କେବଳ ସୂପକାର ବିକିବେ ଅବଢ଼ା
ଏଥିରେ ପୁଲିସକୁ ସୂପକାର ସେବକମାନେ ମଧ୍ୟ ସହଯୋଗ କରିବେ। ସେହିପରି ବରାଦି ଭୋଗ ସାଇତି ରଖିବା ପାଇଁ ମନ୍ଦିର ପ୍ରଶାସନ ସୁପକାରଙ୍କୁ ଜାଗା ଦେବେ।

ଆନନ୍ଦ ବଜାରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। କେବଳ ସୂପକାର ସେବକମାନେ ହିଁ ମହାପ୍ରସାଦ ବିକ୍ରି କରିବେ। ଅବଢ଼ା ବିକ୍ରି ହେଉଥିବା କୌଣସି ଦୋକାନରେ ଅଣସୂପକାର ରହିବେ ନାହିଁ। ଅଣସେବାୟତ ଅବଢ଼ା ବିକିଲେ, କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁଆର-ମହାସୁଆର ନିଯୋଗ କର୍ମକର୍ତ୍ତା ଯୋଗଦେଇ ଆଲୋଚନା କରିଥିଲେ। ଏଥିରେ କେତେକ ନିଷ୍ପତ୍ତି ନିଆଯାଇଥିବା ବେଳେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଛି।
ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ପୂର୍ବରୁ ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ଲାଗି ଏକ ସବ୍-କମିଟି ଗଠନ କରାଯାଇଥିଲା। ସେହି ସବ୍ କମିଟିର ବିବରଣୀ ଉପରେ ଆଲୋଚନା ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, ଆନନ୍ଦବଜାରେ ସୁଆରଙ୍କ ବ୍ୟତୀତ ଅନ୍ୟ କେହି ଅବଢ଼ା ବିକ୍ରି କରିବେ ନାହିଁ। ସୁଆର ସେବକଙ୍କୁ ଚିହ୍ନଟ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯିବ। ଯଦି କେହି ଅଣସୁଆରଙ୍କୁ ରଖନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଅଣସୁଆରଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅବଢ଼ା ବିକ୍ରି କରୁଥିବା ସୂପକାରଙ୍କ ଏକ ତାଲିକା କରାଯିବ। ଅଧିକୃତ ସେବାୟତଙ୍କୁ ଷ୍ଟଲ ନମ୍ବର ପକାଯାଇ ପରିଚୟପତ୍ର ପ୍ରଦାନ କରାଯିବ। ଭକ୍ତଙ୍କ ଯିବା ଆସିବା ବାଟରେ ବସି କେହି ଅବଢ଼ା ବିକ୍ରି କରିପାରିବେ ନାହିଁ। ରୋଷଘରେ ପ୍ରସ୍ତୁତ ମହାପ୍ରସାଦ, ଶୁଖିଲି ଭୋଗ ଛଡ଼ା ବାହାର ଜିନିଷ ଆନନ୍ଦ ବଜାରରେ କେହି ବିକିବେ ନାହିଁ।
ଆନନ୍ଦବଜାରରେ ପର୍ଯ୍ୟାପ୍ତ ସିସିଟିଭି ଲଗାଯିବା ସହ ପରିସରଙ୍କୁ ସ୍ୱଚ୍ଛ ଓ ପରିଷ୍କାର ରଖାଯିବ। ଭକ୍ତଙ୍କ ପାଇଁ ପାନୀୟ ଜଳ ସୁବିଧା ଏବଂ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ସହାୟତା କେନ୍ଦ୍ର ଖୋଲିବ।
ଏଥିରେ ପୁଲିସକୁ ସୂପକାର ସେବକମାନେ ମଧ୍ୟ ସହଯୋଗ କରିବେ। ସେହିପରି ବରାଦି ଭୋଗ ସାଇତି ରଖିବା ପାଇଁ ମନ୍ଦିର ପ୍ରଶାସନ ସୁପକାରଙ୍କୁ ଜାଗା ଦେବେ। ଦକ୍ଷିଣ ଦ୍ୱାର ଏବଂ ଉତ୍ତର ଦ୍ୱାର ନିକଟରେ ବରାଦି ଭୋଗ ପାଇଁ କେଉଁଠାରେ ଗାଡ଼ି ଲାଗିବ, ତାହା ମଧ୍ୟ ପ୍ରଶାସନ ସ୍ଥିର କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ସେହିପରି ଅବଢ଼ା ଦର ନିର୍ଦ୍ଧାରଣ ନେଇ ପ୍ରାୟ ୫ ବର୍ଷରୁ ଊର୍ଦ୍ଧ୍ବ ହେବ ଆଲୋଚନା ହେଉଥିଲେ ମଧ୍ୟ ସ୍ଥିର ହୋଇନାହିଁ। ଏବେ ଭୋଗ ସାମଗ୍ରୀ ଦର ବଢ଼ିଗଲାଣି। ତେଣୁ ଆଉଥରେ ପରୀକ୍ଷାମୂଳକ ଭାବେ ରୋଷେଇ କରାଯାଇ ଅବଢ଼ା ଦର ନିର୍ଦ୍ଧାରଣ କରାଯିବ। ଏହାପରେ ଅବଢ଼ା ଦର ତାଲିକା ଲଗାଯିବା ଲାଗି ବୈଠକରେ ଆଲୋଚନା ହୋଇଥିବା ନିଯୋଗ ସମ୍ପାଦକ ସୂଚନା ଦେଇଛନ୍ତି।