ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା

ଘୋଷଯାତ୍ରାରେ ବାହାରିଛନ୍ତି ଜଗତ ଠାକୁର: ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଶ୍ରୀଜୀଉ

ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା

ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି ମହାପ୍ରଭୁ ଜଗନ୍ନାଥ। କାଳିଆର ଦିବ୍ୟଲୀଳା। ପୁଣି ଜନ ସମୁଦ୍ରରେ ଭାବରଠାକୁରଙ୍କ ଘୋଷଯାତ୍ରା। ବରଷକ ପରେ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତି ଭାବରେ ଉଛୁଳିଥିଲା ଭକ୍ତର ମନ...

ଆଜି ନୀଳକନ୍ଦରରୁ ଭକ୍ତଙ୍କ ଗହଣକୁ ଓହ୍ଲାଇ ଅସିଛନ୍ତି ମହାବାହୁ। ରତ୍ନବେଦୀରୁ ଜନ୍ମବେଦୀକୁ ଯାଉଛନ୍ତି। ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ଆଜି ୫ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ସମାଗମ ହୋଇଥିଲା।

 କେତେ ଭାବ, କେତେ ଭଙ୍ଗୀ ! ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ, ସାଧୁ ଓ ସୁଜନେ ,

ଛନ୍ଦ, ଠାଣି, ଭାବ ଆଉ ଆବେଗର ଠାକୁର ସିଏ। ବେଶ ଆଉ ଆଭୂଷଣ ପ୍ରିୟ ମହାପ୍ରଭୁଙ୍କ ଆଜି ଯେତେବେଳେ ଘୋଷଯାତ୍ରା, ତାଙ୍କରି ଭକ୍ତ ବା କାହିଁକି ବାଦ୍ ପଡ଼ିବେ। ନାନା ରଙ୍ଗ, ଭାବ ଆଉ ଭଙ୍ଗୀ ସହ ଭକ୍ତିରେ ଆଜି ମଜ୍ଜିଯାଇଥିଲେ ରାଜ୍ୟ, ଦେଶ ଆଉ ବିଦେଶରୁ ଧାଇଁ ଆସିଥିବା ଭକ୍ତ। ଭାବ ବିନୋଦିଆଙ୍କୁ ପାଖରେ ପାଇ କିଏ ନିଜକୁ ସମର୍ପି ଦେଇଥିଲେ ତ ଆଉ କିଏ ଲୁହ ଛଳ ଛଳ ଆଖିରେ ଦୁଃଖ ଜଣାଇଥିଲେ।

ଆଜି ଲୋକାରଣ୍ୟ ଶ୍ରୀକ୍ଷେତ୍ରରେ ବିଭୋର ସମସ୍ତେ...ଲୀଳାମୟଙ୍କୁ ଅଶ୍ରୁଳ ନୟନରେ କିଏ ଜଣାଇଛି ଅନ୍ତରର ଅପ୍ରକାଶିତ ଦୁଃଖ ତ ଆଉ କିଏ ଚର୍ମଚକ୍ଷୁରେ ଦର୍ଶନ କରି ଆତ୍ମ ବିଭୋର, ଭାବ ବିହ୍ୱଳ । ଜୟ ଜଗନ୍ନାଥ ଧ୍ୱନୀ ଉଚ୍ଚାରଣ କରି ହାତ ମେଲାଇ ମହାପ୍ରଭୁଙ୍କୁ ଗୁହାରି କରିଛନ୍ତି ଶ୍ରଦ୍ଧାଳୁ।...

