ଜନଜାତି ଖେଳ ମହୋତ୍ସବ ଉଦଘାଟିତ

ଓଡ଼ିଶାକୁ ଜନଜାତି ଖେଳ ମହୋତ୍ସବ ର ପ୍ରଥମ ସଂସ୍କରଣ ଆୟୋଜନ ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ଜନଜାତି ଖେଳ ମହୋତ୍ସବ ଉଦଘାଟିତ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନଜାତି ଖେଳ ମହୋତ୍ସବ'ରେ ଯୋଗ ଦେଇ କହିଛନ୍ତି ଯେ ଆଦିବାସୀ କ୍ରୀଡ଼ାବିତମାନଙ୍କ ପାଇଁ ଏଭଳି ଆୟୋଜନ ଏକ ପ୍ରେରଣା। ଆଦିବାସୀଙ୍କ କ୍ରୀଡ଼ା ମନୋଭାବକୁ ଆହୁରି ଦୃଢ କରିବା ସହ ଜାତୀୟସ୍ତରରେ ଆଦିବାସୀଙ୍କ ପାରମ୍ପରିକ କ୍ରୀଡ଼ାର ପ୍ରସାର ଦିଗରେ ଏଭଳି ଆୟୋଜନ ନୂଆ ସୁଯୋଗ ସୃଷ୍ଟି କରିଛି।

ଓଡ଼ିଶାକୁ ଜନଜାତି ଖେଳ ମହୋତ୍ସବ ର ପ୍ରଥମ ସଂସ୍କରଣ ଆୟୋଜନ ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି: ଓଡ଼ିଶାରେ କ୍ରୀଡ଼ାର ବିଶେଷ ଆଦର ରହିଛି। ସଫଳତାର ସହ ଓଡ଼ିଶା ଲଗାତାର ୨ ଥର ହକି ବିଶ୍ଵ କପ, ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାକୁମ୍ଭ ଆୟୋଜନ କରିଛି।

ଓଡ଼ିଶାକୁ ଦେଶର ସ୍ପୋର୍ଟ୍ସ ହବ୍ ଭାବେ ବିକଶିତ କରାଯାଉଛି। ଦେଶର କ୍ରୀଡ଼ା ମାନଚିତ୍ରରେ ଆଦିବାସୀ କ୍ରୀଡ଼ାବିତମାନଙ୍କର ଭୂମିକା ମହତ୍ଵପୂର୍ଣ୍ଣ ଏବଂ ଭବିଷ୍ୟତ ଉଜ୍ଜ୍ୱଳ। ଓଡ଼ିଶାର ଅଧିକାଂଶ କ୍ରୀଡ଼ାବିତ୍ ଆଦିବାସୀ ସମ୍ପ୍ରଦାୟର ଏବଂ ସେମାନେ ହିଁ ରାଜ୍ୟ ପାଇଁ ଅନେକ ପ୍ରଶଂସା ଏବଂ ସୁନାମ ଆଣିଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ଦେଶର ୨୬ଟି ରାଜ୍ୟରୁ ପ୍ରତିନିଧିତ୍ଵ କରୁଥିବା ୫୦୦୦ ରୁ ଅଧିକ ଆଦିବାସୀ ପ୍ରତିଦ୍ଵନ୍ଦୀ, ୧୦୦୦କୋଚ୍ ଏବଂ ପରିଚାଳକଙ୍କୁ ନେଇ ଆୟୋଜିତ ‘ଜନଜାତି ଖେଳ ମହୋତ୍ସବ’ ଏକ ଐତିହାସିକ ସମାରୋହ। ଆଗାମୀ ଦିନରେ କ୍ରୀଡ଼ା ସହ ବିଭିନ୍ନ କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।