୧୩ଟି ନୂଆ ରୁଟ୍‌ରେ ଗଡ଼ିବ ‘ମୋ ବସ’

ବସ ଯାତ୍ରୀ ପାଇଁ ଖୁସି ଖବର । ଏଣିକି ରାଜ୍ୟର ଆଉ ୧୩ଟି ନୂଆ ରୁଟ୍ ରେ ଗଢିବ ‘ମୋ ବସ୍’  ।

୧୩ଟି ନୂଆ ରୁଟ୍‌ରେ ଗଡ଼ିବ ‘ମୋ ବସ’

ବସ ଯାତ୍ରୀ ପାଇଁ ଖୁସି ଖବର । ଏଣିକି ରାଜ୍ୟର ଆଉ ୧୩ଟି ନୂଆ ରୁଟ୍ ରେ ଗଢିବ ‘ମୋ ବସ୍’  । ଜୁଲାଇ ୧ ତାରୁଖ ଅର୍ଥାତ୍ ଶନିବାର ଦିନଠାରୁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ( କ୍ରୁଟ) ପକ୍ଷରୁ ‘ମୋ ବସ’ ୧୩ଟି ନୂଆ ରୁଟରେ ସେବା ପ୍ରଦାନ କରିବ । ଏହି ରୁଟରେ ସରକାରୀ ବସ ଚଳାଚଳ ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା । ଲୋକଙ୍କ ଦାବି ଓ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ୧୩ଟି ରୁଟରେ ବସ୍ ଚଳାଚଳ ନେଇ କ୍ରୁଟ  ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଏହି ନୂଆ ରୁଟ୍ ସବୁ ଭୁବନେଶ୍ବର, କଟକ ଓ ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉପଲବ୍ଧ ହେବ । ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥାରେ କାକଟପୁର, ସାତପଡ଼ା ଓ ଡ଼େଲାଙ୍ଗ ଯୋଡ଼ି ହୋଇଛି । ଏହି ନୂଆ ରୁଟ୍ ଗୁଡ଼ିକରେ ‘ମୋ ବସ’ ସେବା ଦ୍ବାରା ରାଜଧାନୀ ତଥା ଅନ୍ୟ ସବୁ ଅଞ୍ଚଳର ସାଧାରଣ ପରିବହନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିବ । ଏହି ସେବା ଦ୍ବାରା ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ଯ ବିଶେଷ ଉପକୃତ ହେବେ ।

ଏହିସବୁ ଅଞ୍ଚଳର ପ୍ରମୁଖ ହବ ଗୁଡ଼ିକୁ ସଂଯୋଗ କରୁଥିବା ଏହି ରୁଟ୍ ସବୁ ନିରନ୍ତର ସାଧାରଣ ପରିବହନ ସେବା ସୁନିଶ୍ଚିତ କରିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି । ପ୍ରକାଶ ଥାଉ କି, ଗତ ମଇ ମାସରେ ବ୍ଲକରୁ ପଞ୍ଚାୟତକୁ ମୋ ବସ୍ ଗଡ଼ିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

ଲକ୍ଷ୍ମୀ ସ୍କିମ୍ ରେ ଗ୍ରାମଞ୍ଚଳରେ ପରିବହନ ସୁବିଧା ପାଇଁ ମୋ ବସ ଚଳାଚଳ ନେଇ ପରିବହନ ବିଭାଗ  ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତ ନିଆଯାଇଥିଲା । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ତି ଓ ଗଜପତି ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଥିଲା । ଏହା ପରେ ପରିବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ସମସ୍ତ ପଞ୍ଚାୟତକୁ ମୋ ବସ ଚାଲିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।