ଭକ୍ତ ଆଉ ଭଗବାନଙ୍କ ମିଳନର ଏହି ଅବର୍ଣ୍ଣନୀୟ ମୂହୁର୍ତ୍ତରେ ଜାତି, ଧର୍ମ, ବର୍ଣ୍ଣ ଆଉ ଭାଷାର ଭିନ୍ନତା ସତ୍ତ୍ୱେ ଆଜି ଏକାକାର ସମସ୍ତେ। ...ଆଉ ଏହି ଅଗଣିତ ଭକ୍ତଙ୍କ ଭିଡ଼ ଭିତରେ କିଏ ପବନ ପୁତ୍ର ହନୁମାନ ବେଶରେ ତ ଆଉ କିଏ ଶିବ ଆଉ ପାର୍ବତୀଙ୍କ ବେଶରେ ସଜ୍ଜିତ ହୋଇ ବଡ଼ଦାଣ୍ଡରେ ଉଭା ହୋଇଥିଲେ। ଆଉ କହିଥିଲେ ଘୋଷଯାତ୍ରାବେଳେ ବଡ଼ଦାଣ୍ଡରେ ନୃତ୍ୟ ପରିବେଷଣ ସୌଭାଗ୍ୟର କଥା। ନାନା ରଙ୍ଗ, ଭାବ ଆଉ ଭଙ୍ଗୀ ସହ ଭକ୍ତିରେ ଆଜି ମଜ୍ଜିଯାଇଥିଲେ ଭକ୍ତଗଣ । ଆଜି ଲୋକାରଣ୍ୟ ଶ୍ରୀକ୍ଷେତ୍ରରେ ବିଭୋର ସମସ୍ତେ..ଲୀଳାମୟଙ୍କୁ ଅଶ୍ରୁଳ ନୟନରେ କିଏ ଜଣାଇଛି ଅନ୍ତରର ଅପ୍ରକାଶିତ ଦୁଃଖ ତ ଆଉ କିଏ ଚର୍ମଚକ୍ଷୁରେ ଦର୍ଶନ କରି ଆତ୍ମ ବିଭୋର, ଭାବ ବିହ୍ୱଳ । ଚତୁର୍ଦ୍ଧା ମୁରତ୍ତିଙ୍କ ରଥାରୁଢ଼ବେଳେ ଜଳ ଜଳ ହୋଇ ଦିଶୁଥିଲା ଉତ୍କଳର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ମାହାରୀ, ଓଡ଼ିଶୀ ଏବଂ ଗୋଟିପୁଅ ନୃତ୍ୟ। ସଂସ୍କୃତି ଆଉ ପରମ୍ପରାର କଥା ଯେତେବେଳେ ଉଠୁଛି ଓଡ଼ିଆ ଶାସ୍ତ୍ରୀୟ ନୃତ୍ୟର ସମ୍ଭାର ବା ବାଦ୍ ପଡ଼ନ୍ତା କିପରି। ଟିକି ଟିକି ଝିଅଙ୍କ ଓଡ଼ିଶୀର ନୃତ୍ୟ କଳା ଆଜି ମନ୍ତ୍ରମୁଗଧ କରି ଦେଇଛି ସମସ୍ତଙ୍କୁ । ଆକର୍ଷଣୀୟ ପରିପାଟୀ ସହ କୁନି ପାଦରେ ଘୁଂଗୁର ବାନ୍ଧି ଆଜି ନିଜ ଶ୍ରଦ୍ଧା ଜଣାଇଛନ୍ତି ।

କେବଳ ଓଡ଼ିଶୀ କି ଗୋଟିପୁଅ ନୃତ୍ୟ ନୁହଁ, ଖୋଳ ମୃଦଙ୍ଗ ସହ ନାମ ସଂକୀର୍ତ୍ତନରେ ପୁରି ଉଠୁଥିଲା ସାରା ପରିବେଶ। ଜଗତରନାଥ ଜଗନ୍ନାଥଙ୍କ ଘୋଷଯାତ୍ରା ଯେତେବେଳେ ହେଉଛି, ସେହି ବିଶ୍ୱ ନିୟନ୍ତାଙ୍କ ଦର୍ଶନ ପାଇଁ ରାଜ୍ୟରୁ ଦେଶ, ଦେଶରୁ ବିଦେଶ ଯାଏଁ ଛୁଟି ଆସିଛନ୍ତି ଭକ୍ତ ଆଉ ଶ୍ରଦ୍ଧାଳୁ। ଦରିଆପାରିରୁ ଧାଇଁ ଆସିଥିବା ବିଦେଶୀ ଭକ୍ତଙ୍କ ମୁହଁରେ ବିଖରିତ ହେଉଥିଲା ରାମ ରାମ ହରେ ହରେ। ଏଭଳି ନାନା ରଙ୍ଗ, ନାନା ଭାବ ଆଉ ଭଙ୍ଗୀ ଭିତରେ ସାରା ବଡ଼ଦାଣ୍ଡ ଆଜି ସତେ ଯେମିତି ପାଲଟି ଯାଇଥିଲା ସଚରାଚର ବିଶ୍ୱ ବ୍ରହ୍ମାଣ୍ଡ ।....

 ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ନୀତିକାନ୍ତି । ଭୋର୍ ୫ଟା ୫୦ ମିନିଟ୍ ରେ ମଙ୍ଗଳ ଆଳତି । ୫ଟା ୫୫ରେ ମଇଲମ ଓ  ରୋଷହୋମ ହୋଇଥିଲା । ୬ଟାରେ ତଡ଼ପ ଲାଗି ।ସକାଳ ୯ଟା ପୂର୍ବରୁ ଗୋପାଳ ବଲ୍ଲଭ ଓ ସକାଳଧୂପ ହୋଇଥିଲା ।

ରଥ ପ୍ରତିଷ୍ଠା  ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହମାନଙ୍କ ପହଣ୍ଡି । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ଫାଟି ପଡ଼ୁଥିଲା ସାରା ବଡ଼ଦାଣ୍ଡ । ତାଳଧ୍ବଜ ରଥରେ ବଡ଼ ଠାକୁର ବଳଭଦ୍ର ଏବଂ ଦର୍ପଦଳନ ରଥରେ ବିରାଜମାନ କରିଥିଲେ ଦେବୀ ସୁଭଦ୍ରା । ସେପଟେ ଟାହିଆ ହଲାଇ ସିଂହଦ୍ବାରରୁ ବାହାରୁଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ।

କେତେବେଳେ ଅଧାବାଟରେ ଟିକେ ଅଟକି କଣେଇ କଣେଇ ଭକ୍ତଙ୍କୁ ଚାହୁଁଥିଲେ ତ ପୁଣି କେତେବେଳେ ତୀବ୍ର ଗତିରେ ରଥ ଆଡ଼କୁ ମାଡ଼ି ଆସୁଥିଲେ । ଏପେଟେ କଳାଶ୍ରୀମୁଖକୁ ଦର୍ଶନ କରି ଭକ୍ତ ଆଖିରୁ ଝରି ପଡ଼ୁଥିଲା ଆନନ୍ଦର ଅଶ୍ରୁ । ହୃଦୟ ଭିତରେ ଥିବା ସବୁ ଅଳି ଅର୍ଦ୍ଦଳିକୁ ନିଜ ଭଗବାନଙ୍କ ପାଖରେ ଅଜାଡ଼ି ଦେଉଥିଲା ଭକ୍ତ ।

ସେପଟେ ଭକ୍ତସାଗରରେ ମିଶିବାକୁ ଯେମିତି ଉଚ୍ଛନ୍ନ ହେଉଥିଲେ ଭାବଗ୍ରାହୀ। ବୋଧେ ସେଇଥିପାଇଁ ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ଆଗରୁ ରଥ ପ୍ରତିଷ୍ଠା ପରେ ପରେ ଘଣ୍ଟ ଘଣ୍ଟା, ଖୋଳ  କରତାଳ, କାହାଳୀରେ କମ୍ପି ଉଠିଥିଲା ଶ୍ରୀମନ୍ଦିର। ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପଛେ ପଛେ ମା ସୁଭଦ୍ରା। ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ସୁନ୍ଦର ପଦ, ହୁନ୍ଦର ଗତିରେ ନନ୍ଦିଘୋଷ ରଥ ଅଭିମୁଖେ ଯାତ୍ରା କରୁଥିଲେ ଜଗତ ଠାକୁର ଜଗତର ନାଥ ଜଗନ୍ନାଥ।

କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କର ଆଜି ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଛନ୍ତି ବଡ଼ଠାକୁର। ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଦଉଡ଼ି ଟାଣିବାକୁ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି ହଜାର ହଜାର ଭକ୍ତ।

ନନ୍ଦିଘୋଷ ରଥରେ ବିରାଜମାନ ହେବାକୁ ଯାଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ। ଘଣ୍ଟ, ଘଣ୍ଟି ଓ ହୁଳହୁଳିରେ ପ୍ରକମ୍ପିତ ହୋଇପଡ଼ୁଛି ବଡ଼ଦାଣ୍ଡ। ସକାଳୁ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ନୀତି ସମାପନ ହେବାପରେ ଧାଡ଼ି ପହଣ୍ଡି ନୀତି ହୋଇଥିଲା।

ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରି ରଥକୁ ଅଣାଯାଇଥିଲା। ପରେ ଦେବୀ ସୁଭଦ୍ରାଙ୍କୁ ଦେବଦଳନ ରଥରେ ବିରାଜମାନ କରାଯାଇଥିଲା। ଏହା ପରେ ତାଳଧ୍ଵଜ ରଥରେ ବଳଭଦ୍ର ଓ ଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡିରେ ଅଣାଯାଇ ନନ୍ଦିଘୋଷ ରଥରେ ରଥାରୂଢ଼ କରାଇଥିଲେ ସେବକମାନେ। ନିର୍ଦ୍ଧାରିତ ସମୟ ପୂର୍ବରୁ ଚଳିତ ବର୍ଷ ପହଣ୍ଡି କାର୍ଯ୍ୟ ସମାପନ ହୋଇଥିଲା।

