ଓଡ଼ିଶାରେ ଆରମ୍ଭ ହେଲା ସାଗର ପରିକ୍ରମା ଯାତ୍ରାର ଏକାଦଶ ପର୍ଯ୍ୟାୟ

କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲାଙ୍କ ନେତୃତ୍ୱରେ ଆଜି ଗଞ୍ଜାମ ଜିଲ୍ଲାର ଅର୍ଜିପଲ୍ଲୀ ମାଛଧରା ବନ୍ଦରରୁ ଓଡ଼ିଶାରେ ସାଗର ପରିକ୍ରମା ଯାତ୍ରା ଏକାଦଶ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ପରଷୋତ୍ତମ ରୂପାଲା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅନେକ ହିତାଧିକାରୀ ସେମାନଙ୍କର ପ୍ରାଥମିକ ଅନୁଭୂତି ବାଣ୍ଟିବା ସହ ନୂତନ ଡଙ୍ଗା ଏବଂ ଜାଲ ପାଇଁ ଅନୁରୋଧ କରିଥିଲେ ଏବଂ କେସିସି ଓ ପିଏମଏମଏସୱାଇ ଯୋଜନା ସେମାନଙ୍କ ଜୀବନରେ ଉଲ୍ଲେଖନୀୟ ଅବଦାନ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ, ମଞ୍ଜୁରୀ/ପ୍ରମାଣପତ୍ର ବଣ୍ଟନ କରାଯିବା ସହ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ପ୍ରଗତିଶୀଳ ମତ୍ସ୍ୟଜୀବୀଙ୍କୁ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ନୀତୁ କୁମାରୀ ପ୍ରସାଦ, ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶକ ସିଦ୍ଦିକି ଆଲାମ୍ ଏବଂ ଅନ୍ୟ ସମ୍ମାନିତ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।
କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ନଇରୀ ମତ୍ସ୍ୟଜୀବୀ ଗ୍ରାମ ପରିଦର୍ଶନ କରିଥିଲେ। ନୀତୁ କୁମାରୀ ପ୍ରସାଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ରୂପାଲା ଯାନ୍ତ୍ରିକ, ମୋଟରଚାଳିତ ଓ ପାରମ୍ପରିକ ଡଙ୍ଗା ମାଲିକ ସଂଘର ପ୍ରତିନିଧି, ଶୁଖିଲା ମାଛ ପ୍ରୋସେସର, ମହିଳା ଏସ୍ଏଚ୍ଜି ସଦସ୍ୟ ଆଦି ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଜୀବିକା, ମତ୍ସ୍ୟ ଚାଷରୁ ଖାଦ୍ୟ ନିରାପତ୍ତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଆଲୋଚନାଚକ୍ର ମତ୍ସ୍ୟଜୀବୀଙ୍କୁ ସେମାନଙ୍କର ଅନ୍ତରର ଅନୁଭୂତି ଏବଂ ସେମାନଙ୍କ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ପ୍ରକାଶ କରିବାରେ ସାହାଯ୍ୟ କରିଥିଲା। ଆଗାମୀ ଦିନରେ ମଧ୍ୟ ସାଗର ପରିକ୍ରମା ଭଳି କାର୍ଯ୍ୟକ୍ରମ ପାଇଁ ହିତାଧିକାରୀମାନେ ଅନୁରୋଧ କରିଛନ୍ତି।