ପ୍ରପଲ୍ସନ ମଡ୍ୟୁଲରୁ ସଫଳତା ସହ ଅଲଗା ହେଲା ଚନ୍ଦ୍ରୟାନର ଲ୍ୟାଣ୍ଡର୍
ପ୍ରପଲ୍ସନ ମଡ୍ୟୁଲରୁ ସଫଳ ଭାବେ ବିଚ୍ଛିନ୍ନ ହେଲା ଚନ୍ଦ୍ରୟାନର ଲ୍ୟାଣ୍ଡର୍ । ଇସ୍ରୋ ପାଇଁ ଏହା ଏକ ଜଟିଳ ପ୍ରକ୍ରିୟା ରହିଥିଲା

ପ୍ରପଲ୍ସନ ମଡ୍ୟୁଲରୁ ସଫଳ ଭାବେ ବିଚ୍ଛିନ୍ନ ହେଲା ଚନ୍ଦ୍ରୟାନର ଲ୍ୟାଣ୍ଡର୍ । ଇସ୍ରୋ ପାଇଁ ଏହା ଏକ ଜଟିଳ ପ୍ରକ୍ରିୟା ରହିଥିଲା । ପ୍ରପଲସନ୍ ମଡ୍ୟୁଲରୁ ଚନ୍ଦ୍ରୟାନର ଲ୍ୟାଣ୍ଡର୍ ବିଚ୍ଛିନ୍ନ ହେଲା ପରେ ଏବେ ଲ୍ୟାଣ୍ଡିଂ ଉପରେ ରହିଛି ନଜର ।
ସଫଳତା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ ୩ । ଆଜି ଦିନ ଗୋଟାଏ ୧୫ମିନିଟରେ ପରସ୍ପରଠାରୁ ଅଲଗା ହେଲେ ଲ୍ୟାଣ୍ଡର ଓ ପ୍ରପଲସନ ମଡ୍ୟୁଲ । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ପ୍ରପଲସନ ମଡ୍ୟୁଲ ଠାରୁ ଅଲଗା ହୋଇ ଯାତ୍ରା ଜାରି ରଖିଛି ଲ୍ୟାଣ୍ଡର । ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପର୍ଯ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ଏବେ ଏକୁଟିଆ ତାର ଏହି ଯାତ୍ରା ଜାରି ରଖିବ ।
ବର୍ତ୍ତମାନ ଉଭୟ ପ୍ରପଲସନ ମଡ୍ୟୁଲ ଓ ଲ୍ୟାଣ୍ଡର ଚନ୍ଦ୍ରଠାରୁ ସର୍ବନିମ୍ନ ୧୫୩ ଓ ସର୍ବାଧିକ ୧୬୩କିଲୋମିଟର ଦୂରରେ ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଛନ୍ତି । ଆସନ୍ତାକାଲି ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠର ଆହୁରୀ ନିକଟକୁ ନିଆଯିବ । ଏଥିପାଇଁ ଅପରାହ୍ନ ୪ଟା ସମୟ ଧାର୍ଯ୍ୟ କରାଯାଇଛି । ପରେ ୨୦ତାରିଖରେ ଆଉ ଥରେ ତାକୁ ଡିଅର୍ବିଟିଂ କରାଯାଇ ଚନ୍ଦ୍ରଠାରୁ ସର୍ବାଧିକ ଶହେ କିଲୋମିଟର ସର୍ବନିମ୍ନ ୩୦କିଲୋମିଟର ବିଶିଷ୍ଟ ଏକ ଅଣ୍ଡାକାର କକ୍ଷପଥରେ ସ୍ଥାପନ କରାଯିବ । ପ୍ରୋପଲସନ୍ ମଡ୍ୟୁଲ ଏକ ପ୍ରେରକ ଭାବେ କାମ କରିଛି ।
ଚନ୍ଦ୍ରଯାନ-୩ ମିଶନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବିକ୍ରମ ଲ୍ୟାଣ୍ଡର । ଏହି ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ୪ଟି ଗୋଡ ରହିଛି । ଏଥିରେ ଏକାଧିକ ଥ୍ରଷ୍ଟର ମଧ୍ୟ ରହିଛି । ଯାହା ଲ୍ୟାଣ୍ଡ କରିବା ସମୟରେ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ବିରୋଧରେ କାମ କରିବ ଏବଂ ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସହାୟକ ହେବ । ଏହାବାଦ୍ ଏଥିରେ ଏକାଧିକ କ୍ୟାମେରା ଓ ସେନ୍ସରକୁ ସଂଯୋଗ କରାଯାଇଛି ।
ଲ୍ୟାଣ୍ଡର ନିଜେ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିବ । ସବୁକିଛି ଠିକ୍ ଚାଲିଲେ, ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ତା ଭିତରୁ ରୋଭର୍ ବାହାରି ଚନ୍ଦ୍ରପୃଷ୍ଠରେ ୧୪ଦିନ ଲାଗି ବିଚରଣ କରିବ ।...