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ।

ରୀତିନୀତି ଅନୁଯାୟୀ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ରଥ ପରିକ୍ରମା କରିଥିଲେ। ନିଜ ସହଯୋଗୀ ମାନଙ୍କ ସହ ତିନି ରଥକୁ ବୁଲି ଆଶୀର୍ବାଦ ଭିକ୍ଷା କରିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ।

 ଜଗଦଗୁରୁ ଯିବା ପରେ ରଥ ଉପରେ ସେବା ଯୋଗାଇ ଦେଇଥିଲେ ଲକ୍ଷେ ରାଜାଙ୍କ ମଉଡ଼ମଣି ଗଜପତି ମହାରାଜା ଦିବ୍ୟସିଂହ ଦେବ।

ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସି ପହଞ୍ଚିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପରମ୍ପରା ଅନୁଯାୟୀ ତିନିଠାକୁର ରଥାରୂଢ଼ ହେବା ପରେ ଆରମ୍ଭ ହୋଇଥିଲା ଗଜପତି ମହାରାଜଙ୍କ ଛେରାପହଁରା ସେବା । ଗଜପତି ମହାରାଜା ଦିବ୍ୟାସିଂହ ଦେବ ହାତରେ ସୁନାଖଡ଼ିକା ଧରି ତିନି ରଥରେ ଛେରାପହଁରା କରିଥିଲେ । ଗଜପତି ମହାରାଜ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥ ତାଳଧ୍ୱଜ, ଏହାପରେ ଦେବଦଳନ ଓ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସମ୍ପାଦନ କରିବା ସହ ବନ୍ଦାପନା ନୀତି ଆରମ୍ଭ କରି ଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ।

 

ରଥ ଉପରେ ସେବା ଦେଉଛନ୍ତି ଲକ୍ଷେ ରାଜାଙ୍କ ମଉଡ଼ମଣି । ରଥରେ ଛେରାପହଁରା ସାରି ବାହାରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ

 ବଡ଼ଦାଣ୍ଡରେ ଆଜି ସଭିଏଁ ଏକ, କାଳିଆ ଆଗରେ ସଭିଏଁ ସମାନ।

ଗହଳି ଭିତରେ ବଡଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ବଡ଼ଦାଣ୍ଡରେ ଆଜି ସଭିଏଁ ଏକ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ସରକାରୀ ଅଧିକାରୀ , କର୍ମଚାରୀ ଙ୍କ ସମେତ ସାଧାରଣ ଭକ୍ତ । ମହାପ୍ରଭୁଙ୍କୁ ଦର୍ଶନ ଲାଭ ପାଇଁ ସମସ୍ତେ ଛୁଟି ଆସିଥିଲେ ଶ୍ରୀକ୍ଷେତ୍ରକୁ। ଭଗବାନଙ୍କ ଆଗରେ ସମସ୍ତେ ସମାନ । ଭଗବାନଙ୍କ ଆଗରେ ନଥାଏ ଧନୀ, ଗରିବର ଭେଦଭାବ । ଆଉ ତାର ନିଦର୍ଶନ ବଡଦାଣ୍ଡରେ ଦେଖିବାକୁ ମିଳିଛି । ଭାଇ-ଭଉଣୀଙ୍କୁ ଧରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଡଦାଣ୍ଡକୁ ବାହାରିଥିବାରୁ, ଦର୍ଶନ ପାଇଁ ଶରଧାରବାଲି ଜନ ସମୁଦ୍ର ପାଲଟିଛି । ଜାତି ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକାଠି ହୋଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

ଆଉ ଏହି ଗହଳି ଭିତରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ବରିଷ୍ଠ ପଦାଧିକାରୀ । ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗହଳି ସତ୍ତ୍ୱେ ବି ଶରଧାବାଲିରେ ଚାଲିଚାଲି ଯାଇ, ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ କରି ମହାପ୍ରଭୁଙ୍କ ରଥ ଦଉଡି ଛୁଇଁ ଥିଲେ ମୁଖ୍ୟମନ୍ତ୍ରୀ ।

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଶ୍ରୀକ୍ଷେତ୍ରକୁ ଯାଇ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ବଡଦାଣ୍ଡରେ ବଡ ଠାକୁରଙ୍କ ଘୋଷଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ପାଖରୁ ଦେଖି ବେଶ ଆତ୍ମବିଭୋର ହୋଇ ପଡିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶା ରିଭ୍ୟୁ ଏବଂ ଉତ୍କଳ ପ୍ରସଂଗର ରଥଯାତ୍ରା ବିଶେଷାଙ୍କ ଲୋକାର୍ପଣ କରିଥିଲେ। ସାଥୀରେ ଥିଲେ 5ଟି ସଚିବ ଭି କେ ପାଣ୍ଡିଆନ। ସେଠାରେ

