ସମସ୍ତଙ୍କ ଭତ୍ତା ହେବ ୩ ହଜାର ଟଙ୍କା! ମନ୍ତ୍ରୀଙ୍କ ବଡ ବୟାନ
ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଓଡିଶାରେ ୩୦୦୦ ଟଙ୍କା ଭତ୍ତା ପାଇବା ପାଇଁ ଉଭୟ ଯୋଜନାରେ ୫୧, ୮୨,୧୩୦ ଜଣ ଯୋଗ୍ୟ ହିତାଧୁକାରୀ ଅଛନ୍ତି ଓ ସେମାନଙ୍କୁ ବର୍ଦ୍ଧିତ ଭତ୍ତାରାଶି ପ୍ରଦାନ କରିବା ପାଇଁ ବିଚାର କରାଯାଉଛି ।

ଦିବ୍ୟାଙ୍ଗ ବିଧବା ଓ ୬୦ ବର୍ଷରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧାମାନେ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ଶିର୍ଶକ ମୁଲତବୀ ପ୍ରସଙ୍ଗ ଉପରେ ସରଗରମ ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ସରକାରକୁ ଆସିବା ପୂର୍ବରୁ ବିଜେପି ଯେଉଁ ଇସ୍ତାହାର ଘୋଷଣା କରିଥିଲା ତାହା ପୂରଣ କରିବା ଆବଶ୍ୟକ ରହିଛି।
କଂଗ୍ରେସ ବିଧାୟକ କହିଛନ୍ତି, ଘୋଷଣା କରିଥିବା କଥା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନି ।
କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଓ ଦିବ୍ୟଙ୍ଗଙ୍କ ପାଇଁ ସରକାର ସାଢେ଼ ୩ ହଜାର ଟଙ୍କା ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କ କଥା ବି ପ୍ରତିଶ୍ରୁତି ମୁତାବକ ବିଚାର କରନ୍ତୁ ବୋଲି କହିଛନ୍ତି।
ଏହା ସହ ବୃଦ୍ଧ ଲୋକ ବହୁ ଦୂର ଦୁରାନ୍ତକୁ ଭତ୍ତା ପାଇଁ ଦୌଡୁ ଥିବାରୁ ତାଙ୍କ ପାଇଁ ସରକାର ଚିନ୍ତା କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ। ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ବିଜେଡି ସରକାର ୫୦୦ ଟଙ୍କା ଲେଖାଏ ଭତ୍ତା ବୃଦ୍ଧି କରିଥିଲେ। କିନ୍ତୁ ବିଜେପି ପ୍ରତିଶ୍ରୁତି ଦେଇ ଭୁଲି ଯାଇଛି।
ପ୍ରତିଶୃତି ମୁତାବକ ରାଜ୍ୟର ପ୍ରାୟ ୫୭ ଲକ୍ଷ ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଭତ୍ତା ପ୍ରଦାନ କରିବା ପାଈଁ ପଦକ୍ଷେପ ନିଅନ୍ତୁ। ଏଥିପାଇଁ ଅତିରିକ୍ତ ୧୮୦୦ କୋଟି ଟଙ୍କା ଆବଶ୍ୟକ ପଡ଼ିବ। ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଆସିଥିବାରୁ ଅଧିକ ଅନୁଦାନ ଦେବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ।
