ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ

ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିଛନ୍ତି ।

ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିଛନ୍ତି । ଆଜି ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଧିବଦ୍ଧଭାବେ ଶ୍ରୀ ପାଣିଗ୍ରାହୀ ବିଜେପିରେ ଯୋଗଦେଇଛନ୍ତି ।

ବିଜେପି ରାଜ୍ୟସଭାପତି ମନମୋହନ ସାମଲ ଓ ଦଳର ଅନ୍ୟ ବରିଷ୍ଠ ନେତା ଶ୍ରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ବିଜେପିକୁ ସ୍ୱାଗତ କରିଥିଲେ । ବିଜେପିରେ ଯୋଗଦେବା ପରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ଆଜି ମୋ ପାଇଁ ଏକ ଗୌରବର ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ସାମିଲ ହେଲି । ବର୍ତ୍ତମାନର ସମୟ ହେଉଛି ଏକ ପରିବର୍ତ୍ତନର ସମୟ । ବର୍ତ୍ତମାନର ସମୟ ଏକ ସୁଦୃଢ ଭାରତ ଓ ଏକ ସୁଦୃଢ ଓଡ଼ିଶା ଗଠନର ସମୟ ।

ପ୍ରକାଶ ଯେ ବିଜେଡିରୁ ବହିଷ୍କୃତ ହେବା ପରେ ଶ୍ରୀ ପାଣିଗ୍ରାହୀ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଆସୁଥିଲେ । ଏପରିକି ସାରା ରାଜ୍ୟ ଏବେ ଗେରୁଆମୟ ହେବାକୁ ଯାଉଥିବା ସେ କହିଥିଲେ । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ବିଜେପି, ବିଜେଡି ଓ କଂଗ୍ରେସରେ ମିଶ୍ରଣ ପର୍ବ ଜୋର ଧରିଛି ।