ଖାଲି ସେତିକି ନୁହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧରଙ୍କଠୁ ଆରମ୍ଭ କରି ଏହି ଅପୂର୍ବ ମୁହୁର୍ତ୍ତକୁ କେହିବି ହାତ ଛଡା କରିନାହାନ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଶରଧାବାଲିରେ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ କରି କୃପା ଲାଭ କରିଛନ୍ତି ।

ଏଥି ସହିତ ରାଜ୍ୟ କ୍ୟାବିନେଟର ବହୁ ମନ୍ତ୍ରୀ, ନେତା ଓ ବିଧାୟକ ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଭ କରିଛନ୍ତି । କେବଳ ନେତା, ମନ୍ତ୍ରୀ ନୁହଁନ୍ତି, ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ । ଜଗନ୍ନାଥ ସବୁ ଧାର୍ମିକ ସମନ୍ୱୟର ଦେବତା ହୋଇଥିବାରୁ ତାଙ୍କ ଦର୍ଶନ କରି ବେଶ୍ ବିମୋହିତ ହୋଇଛନ୍ତି ଶ୍ରଦ୍ଧାଳୁ ।

ରଥ ସମ୍ମୁଖରେ ଆଭୂମି ପ୍ରଣିପାତ ହେବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ପହଣ୍ଡି ଦର୍ଶନ ଏକ ଅପୂର୍ବ ମୁହୂର୍ତ୍ତ। ସେ ଲୀଳାମୟ, ତାଙ୍କ ଲୀଳା ଅପାର। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତିରେ ପରିପୂର୍ଣ୍ଣ ହେଉ। ଓଡ଼ିଆ ଜାତି ଓ ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ଭାବର ଠାକୁର ଓ ଧାର୍ମିକ ସମନ୍ୱୟର ଦେବତା। ଆଜି କୋଟି କୋଟି ଶ୍ରଦ୍ଧାଳୁଙ୍କ ଗ୍ରହଣରେ ତାଙ୍କୁ ଦର୍ଶନ କରି ମୁଁ ବିମୋହିତ। ଶ୍ରୀ ପ୍ରଧାନ ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମାନବ କଲ୍ୟାଣ ଓ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

 ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦ୍ୱୟ ପୁରୀ ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟ ଜଗତଗୁରୁ ପରମପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ସାକ୍ଷାତ୍ କରି ତାଙ୍କ ଆଶୀର୍ବାଦ ନେଇଥିଲେ। ସେ କହିଥିଲେ ଦେବା ଦେବୀଙ୍କର ଦର୍ଶନ ଯେତେ ପବିତ୍ର, ପୂଜ୍ୟ ସାଧୁ ସନ୍ଥଙ୍କ ଦର୍ଶନ ମଧ୍ୟ ସେତିକି ପବିତ୍ର। ଆଜି ଦେବ ଦର୍ଶନ ସହ ଗୁରୁ ଦର୍ଶନ କରିବା ଆନନ୍ଦର ବିଷୟ।

 ଓଡ଼ିଶା ଓ ବିଶ୍ୱବାସୀଙ୍କୁ ପବିତ୍ର ‘ରଥଯାତ୍ରା’ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ସଂସ୍କୃତିରେ ରଥଯାତ୍ରାର ମହତ୍ତ୍ୱ ଉପରେ ଶ୍ରୀ ମୋଦୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ‘ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରଭୁ ଜଗନ୍ନାଥଙ୍କ ଐଶ୍ୱରୀୟ ଯାତ୍ରା ଆମ ସମସ୍ତଙ୍କ ଜୀବନକୁ ସ୍ୱାସ୍ଥ୍ୟ, ସୁଖ ଏବଂ ଆଧ୍ୟତ୍ମିକତାରେ ପରିପୂର୍ଣ୍ଣ କରୁ।’