ଏମିତି ପ୍ରଶ୍ନରେ ଗୃହରେ ଉତ୍ତର ରଖି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ୬୦ ବର୍ଷରୁ ୭୯ ବର୍ଷ ମଧ୍ୟରେ ଥିବା ୧୨ ଲକ୍ଷ ୬୨ ହଜାର ୯୨୨ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଭତ୍ତା ଦିଆଯାଉଛି । କେନ୍ଦ୍ର ୨୦୦ ଟଙ୍କା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୮୦୦ ଟଙ୍କା ଦିଆଯାଉଛି l
ସେହିଭଳି ୮୦ ବର୍ଷରୁ ଉର୍ଦ୍ଧ ୧ ଲକ୍ଷ ୫୫ ହଜାର ୭୦୯ ବୃଦ୍ଧ ବୃଦ୍ଧା ଅଛନ୍ତି। ସେମାନଙ୍କୁ ୧୨୦୦ ଟଙ୍କା ଦିଆଯାଉଛି । କେନ୍ଦ୍ର ୫୦୦ ଓ ରାଜ୍ୟ ସରକାର ୭୦୦ ଟଙ୍କା ଦେଉଛନ୍ତି । ୫ ଲକ୍ଷ ୨୫ ହଜାର ବିଧବା ମହିଳାଙ୍କୁ ୧୦୦୦ ଟଙ୍କା ଦିଆଯାଉଛି। କେନ୍ଦ୍ର ୩୦୦ ଓ ରାଜ୍ୟ ସରକାର ୭୦୦ ଟଙ୍କା ଦେଉଛନ୍ତି ।
୯୦ ହଜାରରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କୁ ୧୨୦୦ ଟଙ୍କା ପ୍ରଦାନ କରାଯାଉଛି। ୮୦ ବର୍ଷରୁ ଉର୍ଦ୍ଧ ଭିନ୍ନକ୍ଷମଙ୍କୁ ୧୪୦୦ ଟଙ୍କା ଦିଆଯାଉଛି । ଭତ୍ତା ବୃଦ୍ଧି ବାବଦରେ ମନ୍ତ୍ରୀ କୌଣସି ପ୍ରତିକ୍ରିୟା ରଖିନଥିଲେ ବି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ସରକାର ପ୍ରତିଶ୍ରୁତି ପାଳନ କରିବେ। ପର୍ଯ୍ୟାୟ କ୍ରମେ ପ୍ରତିଶ୍ରୁତି ଅନୁଯାୟୀ ସମସ୍ତଙ୍କୁ ସାମିଲ କରାଯିବ।
ତେବେ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ । ରାଜେନ୍ଦ୍ର ଢୋଲକିଆ ପ୍ରଶ୍ନ କରିଥିଲେ କି, ନୂତନ ସରକାରଙ୍କ ଘୋଷଣା ଅନୁଯାୟୀ ସମସ୍ତ ବର୍ଗର ପେନସନ୍ ଧାରୀଙ୍କୁ ପେନସନ୍ ଭତ୍ତା ୧ ହଜାର ଟଙ୍କାରୁ ବୃଦ୍ଧି କରି ୩ ହଜାର ଟଙ୍କା କରିବା ପାଇଁ ଓଡ଼ିଶାରେ ସବୁ ବର୍ଗର ପେନଦସନ୍ ଧାରୀଙ୍କୁ ମିଶାଇ ମୋଟ କେତେ ଜଣ ପେନସନ୍ ଧାରୀ ଧାରୀ ଅଛନ୍ତି ଏବଂ ସେମାନଙ୍କୁ ବର୍ତ୍ତମାନ ସରକାରଙ୍କ ଘୋଷଣା ଅନୁଯାୟୀ କେବେଠାରୁ ୩ ହଜାର ପେନସନ୍ ଦିଆଯିବ?
ତେବେ ଏହାର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ କହିଛନ୍ତି, ଅଦ୍ୟାବଧି ରାଜ୍ୟରେ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସହାୟତା ଅଧୀନରେ ୩୬,୭୫, ୦୦୮ ଓ ୨୦,୩୩,୯୫୯ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରାଯାଉଅଛି ।
ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଓଡିଶାରେ ୩୦୦୦ ଟଙ୍କା ଭତ୍ତା ପାଇବା ପାଇଁ ଉଭୟ ଯୋଜନାରେ ୫୧, ୮୨,୧୩୦ ଜଣ ଯୋଗ୍ୟ ହିତାଧୁକାରୀ ଅଛନ୍ତି ଓ ସେମାନଙ୍କୁ ବର୍ଦ୍ଧିତ ଭତ୍ତାରାଶି ପ୍ରଦାନ କରିବା ପାଇଁ ବିଚାର କରାଯାଉଛି । ମନ୍ତ୍ରୀଙ୍କ ବୟାନ ପରେ ପୁଣି ଭତ୍ତା ବଢିବା ନେଇ ଚର୍ଚ୍ଚା ଜୋର ଧରିଛି ।