ଏଫ୍‌ଆଇଏଚ୍ ମହିଳା ପ୍ରୋ ଲିଗ୍‌; ସଲିମା ଟେଟେ କ୍ୟାପ୍‌ଟେନ୍ ନିଯୁକ୍ତ

ଏଫ୍‌ଆଇଏଚ୍ ମହିଳା ପ୍ରୋ ଲିଗ୍‌; ସଲିମା ଟେଟେ କ୍ୟାପ୍‌ଟେନ୍ ନିଯୁକ୍ତ

 ଚଳିତ ମାସ ଶେଷ ଆଡ଼କୁ ଆରମ୍ଭ ହେବାକୁ ଥିବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ର ବେଲ୍‌ଜିୟମ୍ ଓ ଇଂଲଣ୍ଡ ଚରଣ ପାଇଁ ହକି ଇଣ୍ଡିଆ ୨୪ ଜଣିଆ ମହିଳା ଟିମ୍ ଘୋଷଣା କରିଛି । ଗୋଲ୍‌କିପର୍ ସବିତା ପୁନିଆଙ୍କ ସ୍ଥାନରେ ମିଡ୍‌ଫିଲ୍ଡର ସଲିମା ଟେଟେଙ୍କୁ ଟିମ୍‌ର କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି । ସେହିପରି ଅନ୍ୟତମ ମିଡ୍‌ଫିଲ୍ଡର ନବନୀତ କୌର୍ ଟିମ୍‌ର ଭାଇସ୍ କ୍ୟାପ୍‌ଟେନ୍ ହେବେ ।

ତାଙ୍କୁ ବନ୍ଦନା କଟାରିୟାଙ୍କ ସ୍ଥାନରେ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ସଲିମାଙ୍କୁ ନିକଟରେ ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ସମାରୋହରେ ବଲ୍‌ବିର ସିଂହ ସିନିୟର୍ ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ମିଳିଥିଲା । ବେଲ୍‌ଜିୟମ୍ ଚରଣରେ ମ୍ୟାଚ୍ ମେ ୨୨ରୁ ୨୬ ପର୍ଯ୍ୟନ୍ତ ଏବଂ ଇଂଲଣ୍ଡ ଚରଣରେ ଜୁନ୍ ୧ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ପ୍ରଥମ ଚରଣରେ ଭାରତ ଦୁଇଥର ବେଲ୍‌ଜିୟମ୍ ଓ ଆର୍ଜେଣ୍ଟିନାକୁ ଭେଟିବ । ଏହାପରେ ଲଣ୍ଡନ ଚରଣରେ ଟିମ୍ ବ୍ରିଟେନ୍ ଓ ଜର୍ମାନୀ ବିପକ୍ଷରେ ଖେଳିବ । ଭାରତ ବର୍ତ୍ତମାନ ପ୍ରୋ ଲିଗ୍ ତାଲିକାର ୬ଷ୍ଠ ସ୍ଥାନରେ ରହିଛି ।
ଭାରତୀୟ ମହିଳା ହକି ଟିମ୍‌: ଗୋଲ୍‌କିପର୍‌- ସବିତା ପୁନିଆ, ବିଚୁ ଦେବୀ ଖାରିବାମ୍‌; ଡିଫେଣ୍ଡର୍‌- ନିକ୍କି ପ୍ରଧାନ, ଉଦିତା, ଇଶିକା ଚୌଧୁରୀ, ମୋନିକା, ଜ୍ୟୋତି ଛତ୍ରୀ, ମହିମା ଚୌଧୁରୀ; ମିଡ୍‌ଫିଲ୍ଡର- ସଲିମା ଟେଟେ (କ୍ୟାପ୍‌ଟେନ୍‌), ବୈଷ୍ଣବୀ ଭିଟ୍ଟଲ୍ ଫାଲ୍‌କେ, ନବନୀତ କୌର୍ (ଭାଇସ୍ କ୍ୟାପ୍‌ଟେନ୍‌), ନେହା, ଜ୍ୟୋତି, ବଲଜିତ କୌର୍‌, ମନୀଷା ଚୌହାନ, ଲାଲ୍‌ରେମ୍ସିୟାମି; ଫର୍‌ୱାର୍ଡ- ମୁମତାଜ ଖାନ୍‌, ସଙ୍ଗୀତା କୁମାରୀ, ଦୀପିକା, ଶର୍ମିଳା ଦେବୀ, ପ୍ରୀତି ଦୁବେ, ବନ୍ଦନା କଟାରିୟା, ସୁନେଲିତା ଟପ୍ପୋ, ଦୀପିକା ସୋରେଙ୍ଗ୍ ।