  ଆଉ ଅପରପକ୍ଷେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜଳ ସ୍ଥଳ ଏବଂ ଆକାଶ ମାର୍ଗରୁ ପୁରୀ ଉପରେ ରହିଥିଲା ସୁରକ୍ଷା ବାହିନୀର କଡ଼ା ନଜର। ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବଡ଼ଦାଣ୍ଡ ଓ ପୂରା ସହର ଉପରେ ନଜର ରଖଯାଇଥିଲା । ସୁରକ୍ଷା ଦାୟିତ୍ୱରେ ମୁତୟନ ହୋଇଥିଲେ ୧୮୦ ପ୍ଳାଟୁନ୍ ଫୋର୍ସ। ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୫୦ରୁ ଅଧିକ ସିସିଟିଭି ଲଗାଯାଇ ଲୋକଙ୍କ ଯାତାୟତ ଓ ଟ୍ରାଫିକ୍ ବ୍ୟବସ୍ଥାକୁ ମନିଟରିଂ କରାଯାଇଥିଲା ସେହିପରି ଯାତ୍ରୀମାନଙ୍କର ସୁବିଧା ଲାଗି ୧୧ଟି ସ୍ଥାନରେ ଖୋଲାଯାଇଛି ସୂଚନା କେନ୍ଦ୍ର। ଆଜିଠାରୁ ନୀଳାଦ୍ରି ବିଜେ ଯାଏଁ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ଶଙ୍ଖ କ୍ଷେତ୍ର ଶ୍ରୀକ୍ଷେତ୍ର।

 

ଏହାପରେ ତିନି ରଥରେ ଘୋଡ଼ା ଯୋଖା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

 

ଏହା ପରେ ଆସିଥିଲା ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ...ଚାରମାଳ ଫିଟା, ଘୋଡ଼ା ଯୋଚା ଓ ସାରଥୀ ଲାଗିବା ପରେ ଅପରାହ୍ନ ପ୍ରାୟ ୩ଟା ଅର୍ଥାତ ନିର୍ଦ୍ଧାରିତ ସମୟର ୧ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ରଥ ଟଣା। ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ଭକ୍ତ। ଏହା ପରେ ମା ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଘର ଘର ନାଦରେ, ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ଦରିଆରେ ପୋତଟିଏ ଭଳି ଭକ୍ତିର ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ।

ଆଜି ରଥରେ ରହିବା ପରେ କାଲି ଆଡ଼ପ ମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନିଠାକୁର। ସେ ଦୃଷ୍ଟିରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲା ତିନି ରଥ। ନନ୍ଦିଘୋଷ ରଥ ଟାଣିବାକୁ ପୁରୀରେ ଏକାଠି ହୋଇଥିଲେ ହଜାର ହଜାର ଭକ୍ତ। ଅପରାହ୍ଣ ୩ଟା ୪୦ ମିନିଟ୍ ରେ ଆରମ୍ଭ ହୋଇଥିଲା ରଥଟଣା ।

ପ୍ରଥମେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଥିଲା ବଡ଼ ଠାକୁରଙ୍କ ତାଳଧ୍ବଜ ରଥ । ହରିବୋଲ ହୁଳହୁଳିରେ କମ୍ପିଥିଲା ସାରା ବଡ଼ଦାଣ୍ଡ ।  ଏହାର କିଛି ସମୟ ପରେ ଗଡ଼ିଥିଲା ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ବା ଦେବଦଳନ  । ବଡ଼ ଭାଇ ଓ ଭଉଣୀଙ୍କ ରଥ ଆଗକୁ ଆଗକୁ ମାଡ଼ି ଚାଲିଥିଲା ।

ଆଉ ଶେଷରେ ଗହଳ ଲଗାଇ ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡ଼ିଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ।

ବଡ଼ଦାଣ୍ଡରେ ଜନସମୁଦ୍ର ଭିତରେ  ତିନିଟି ଡଙ୍ଗା ଭାସିବା ଭଳି ଦୃଶ୍ୟମାନ ହେଉଥିଲା ତିନି ରଥ ।

ମାଉସୀ ମା’ ମନ୍ଦିର ପାଖରେ ଅଟକିଲା ନନ୍ଦିଘୋଷ, ଆସନ୍ତାକାଲି ମିଳିବ ରଥଟଣାର ସୁଯୋଗ

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିପାରିଲାନି ମା’ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କ ରଥ । କେବଳ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ପାରିଥିବା ବେଳେ ଦର୍ପଦଳନ ଓ ନନ୍ଦିଘୋଷ ଅଧାବାଟରେ ଅଟକି ରହିଛନ୍ତି ।

