ରାଜଧାନୀରେ ଅପରାଧୀଙ୍କୁ ଚିହ୍ନଟ କରିବ ଗୁଗଲ
ରାଜଧାନୀରେ ଅପରାଧ ନିୟନ୍ତ୍ରଣ ଓ ଅପରାଧୀ ଦମନ ପାଇଁ କମିସନରେଟ ପୁଲିସ ବୈଷୟିକ ଜ୍ଞାନ କୌଶଳକୁ ଆପଣାଇଛି

ରାଜଧାନୀରେ ଅପରାଧ ନିୟନ୍ତ୍ରଣ ଓ ଅପରାଧୀ ଦମନ ପାଇଁ କମିସନରେଟ ପୁଲିସ ବୈଷୟିକ ଜ୍ଞାନ କୌଶଳକୁ ଆପଣାଇଛି। ଏଣିକି ଅପରାଧୀଙ୍କୁ ଚିହ୍ନଟ କରିବ ଗୁଗଲ। କୌଣସି ଅପରାଧ ଘଟିବା ପୂର୍ବରୁ ଗୁଗଲ ମ୍ୟାପିଙ୍ଗ୍ ୟୁନିଫାଏଡ଼ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମକୁ ଜଣାଇଦେବ। ଅପରାଧି ଆସିବା ମାତ୍ରେ ନିୟନ୍ତ୍ରଣ କକ୍ଷରେ ସାଇରନ ବାଜିବ। ଯାହାଫଳରେ ତତ୍କ୍ଷଣାତ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପାରିବ। ପ୍ରଥମ ପର୍ୟ୍ୟାୟରେ ଛିନ୍ତାଇ ଓ ଲୁଟ୍ ମାମଲାକୁ ପ୍ରାଧାନ୍ୟ ଦିଆଯିବ ବୋଲି ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। କଟକ-ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ ପାଇଁ ଗୁଗଲ ମ୍ୟାପିଙ୍ଗ ଜରିଆରେ କାମ କରିବ କମିସନରେଟ ପୁଲିସ।
ବାରମ୍ବାର ଅପରାଧ ଘଟୁଥିବା ସ୍ଥାନଗୁଡ଼ିକୁ ମ୍ୟାପିଂ କରାଯିବ। ସେ ସବୁ ସ୍ଥାନରେ କୌଣସି ଅପରାଧୀଙ୍କ କାର୍ୟ୍ୟକଳାପ ହେଲେ ପୁଲିସ ନିୟନ୍ତ୍ରଣ କକ୍ଷକୁ ଖବର ଆସିବ। ଯାହାଫଳରେ ଅପରାଧୀଙ୍କୁ ଧରିବା ପୁଲିସ ପାଇଁ ସହଜ ହେବ। ୟୁନିଫାଏଡ଼ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଜରିଆରେ କଟକ-ଭୁବନେଶ୍ୱରରେ ପୁଲିସ କଣ୍ଟ୍ରୋଲ କରିବ। ନୂଆ ନୂଆ ଡିଭାଇସ ଜରିଆରେ ସିସିଟିଭି କ୍ୟାମେରା ଲାଗିବ। ଯଦି କୌଣସି ସମୟରେ ଅପରାଧିକ କାର୍ୟ୍ୟକଳାପ ଦେଖିବାକୁ ମିଳେ ତେବେ ଏହି ଡିଭାଇସ ନିୟନ୍ତ୍ରଣ କକ୍ଷକୁ ଅବଗତ କରିବ। ଏହି ଜ୍ଞାନ କୌଶଳକୁ ବ୍ୟବହାର କରି ଅପରାଧୀଙ୍କୁ ନିୟନ୍ତ୍ରଣ କରିବ ସେନେଇ ବୁଧବାର ପୁଲିସ ସେବା ଭବନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ କମିସନରେଟ ପୁଲିସର ଦକ୍ଷ ଅଧିକାରୀମାନଙ୍କୁ ଏ ଦିଗରେ ଅବଗତ କରାଯାଇଛି। ଆଇଟି ଏକ୍ସପର୍ଟ ଦଳ ଜରିଆରେ ଏହାର ଡେମୋ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ଗୁଗଲ ମ୍ୟାପିଂ ତଦନ୍ତରେ କିପରି ସହଯୋଗ କରିବ ସେ ଦିଗରେ ଅଧିକାରୀଙ୍କୁ ତାଲିମ ଦିଆଯାଇଛି।