ଚୋରା କୋକେନ୍‌ ଜାହାଜ ଦେବୀକୁ ବାନ୍ଧିକି ରଖ

ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ , କୌଣସି ହାଲତରେ ଛଡ଼ା ଯିବ ନାହିଁ

ଚୋରା କୋକେନ୍‌ ଜାହାଜ ଦେବୀକୁ ବାନ୍ଧିକି ରଖ
କଟକ: ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏମ.ଭି. ଦେବୀ ନାମକ ଜାହାଜକୁ ପାରାଦୀପ ବନ୍ଦରରେ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦରରେ ଜାହାଜ ଅଟକିବା ସ୍ଥାନ (ବର୍ଥ) ଭଡା ଓ ଅନ୍ୟାନ୍ୟ ଦେୟ ଅସୁଲ ପ୍ରସଙ୍ଗକୁ ନେଇ ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତୀୟ ସାମୁଦ୍ରିକ ବିବାଦ ସଂପର୍କିତ ମୂଳ ମାମଲାର ମାର୍ଚ୍ଚ ୭ରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ସଂସ୍ଥାର ବର୍ଥରେ ଏମ.ଭି.ଦେବୀ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ଦିନ ରହିବା ବାବଦ ଦେୟକୁ ନେଇ ଏହି ମାମଲା ହାଇକୋର୍ଟରେ ଦାୟର ହୋଇଛି। ଏଥିରେ ଏମ.ଭି.ଦେବୀ ନିକଟରୁ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ଆଦାୟ କଥା ଉଲ୍ଲେଖ କରାଯାଇଛି। ଆହୁରି କୁହାଯାଇଛି, ବର୍ଥ ଭଡା, ଜରିମାନା, ସୁଧ, ଆଇନଗତ ବ୍ୟୟ ଓ ଅନ୍ୟାନ୍ୟ ପ୍ରାପ୍ୟ ବାବଦରେ ଉପରୋକ୍ତ ଅର୍ଥ ରାଶି ଜାହାଜରୁ ଆବେଦନକାରୀ ସଂସ୍ଥା ପାଇବା କଥା। ମୂଳ ମାମଲା ବିଚାରାଧୀନ ଥିବା ବେଳେ ଆଡମିରାଲ୍ଟି (ଜୁରିସଡିକ୍ସନ୍ ଆଣ୍ଡ ସେଟେଲମେଣ୍ଟ ଅଫ୍ ମାରିଟାଇମ୍ କ୍ଲେମ୍ସ) ଆଇନ ୨୦୧୭ ଅନୁସାରେ ଜାହାଜକୁ ଆରେଷ୍ଟ କରାଯାଉ ବୋଲି ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଥିଲା। ଫେବ୍ରୁଆରି ୨୧ରେ ହାଇକୋର୍ଟ ଅନ୍ତରୀଣ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ପାରାଦୀପ ବନ୍ଦରକୁ ଆସିଥିବା ଜାହାଜ ଏମ.ଭି.ଦେବୀରୁ ୨୦୨୩, ନଭେମ୍ବର ୩୦ ରାତି ଓ ଡିସେମ୍ବର ୧ରେ ୨୨ଟି ପ୍ୟାକେଟରେ ଥିବା କୋକେନ ଜବତ ହୋଇଥିଲା।