ତେବେ ସଅଳ ପହଣ୍ଡି ଓ ରଥ ଟଣା ସତ୍ତ୍ୱେ ସନ୍ଧ୍ୟା ପୂର୍ବରୁ ଶରଧାବାଲିରେ ରଥ ପହଞ୍ଚିପାରି ନ ଥିଲା। ଶରଧାବାଲିରେ ଲାଗିଲା ତାଳଧ୍ୱଜ। ବାଟରେ ଅକଟି ରହିଲେ ଦେବଦଳନ ଓ ନନ୍ଦିଘୋଷ। ଜନ୍ମବେଦୀ ଅଭିମୁଖେ ନବ ଦିନାତ୍ମକ ଘୋଷଯାତ୍ରାରେ ବାହାରି ଥିବା ଶ୍ରୀଜିଉଙ୍କ ୩ଟି ଯାକ ରଥ ଆଜି ସଂଧ୍ୟା ସୁଦ୍ଧା ଶରଧାବାଲିରେ ଲାଗି ପାରିନି। କେବଳ ବଳଭଦ୍ରଙ୍କ ତାଳଧ୍ୱଜ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ପାରିଛି। ରାତି ହୋଇଯିବା କାରଣରୁ ଆଜିପାଇଁ ରଥଟଣା ବନ୍ଦ କରଯାଇଛି । ସୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଂଖ ନିକଟରେ ଲାଗିଥିବା ବେଳେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକରେ ରହିଛି। ଏ ଦୁଇ ରଥ ଶରଧାବାଲିରେ ପହଞ୍ଚି ନଥିବାରୁ ଆସନ୍ତାକାଲି ପୁଣି ହେବ ରଥଟଣା। ଭକ୍ତମାନେ ଆସନ୍ତାକାଲି ମଧ୍ୟ ବଡ଼ଦାଣ୍ଡରେ ରଥଟଣାର ସୁଯୋଗ ପାଇବେ।  ଆଜି ଶ୍ରୀଜୀୟୁ ମାନେ ରଥରେ ରହିବା ପରେ କାଲି ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ । ଆଜି ତିନି ରଥରେ ଶ୍ରିଜୀଉମାନଙ୍କ ନୀତିକାନ୍ତି ଶେଷ କରାଯିବ । ସେପଟେ ଭାଇ-ଭଉଣୀଙ୍କ ସହିତ ତିନିଠାକୁର ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଥିବା ମହାପ୍ରଭୁ ଜଗନ୍ନାଥଙ୍କୁ ଚର୍ମ ଚକ୍ଷୁରେ ଦେଖି ଭକ୍ତ ଭାବ ବିହ୍ୱଳ ହୋଇପଡ଼ିଛି। ରଥ ଟାଣି ହାତ, ପାଦ ଓ ଶରୀରକୁ ମହାପ୍ରଭୁଙ୍କ ସେବାରେ ଲଗାଇ ଭକ୍ତ ଧନ୍ୟ ମଣିଛନ୍ତି।

 କାଲି ସକାଳ ୯ଟାରୁ ରଥ ଭିଡ଼ା, ସଂସ୍କୃତି ଗବେଷକ କହିଲେ- ଶାସ୍ତ୍ରୀୟ ମତକୁ ପାଳନ କରୁନି ପ୍ରଶାସନ

 ଶରଧାବାଲିରେ ଲାଗିଛି ତାଳଧ୍ୱଜ। ବାଟରେ ଅକଟି ରହିଛି ଦେବଦଳନ ଓ ନନ୍ଦିଘୋଷ। ଆଜି ସଂଧ୍ୟା ସୁଦ୍ଧା ଶରଧାବାଲିରେ ଲାଗି ପାରିନି ଏହି ୨ ରଥ। ସୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଂଖ ନିକଟରେ ଲାଗିଥିବା ବେଳେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକରେ ରହିଛି। ଏ ଦୁଇ ରଥ ଶରଧାବାଲିରେ ପହଞ୍ଚି ନଥିବାରୁ ଆସନ୍ତାକାଲି ପୁଣି ହେବ ରଥଟଣା। ଠାକୁରଙ୍କ ଅବକାଶ ପର୍ଯ୍ୟନ୍ତ ଦୈନ ଦିନ ନୀତି ସରିବା ପରେ କାଲି ସକାଳ ୯ଟାରୁ ପୁଣି ରଥ ଟଣା ହେବ। ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର। ଏଥିସହ ସେ କହିଛନ୍ତି କାଲି ପହଣ୍ଡି ହୋଇପାରିବନି। ରଥରେ ମହାପ୍ରଭୁ ଦର୍ଶନ ଦେବେ।

 ସେପଟେ ଠିକଣା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଆଜି ରଥ ନପହଞ୍ଚି ପାରିବା ନେଇ ବହୁ ଭକ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶାସ୍ତ୍ରରେ ଉଲ୍ଲେଖ ଥିବା ମତ ଓ ବହୁବର୍ଷ ଧରି ଚାଲି ଆସୁଥିବା ବ୍ୟବସ୍ଥା ଭିତରେ ଅନ୍ତର ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେମାନେ ମତ ପ୍ରକାଶ କରିଛନ୍ତି।

