ମୁଣ୍ଡଳି ଟୋଲ୍ ଗେଟ୍ ବନ୍ଦ

ଅନ୍ୟାଦେଶ ଯାଏଁ ମୁଣ୍ଡଳି ଟୋଲ୍ ଗେଟ୍ ବନ୍ଦ ରହିବ ।

ମୁଣ୍ଡଳି ଟୋଲ୍ ଗେଟ୍ ବନ୍ଦ

ଅନ୍ୟାଦେଶ ଯାଏଁ ମୁଣ୍ଡଳି ଟୋଲ୍ ଗେଟ୍ ବନ୍ଦ ରହିବ । ଛତିଶଗଡ ତୀର୍ଥଯାତ୍ରୀଙ୍କୁ ଟୋଲଗେଟ କର୍ମଚାରୀଙ୍କ ଆକ୍ରମଣ ପରେ ପ୍ରଶାସନ ପକ୍ଷରୁ ଏଭଳିି ନିଷ୍ପତ୍ତି ନିଆଯାଇଛି । ଓବିସିସି ସହ ବୈଠକ ପରେ ଟୋଲଗେଟ କେବେ ଖୋଲିବ ସେନେଇ ନିଷ୍ପତ୍ତି ନିଆଯିବ । ଆଠଗଡ ଉପଜିଲ୍‌ଲାପାଳ ହେମନ୍ତ କୁମାର ସ୍ୱାଇଁ ଏହି ସୂଚନା ଦେଇଛନ୍ତି । ଆକ୍ରମଣ ଘଟଣାରେ ଦୋଷୀଙ୍‌କ ପ୍ରତି ଦୃଢ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।

 ପ୍ରକାଶ ଯେ ମୁଣ୍ଡଳୀ ଟୋଲ ଗେଟର କର୍ମଚାରୀ ଓ ଛତିଶଗଡ ପର୍ୟ୍ୟଟକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ବସ୍‌ରେ ଥିବା ୧୧ଜଣ ଟୁରିଷ୍ଟ ଓ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ଗେଟ୍‌ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି।

ଛତିଶଗଡରୁ ୨ଟି ବସ୍‌ରେ ଟୁରିଷ୍ଟମାନେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବାକୁ ଆସିଥିଲେ। ଗତକାଲି ପୁରୀ ଓ ନନ୍ଦନକାନନ ବୁଲି ପର୍ୟ୍ୟଟକମାନେ ଛତିଶଗଡ଼ ଫେରୁଥିଲେ। ମୁଣ୍ଡଳି ଟୋଲ ଗେଟ୍‌ରେ କର୍ମଚାରୀମାନେ ବସ୍‌ ଡ୍ରାଇଭରକୁ ଗେଟରେ ପାରି ହେବା ପାଇଁ ଅର୍ଥ ରାଶି ମାଗିଥିଲେ। ଧାର୍ୟ୍ୟ ରାଶି ଠାରୁ ଟୋଲ ଗେଟ୍‌ କର୍ମଚାରୀ ଅଧିକ ଟଙ୍କା ମାଗିଥିବା ବସ୍‌ ଡ୍ରାଇଭର ଅଭିଯୋଗ କରିଛନ୍ତି। ପଇସା ନ ଦେଲେ ବସ୍‌ ଛଡ଼ାଯିବ ନାହିଁ ଟୋଲ ଗେଟ୍‌ କର୍ମଚାରୀ ବସ୍ ଡ୍ରାଇଭରକୁ କହିଥିଲେ। ପରେ ଏହି କଥାକୁ ନେଇ ଟୋଲ ଗେଟ୍‌ କର୍ମଚାରୀ ଓ ବସ୍ ଡ୍ରାଇଭର ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୁପ ନେଇଥିଲା।

ଟୋଲ ଗେଟ୍‌ କର୍ମଚାରୀ ଓ ବସ୍ ଡ୍ରାଇଭରଙ୍କ ଝଗଡ଼ା ଦେଖି ଟୁରିଷ୍ଟମାନେ ମଧ୍ୟ ବସ୍‌ରୁ ଓହ୍ଲାଇ ଆସିଥିଲେ। ସେମାନଙ୍କର ମଧ୍ୟ ଟୋଲ ଗେଟ୍‌ କର୍ମଚାରୀ ସହିତ ଝଗଡ଼ା ହୋଇଥିଲା। ପରେ ଟୁରିଷ୍ଟ, ଡ୍ରାଇଭର ଓ କର୍ମଚାରୀଙ୍କ ମଧ୍ୟରେ ଠେଙ୍ଗାବାଡ଼ି ମାଡପିଟ୍‌ ହୋଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ପୁଲିସ ଏହି ଘଟଣାରେ ୪ଜଣ ଟୋଲ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସଂର୍ଘଷରେ ୨ଟି ବସ୍‌ର ସମ୍ମୁଖ ଅଂଶ ଓ କାଚ ଭାଙ୍ଗି ଯାଇଥିଲା।