ ବିପର୍ଯ୍ଯୟ ନେଇ ସାଇରନ ବାଜିଥିଲା। ସମ୍ଭାବ୍ଯ ବିପର୍ଯ୍ୟୟ ବିଷୟରେ ପ୍ଲାଣ୍ଟ ଭିତରେ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଗୁଡ଼ିକ ରେ ସତର୍କ ସୂଚନା ଦିଆଯିବା ସହ ପ୍ରଭାବିତ 60 ଜଣ ଲୋକଙ୍କୁ ପୂର୍ବ ନିର୍ଦ୍ଧାରିତ ନିକଟସ୍ଥ ଡାକ୍ତରଖାନା କୁ ନିଆଯାଇଥିଲା। ଏଥିପାଇଁ ପାରାଦ୍ଵୀପ ପୋର୍ଟ ର ପ୍ରଭାବିତ ଙ୍କୁ  ଅଠରବାଙ୍କୀ କୋଭିଡ ସେଣ୍ଟର, ଆଇ ଓ ସି ଏଲ ର ପ୍ରଭାବିତ ଙ୍କୁ  କୁ ନିମିଡିହୀ ସେଲଟର, ଇଫକୋ ର ପ୍ରଭାବିତ ଙ୍କୁ ଫାର୍ମର ସେଲଟର ଓ  ପି ପି ଏଲ ର ପ୍ରଭାବିତ ଙ୍କୁ ପାରାଦ୍ଵୀପ ଗୋ ଡାଉନ୍ କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ପ୍ରଭାବିତ ଙ୍କୁ ପ୍ରଥମେ ଶୁଖିଲା ଓ ପରେ ରନ୍ଧା ଖାଦ୍ୟ ସହ ପାଣି ଯୋଗାଇଦିଆଯାଇଥିଲା । ଗ୍ୟାସ ଲିକ ସ୍ଥାନ ଗୁଡିକରେ ଲିକ୍ ମରାମତି, ଫୋମ ସ୍ପ୍ରେ ଦ୍ଵାରା ଅଗ୍ନି ନିର୍ବାପନ ର କଳା କୌଶଳ ପ୍ରଦର୍ଶନ ହୋଇଥିଲା। ରକ୍ଷାକରୀ ମାନେ ଗ୍ୟାସ ଟାଇଟ ପୋଷାକ ପରିଧାନ କରି ଉଦ୍ଧାର କାର୍ଯ୍ୟ ର କୌଶଳ ଦେଖାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ଲେଙ୍କା ଓ ଡି ପି ଓ ଇଜାଜ ଇକବାଲ ପକ୍ଷରୁ କଣ୍ଟ୍ରୋଲ ରୁମ୍,triaged centre, ରିଲିଫ ସେଣ୍ଟର, ପ୍ରଦୂଷଣ ସ୍ଥାନ,  ହଳଦିଆ ସବୁଜ ଜୋନ୍ ଓ ରେଡ୍ ଜୋନ୍ ସମ୍ପର୍କରେ ଜନସାଧାରଣଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି ରାସାୟନିକ ମକ୍ ଡ୍ରିଲ ଏକସରସାଇଜ କାର୍ଯ୍ୟକ୍ରମରେ ପୋଲିସ  ଓଡ୍ରାଫ୍, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ମିଶନ ଶକ୍ତି ମହିଳା, ଆଶା କର୍ମୀ, ଆପଦ ମିତ୍ର, ଟାସ୍କ ଫୋର୍ସ, ସିଭିଲ ଡିଫେନ୍ସ ଭଲ୍ଯୁଣ୍ଟିୟର ପ୍ରମୁଖ ଭାଗ ନେଇଥିଲେ।ବର୍ତ୍ତମାନ ଦ୍ରୁତ ଶିଳ୍ପାୟନ ଯୁଗରେ ଆକସ୍ମିକ ଭାବେ ଘଟୁଥିବା ଏହିପରି ଦୁର୍ଘଟଣା ସମୟରେ ଭୟଭୀତ ନ ହୋଇ ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବାପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଉପଦେଶ ଦେଇଥିଲେ ସମ୍ପୃକ୍ତ ଅଧିକାରୀ ମାନେ। 

ଏହି ଅବସରରେ ପାରାଦୀପ ଇଫକୋ ସାର କାରଖାନା ପରିସର ରେ ଏକ ସ୍ବତନ୍ତ୍ର ଭାବେ ଏହି ମକଡ୍ରିଲ କରାଯାଇଥିଲା । କମ୍ପାନୀ ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ କେଜେ ପଟେଲ ଙ୍କ ନିର୍ଦ୍ଦେଶକ୍ରମେ କମ୍ପାନୀ ରେ ବ୍ୟବହୃତ କେମିକାଲ ଓ ଅମୋନିଆ ଗ୍ୟାସ ଦ୍ଵାରା କିପରି ଦୈବାତ ଦୁର୍ଘଟଣା ହେଲେ କିଭଳି ଏହାକୁ ପ୍ରତିହତ କରିହେବ ଓ କୌଣଷି ଧନ ଜୀବନ ନଷ୍ଟ ନହେବ ତାହାର ଡେମୋ ଦେଖାଇଥିଲେ | ଏହି ମକଡ୍ରିଲ ରେ ଏନଡ଼ିଆରଏଫ ଏନଡିଏମ, ଅଗ୍ନିଶମ ବିଭାଗ , ଆମ୍ବୁଲାନ୍ସ , ମେଡିକାଲ ଟିମ ପ୍ରମୂଖ ଅଂଶ ଗ୍ରହଣ କରିଥିଲେ | ଇଫକୋ କମ୍ପାନୀ ପରିସର ମଧ୍ୟରେ ମାନବଘାତି ଅମୋନିଆ ଗ୍ୟାସ ଲିକ ହେବାର ସାଇରନ ବାଜିବା ମାତ୍ରେ ସବୁ ବିଭାଗ କୁ ସତର୍କ କରାଇ ଦିଆଯାଇଥିଲା | ସମସ୍ତେ ନିଜ ନିଜ କୌଶଳ ଦେଖାଇ ଏହି ଗ୍ୟାସ ଲିକ କୁ ବନ୍ଦ କରିଥିଲେ । ପରେ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ବାସ୍ତବରେ ଯାହା ଘଟୁଛି ସେନେଇ କାହାର କାହାର କଣ ରୋଲ୍ ରହିବ ଏବଂ କେଉଁ ବିଭାଗର କଣ ଦାୟିତ୍ଵ  ସେନେଇ ବିସ୍ତୃତ ଭାବେ ବୁଝାଇ ଦେଇଥିଲେ ।