 ଆଜି ରଥଟଣାରେ ମୁଖ୍ୟ ବାଧକ ସାଜିଥିଲା ରଥ ଠିକ୍‌ ଭାବେ ମୋଡ଼ ନେଇ ନ ପାରିବା। ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ୩ କିମି ରାସ୍ତାରେ ୩ଟି ପ୍ରମୁଖ ମୋଡ଼ ରହିଥାଏ। ତେବେ ରଥ ଉପରେ ଧାର୍ଯ୍ୟ ଠାରୁ ଅଧିକ ସେବାୟତ ରହିବାରୁ ରଥ ମୋଡ଼ ନେବାରେ ଅସୁବିଧା ସୃଷ୍ଟି ହୋଇଥିଲା। ତେଣୁ ସନ୍ଧ୍ୟା ପୂର୍ବରୁ କୌଣସି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ପାରି ନ ଥିଲା। ଅନ୍ଧାର ହୋଇଯାଇଥିଲେ ହେଁ ଅଳ୍ପ ଆଲୁଅ ଭିତରେ ପ୍ରଶାସନିକ ଅଧିକାରୀ, ପୁଲିସ ଟିମ୍‌ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜକୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଭିଡ଼ି ନେଇ ଲଗାଇ ଦେଇଥିଲେ। ସେହିପରି ଶ୍ରୀସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମଧ୍ୟ ଅଳ୍ପ ଲାଇଟ୍‌ ବ୍ୟବସ୍ଥା ଭିତରେ କିଛି ବାଟ ଗଡ଼ିଥିଲା। ସେବାୟତମାନେ ସନ୍ଧ୍ୟା ପରେ ରଥ ନଟାଣିବାକୁ କହିବାରୁ ଦର୍ପଦଳନ ବଡ଼ଶଙ୍ଖ ଛକ ପାଖରେ ଅଟକିଥିଲା। ଏଥିସହ ଶେଷରେ ଗହଳି ଲଗାଇ ଆସୁଥିବା ନନ୍ଦିଘୋଷ ମାଉସୀ ମା’ ମନ୍ଦିର ନିକଟରେ ଅଟକି ଥିଲା।

 ରଥ ଉପରେ ଠାକୁରଙ୍କ ଆଗରେ ଓ ପାର୍ଶ୍ୱରେ ଆବଶ୍ୟକ ଠାରୁ ଅଧିକ ସେବାୟତ ରହିବାରୁ ମଧ୍ୟ ରଥଟଣା ବେଳେ ଶ୍ରଦ୍ଧାଳୁ ଠାକୁରଙ୍କୁ ଭଲଭାବେ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ। ଯାହାକୁ ସ୍ୱୀକାର କରିବା ସହ ସେବାୟତଙ୍କୁ ଏଭଳି ନ କରିବାକୁ ବାରଣ କରାଯାଇଥିବା ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି।

 ତେବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମନୋଜ ରଥ କହିଛନ୍ତି, ସ୍କନ୍ଦ ପୁରାଣ ମୁତାବକ ସନ୍ଧ୍ୟା ହେଲେ ମଧ୍ୟ ହଜାର ହଜାର ମସାଲ ଲଗାଇ ଉଜ୍ୱଳ ଅଲୋକ ଭିତରେ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରଥ ଟାଣିନେବାକୁ ଓ ମସାଲ ଜଳାଇ ଠାକୁରଙ୍କୁ ପହଣ୍ଡି କରି ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ କରାଇବାକୁ ମଧ୍ୟ ଉଲ୍ଲେଖ କରାଯାଇଛି। ମାତ୍ର ଶାସ୍ତ୍ରୀୟ ମତକୁ ନ ମାନି ବହୁବର୍ଷ ଧରି ଗଡ଼ି ଆସିଥିବା ବ୍ୟବସ୍ଥାକୁ ପ୍ରଶାସନ ପାଳନ କରିବା ପରିତାପର ବିଷୟ। ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ହଜାରହଜାର ଅଲୋକର ବ୍ୟବସ୍ଥା କରି ପ୍ରଶାସନ ରଥ ଭିଡ଼ି ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଲଗାଇବା ସହ ପ୍ରଥମ ଦିନ ହିଁ ଠାକୁରମାନଙ୍କୁ ଆଡ଼ପ ମଣ୍ଡପକୁ ପହଣ୍ଡି କରି ନେବା କଥା। ହେଲେ ଏହାକୁ ପାଳନ କରାଯାଉନି। ପ୍ରଶାସନିକ ଦାୟିତ୍ୱହୀନତା ଏହାର କାରଣ ହୋଇଛି।